ଏକତରଫା ପ୍ରେମ

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ବେଳେ ବିଦ୍ୟୁତ୍‌ ଚାଲିଯିବାରୁ ସେଠାରେ ୯ ମିନିଟ୍‌ ଅନ୍ଧାର ହୋଇଯାଇଥିଲା। ଏହା ଓଡ଼ିଶାର ବିଦ୍ୟୁତ୍‌ ସରବରାହ ସଂସ୍ଥା ଟାଟା ପାଓ୍ବାରର ଘୋର ଅପାରଗତା ଦର୍ଶାଇବା ସହିତ ରାଷ୍ଟ୍ରପତିଙ୍କ ଭଳି ଜଣେ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାରେ ଆଞ୍ଚ ଆଣିବାର ସୁଯୋଗ ସୃଷ୍ଟି କରିଥିଲା। ସେହି ଅବ୍ୟବସ୍ଥାକୁ ହାଲୁକାରେ ଏଡ଼ାଇଦେବା ଉଚିତ ନୁହେଁ। ଟାଟା ପାଓ୍ବାରର ଓଡ଼ିଶା ପ୍ରତି ଖାମଖିଆଲ ଆଭିମୁଖ୍ୟ ସେହି ଘଟଣାରୁ ସର୍ବସାଧାରଣରେ ବୁଝାପଡ଼ିଲା। ଅନୁରୂପ ଭାବେ ବାହାନଗା ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭାରେ ଖୋଦ୍‌ ରାଜ୍ୟ ଶକ୍ତିମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ବେଳେ ଅଘୋଷିତ ବିଦ୍ୟୁତ୍‌କାଟ କରାଯାଇ ସମସ୍ତଙ୍କୁ ଅପଦସ୍ଥ କରାଯାଇଥିଲା। ଏହା ଯେ ଅଜାଣତରେ ଘଟୁଥାଇପାରେ ବୋଲି ବିଶ୍ୱାସଯୋଗ୍ୟ ହେଉନାହିଁ।
ଚଳିତ ଗ୍ରୀଷ୍ମଋତୁର ଅସହ୍ୟ ତାତି ବିଷୟରେ କିଛି କହିବା ଦରକାର ପଡ଼ୁ ନାହିଁ। ଭୀଷଣ ଗରମ ଓ ଗୁଳୁଗୁଳି ଯୋଗୁ ଜନସାଧାରଣ ସନ୍ତୁଳି ଯାଉଥିବା ବେଳେ ବିଦ୍ୟୁତ୍‌କାଟ ଓ ସ୍ଥଳବିଶେଷରେ ଲୋ ଭୋଲଟେଜ୍‌ ରାଜ୍ୟବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ହେଉଛି ଅନ୍ୟତମ ବିଦ୍ୟୁତ୍‌ ବଳକା ରାଜ୍ୟ। ଏଥିରୁ ବୁଝାପଡ଼ୁଛି ଯେ, ଏହି ରାଜ୍ୟରେ ବିଦ୍ୟୁତ୍‌ ଅଭାବ ନ ଥିବା ସତ୍ତ୍ୱେ ପ୍ରତ୍ୟେକ ଦିନ ଅନେକ ଥର ବିଦ୍ୟୁତ୍‌ କାଟ ଘଟୁଛି। ଓଡ଼ିଶାକୁ ବିଦ୍ୟୁତ୍‌ କ୍ଷେତ୍ରରେ ୪ ଭାଗରେ ବିଭକ୍ତ କରି ସମ୍ପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ଭାର ଟାଟା ପାଓ୍ବାରକୁ ଦିଆଯାଇଛି। ପୂର୍ବରୁ ରାଜ୍ୟ କେନ୍ଦ୍ରୀୟ, ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାବେ ୪ଟି ସରକାରୀ ବିଦ୍ୟୁତ୍‌ ସରବରାହ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବାବେଳେ ଏଭଳି ବିଦ୍ୟୁତ୍‌ ବିଭ୍ରାଟ କ୍ୱଚିତ୍‌ ଦେଖିବାକୁ ମିଳୁଥିଲା। ଆଗରୁ ଜନସାଧାରଣ ସରକାରୀ ଅଫିସରଙ୍କୁ ନାଲିଆଖି ଦେଖାଇ ସେବା ହାସଲ କରିପାରୁଥିଲେ। ଏବେ ସେହି ଉପଭୋକ୍ତା ଶିଥିଳ ପଡ଼ିଯାଇଛନ୍ତି। ତତ୍‌ସହିତ ଟାଟା ପାଓ୍ବାର ଲୋକଙ୍କ କଥା ଶୁଣିବାକୁ ଅନିଚ୍ଛୁକ। ଏକ ଘରୋଇ ଆକଳନ ଅନୁଯାୟୀ ଓଡ଼ିଶାର ୧୨,୩୦୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରିବାର କ୍ଷମତା ଡିସେମ୍ବର ୨୦୨୨ ସୁଦ୍ଧା ହାସଲ ହୋଇଛି। ଏଥିରୁ ୯,୫୪୦ ମେଗାଓ୍ବାଟ୍‌ ତାପଜ(କୋଇଲା) ବିଦ୍ୟୁତ୍‌ ଶକ୍ତି। ବୁଝିବାକୁ ହେବ ଯେ, କୋଇଲାରୁ ପାଉଁଶ ଓ ଜଳ ପ୍ରଦୂଷଣ ଦ୍ୱାରା ରାଜ୍ୟବାସୀ ପ୍ରବଳ କ୍ଷତି ସହୁଛନ୍ତି। ଅପରପକ୍ଷରେ ଓଡ଼ିଶାର ଆଭ୍ୟନ୍ତରୀଣ ବିଦ୍ୟୁତ୍‌ ବ୍ୟବହାର ପରିମାଣ ମାତ୍ର ୪,୦୦୦ ମେଗାଓ୍ବାଟ୍‌ରୁ କମ୍‌। ଅବଶ୍ୟ ବିଶେଷଜ୍ଞମାନେ ବିଭିନ୍ନ ମତ ଦେବେ ଯେ, ଉତ୍ପାଦିତ ଶକ୍ତିର ଅଧିକାଂଶ ଅଂଶ ରାଜ୍ୟ ପାଇପାରିବ ନାହିଁ। ଆଳ ଦେଖାଇବାକୁ ଇଚ୍ଛା କଲେ ସରକାର ଓ ଟାଟା ପାଓ୍ବାରର ଯୁକ୍ତିକୁ କାଟିବାର ମଧ୍ୟ ପ୍ରୟୋଜନ ନାହିଁ। କାରଣ ଉଭୟ ମିଶିକରି ଯାହା ବିବୃତି ଦେବେ ତାହା ସମ୍ପୂର୍ଣ୍ଣ ମିଥ୍ୟା ଉପରେ ଆଧାରିତ ବୋଲି ଜନସାଧାରଣ ହୃଦ୍‌ବୋଧ କରିସାରିଲେଣି। ଏଥିସହିତ ଏହା ମଧ୍ୟ ମନେ ରଖିବାକୁ ହେବ ଯେ, ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ବିଦ୍ୟୁତ୍‌ ଶକ୍ତିର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଟାଟା ପାଓ୍ବାର ଏହି ସୁନା ଅଣ୍ଡା ଦେଉଥିବା କୁକୁଡ଼ାକୁ ଦାନା ଦେବା ପରିବର୍ତ୍ତେ କେବଳ ଅଣ୍ଡା ଗୋଟାଇବାରେ ବ୍ୟସ୍ତ ଥିବା ଭଳି ସ୍ପଷ୍ଟ ଜଣାପଡ଼ୁଛି। ସମସ୍ତଙ୍କର ମନେ ଥାଇପାରେ ଯେ, ଟାଟା ପାଓ୍ବାରକୁ ସେସୁ, ଓ୍ବେସ୍‌କୋ, ସାଉଥ୍‌କୋ ଓ ନେସ୍କୋ ହସ୍ତାନ୍ତର ହେବା ପୂର୍ବରୁ ୩ ମାସ ଧରି ଉପଭୋକ୍ତାଙ୍କୁ ବିଲ୍‌ ପଠାଯାଇ ନ ଥିଲା। ଟାଟା ପାଓ୍ବାର ଯେଉଁଦିନ ଏହି ୪ଟି କମ୍ପାନୀର ଦାୟିତ୍ୱ ନେଲା, ସେହିଦିନଠାରୁ ତା’ର ଲାଭ ହେବାକୁ ଲାଗିଲା। ଜାତୀୟସ୍ତରରେ ଟାଟା ପାଓ୍ବାରର ଅଂଶ ମୂଲ୍ୟ(ଶେୟାର ଭାଲ୍ୟୁ) ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଥିଲା। ଦିଲ୍ଲୀରେ ଟାଟା ପାଓ୍ବାରର ଏକ କ୍ଷୁଦ୍ର ଭାଗ ଥିବା ଯୋଗୁ ସେଠାରେ ଯେଉଁ ଲାଭ ହେଉଥିଲା, ତାହା ତୁଳନାରେ ଓଡ଼ିଶାର ପୁରପଲ୍ଲୀରୁ ଲାଭ ପରିମାଣ ଯଥେଷ୍ଟ ହେବା ଯୋଗୁ କମ୍ପାନୀର ଶେୟାର ବଜାରରେ ମୂଲ୍ୟ ବୃଦ୍ଧି ପାଇବାକୁ ଲାଗିଛି। ଟାଟା ପାଓ୍ବାର ପାଇଁ ଓଡ଼ିଶା ଏକ ଅତ୍ୟନ୍ତ ଲାଭଦାୟକ ଅଞ୍ଚଳ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ ସିହ୍ନାଙ୍କ ଏକ ଦୈନିକ ଇଂଲିଶ୍‌ ଖବରକାଗଜରେ ପ୍ରକାଶିତ ସାକ୍ଷାତକାରରୁ ବୁଝାପଡ଼ୁଛି। ଅନ୍ୟ ଭାଷାରେ କହିବାକୁ ଗଲେ ଟାଟା ପାଓ୍ବାରର ମେରୁଦଣ୍ଡକୁ ଶକ୍ତିଶାଳୀ କରିଦେଇଛି ଓଡ଼ିଶାର ବିଦ୍ୟୁତ୍‌ ସରବରାହ ବ୍ୟବସାୟ। ଏହା ସତ୍ତ୍ୱେ କମ୍ପାନୀ ୩ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ରକ୍ତ ଶୋଷି ନେଉଥିବାବେଳେ, ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୧ ଟଙ୍କା ମଧ୍ୟ ଖର୍ଚ୍ଚ କରିନାହିଁ। ଏହାର ଅନ୍ୟ ନାମ ହେବ ଏକତରଫା ପ୍ରେମ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?