ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବିରେି ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରିବ। ଦାବି ପୂରଣ ନ ହେଲେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅକ୍ଟୋବର ଶେଷ ଭାଗରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ କରାଯିବ ବୋଲି ସିଜେପି ସଂସ୍ଥାପକ ଅଭିଜିତ୍ ଦୀପକେ ଚେତାବନୀ ଦେଇଛନ୍ତି। ମୁମ୍ବାଇ ପ୍ରେସ୍ କ୍ଲବ୍ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦୀପକେ କହିଛନ୍ତି, ସିଇସିଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଦାଦରସ୍ଥିତ ଶିବାଜୀ ପାର୍କରେ ଦଳ ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ ହେବ। ସିଇସି ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଉ। ସେ ପଦତ୍ୟାଗ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏହି ଆନ୍ଦୋଳନ କେବଳ ମହାରାଷ୍ଟ୍ରରେ ସୀମିତ ନ ରହି ଗୋଆ, କର୍ନାଟକ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡରେ ମଧ୍ୟ କରାଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ସ୍ବଚ୍ଛ ହେବା ଆବଶ୍ୟକ ଏବଂ ଏହି ପ୍ରକ୍ରିୟାରେ ସାଧାରଣ ନାଗରିକ ସମାଜକୁ ସାମିଲ କରାଯିବା ଦରକାର। ଏହାସହ ୨୦୨୫ର ଭୋଟର ତାଲିକାକୁ ତୁରନ୍ତ ‘ଫ୍ରିଜ୍’ କରାଯାଉ, ଯାହାଫଳରେ ଏଥିରେ ଆଉ କୌଣସି ହେରଫେର କରାଯାଇପାରିବ ନାହିଁ।
ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଷୀ ଗତ ୧୦ ମାସ ମଧ୍ୟରେ ଅନ୍ତତଃ ୧୪ ଥର ଆପତ୍ତି ଉଠାଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଛନ୍ତି। ଏହି ବିବାଦ ମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଏବଂ ଶିବସେନା (ୟୁବିଟି) ପକ୍ଷରୁ ମଧ୍ୟ ନିର୍ବାଚନ ଆୟୋଗ ବିରୋଧରେ ଅକ୍ଟୋବର ୪ରେ ମୁମ୍ବାଇରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାର କରାଯିବାକୁ ଘୋଷଣା କରାଯାଇଛି।

