ରାଜସ୍ଥାନ ପଲମରେ ଓଡ଼ିଶା ପିଠା

ଡ. ପ୍ରମୋଦ କୁମାର ପଣ୍ଡା

 

ହଁ  ପାଠକ ବନ୍ଧୁ! ଶୀର୍ଷକଟି ଅଡୁଆ ଅଡୁଆ ଲାଗୁଥିଲେ ମଧ୍ୟ ନିରାଟ ସତକଥା। ଆଜି ଆମର ସ୍ଥିତି ଏହା ପାଖରେ ପହଞ୍ଚି ଯାଇଛି। ରାଜଧାନୀ ଭୁବନେଶ୍ୱରରେ ମାଳ ମାଳ ଲୋକ ମାଟି ପଲମ ରାସ୍ତା କଡ଼ରେ ବିକ୍ରି କରୁଛନ୍ତି। ଯଦି ସେ ବିକ୍ରେତାଙ୍କୁ ପଚାରିବେ, ତେବେ ସେମାନେ ସମସ୍ତେ କହିବେ ଆମେ ରାଜସ୍ଥାନରୁ ଆସି ବିକ୍ରି କରୁଛୁ। ବଡ଼ ଦୁଃଖ ଲାଗେ। ଆମ ରାଜ୍ୟ ଉତ୍କଳ-ଉତ୍କୃଷ୍ଟ କଳାର ରାଜ୍ୟ ଥିଲା। ଏଠି ନାନା ସୂକ୍ଷ୍ମାତିସୂକ୍ଷ୍ମ କାରିଗରି କାର୍ଯ୍ୟ କରାଯାଉଥିଲା। ଆମେ ମାଟିରେ ଦୀପ, ପଲମ, ହାଣ୍ଡି, ମାଠିଆ, କଳସୀ, କଳସ, ଘୁମ ଇତ୍ୟାଦି ଇତ୍ୟାଦି କ’ଣ ତିଆରି କରୁ ନ ଥିଲୁ। ମାତ୍ର ସମୟ ବଦଳି ଯାଇଛି। ଆମର କୁମ୍ଭାର ଭାଇ ହାତ ବାନ୍ଧି ବସିଛନ୍ତି। ହଜାର ହଜାର କିଲୋମିଟର ଦୂରରୁ ମାଟି ପଲମ ଆସି ଆମ ଦାଣ୍ଡ ଦୁଆରେ ବିକ୍ରି ହେଉଛି। ଏହି କିଛିଦିନ ହେବ ମାଟି ପତଲା ମଧ୍ୟ ଆଣି ବିକ୍ରି କଲେଣି। ଏହା ଧୀରେ ଧୀରେ ସହରରୁ ଆମ ଗ୍ରାମାଞ୍ଚଳକୁ ବ୍ୟାପିଯିବ । ଆମେ ଅନ୍ୟ ରାଜ୍ୟର ପ୍ରସ୍ତୁତ ସାମଗ୍ରୀ କିଣି ଚଳିବା। ଆମର ହସ୍ତଶିଳ୍ପ ଓ କୁଟୀରଶିଳ୍ପ ବନ୍ଦ ହୋଇଯିବ। ଆମ ଲୋକ ବେକାର ହୋଇ ବୁଲିବେ। ଧୀରେ ଧୀରେ ଦରିଦ୍ର ହେବେ। ବିପିଏଲ୍‌ ହେବା ପାଇଁ ପ୍ରତିଯୋଗିତା କରିବେ। ସରକାରଙ୍କର ମାଗଣା ଜିନିଷକୁ ଅନେଇ ବଞ୍ଚିବେ? ଦାରିଦ୍ର୍ୟ ବଢ଼ିଲେ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିବ। ସମାଜରେ ବିଶୃଙ୍ଖଳା ଓ ଅତ୍ୟାଚାର ବଢ଼ିବ। ନିଶାଦ୍ରବ୍ୟ କାରବାର ମଧ୍ୟ ବଢ଼ିଯିବ। ପରିଶେଷରେ ଓଡ଼ିଶା ସମୃଦ୍ଧିର ବିପରୀତ ଦିଗରେ ଗତିକରିବ। ହଁ! ପାଠକ ବନ୍ଧୁ! ଯୁବାଗୋଷ୍ଠୀ ପାଖରେ ଯଦି କର୍ମ ସଂସ୍ଥାନ ନ ରହିବ, ସେମାନେ କ’ଣ କରିବେ?
ଆମ ରାଜ୍ୟରେ ପ୍ରତିବର୍ଷ ୫.୫ ଲକ୍ଷ ପିଲା ଦଶମ ଶ୍ରେଣୀ ପରୀକ୍ଷା ଦିଅନ୍ତି। ଆମେ ସରକାରୀ ଓ ବେସରକାରୀ ସ୍ତରରେ ଅତି ବେଶିରେ ବର୍ଷକୁ ଏକ ଲକ୍ଷ ପିଲାଙ୍କୁ ରୋଜଗାର ଯୋଗାଇବାରେ ବି ସକ୍ଷମ ହୋଇ ନ ଥାନ୍ତି। ଯଦି ବି ଦେଇ ଦିଅନ୍ତି, ଆଉ ୪ ଲକ୍ଷ ପିଲା କରିବେ କ’ଣ? ଦୁଃଖ ଲାଗେ ଆମ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ବଜାରରେ ବି ଉତ୍ତରପ୍ରଦେଶରୁ ଆସି ବାଦାମ ଭାଜି ବିକ୍ରି କଲେଣି। କିଛିଦିନ ତଳେ ନିଶ୍ଚିନ୍ତକୋଇଲି ବଜାରରେ ଜଣେ ଉତ୍ତରପ୍ରଦେଶର ମୁରଦାବାଦରୁ ଆସି ବାଦାମ ଭାଜି ବିକୁଥିବାର ଦୃଶ୍ୟ ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲା ଦୁଃଖ ବି ତାଠୁ ଅଧିକ ଲାଗୁଥିଲା। ବାହାର ରାଜ୍ୟରୁ ଆସି ଏଠାରେ ସାଣ୍ଟାକ୍ଳଜ ବିକ୍ରିକରୁଛନ୍ତି। ଏଠି ବଜାରରେ ଗରମ ଗରମ ଜିଲାପି ବିକୁଛନ୍ତି ରାଜସ୍ଥାନରୁ ଆସି, ମାତ୍ର ଆମ ଓଡ଼ିଆ ଯୁବାଗୋଷ୍ଠୀ ମଦ ନିଶାରେ ମସ୍‌ଗୁଲ। ସେ ଆଜି ସମ୍ପୂର୍ଣ୍ଣ ଅଳସୁଆ ? ତାକୁ ମାଗଣା ଜିନିଷ ଦରକାର। ପରିଶ୍ରମ କରି ଟଙ୍କା ରୋଜଗାର କରିବାରେ ତା’ର ସ୍ପୃହା ନାହିଁ। ସେ ଖାଉଟି ହେବ କିମ୍ବା ଲାଞ୍ଚ ଦେଇ ସରକାରୀ ଚାକିରି କରିବ? ପ୍ରଶ୍ନ ଉଠେ ସୁଦୂର ରାଜସ୍ଥାନରୁ ଲୋକ ଆସି ଆମ ଏଠି ମାଟିର ପଲମ ଓ ପତଲା ବିକ୍ରି କରିପାରୁଛନ୍ତି, କିନ୍ତୁ ଆମର ଲୋକ ନିଜ ଜିନିଷ ନିଜ ରାଜ୍ୟରେ ବିକ୍ରି ପରିପାରୁନାହାନ୍ତି। ଏଥିପାଇଁ ମୋ ମତରେ ୨ ଜଣ ଦାୟୀ। ପ୍ରଥମତଃ ଜନସାଧାରଣ। ଜନସାଧାରଣ ଯଦି କିଛି କରିବାକୁ ଚାହିଁବେ ନାହିଁ, ତା’ ହେଲେ କ’ଣ କରାଯିବ? ଦ୍ୱିତୀୟତଃ ସରକାର- ସରକାର ଲୋକ ବା ଜନସାଧାରଣଙ୍କୁ ମାଗଣା ବଣ୍ଟା ଦ୍ୱାରା ଅଳସୁଆ କରିଦେଲେ, ପୁଣି ସେ କର୍ମ କରି ଆଉ ଖାଇପାରିବେ ନାହିଁ। କଥାରେ ଅଛି ପରା, ଯେ ମାଗି ଖାଇଲାଣି ସେ କ’ଣ ନାଗି ଖାଇପାରିବ?
ଆମର ପ୍ରଶାସନକୁ ମଧ୍ୟ ଜଣାପଡିବା ଦରକାର ଯେ କେଉଁ କୁଟୀରଶିଳ୍ପ ପାଇଁ କି ପ୍ରକାର ଜ୍ଞାନକୌଶଳ ଉପଲବ୍ଧ କଲେ ତାହା ଉତ୍ପାଦନ ଖର୍ଚ୍ଚ ବି କମିପାରିବ, ଯାହାଦ୍ୱାରା ବଜାର ଚାହିଦା ବୃଦ୍ଧି ପାଇବ। ସେହିପରି ଆମର ହସ୍ତଶିଳ୍ପ ଉତ୍ପାଦିତ ସାମଗ୍ରୀକୁ ବାହାର ରାଜ୍ୟ ଓ ବିଦେଶରେ ବିକ୍ରି ପାଇଁ ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି; ଯାହା କି ଆମେ ଠିକ ରୂପେ ଧ୍ୟାନ ଦେଉ ନାହାନ୍ତି। ଏ ସବୁ ବିଷୟରେ ଆମର ପ୍ରଶାସକ ଚେତୁ ନାହାନ୍ତି କିମ୍ବା ଆବଶ୍ୟକ ମୁତାବକ କାର୍ଯ୍ୟ କରୁନାହାନ୍ତି। ଆମକୁ ଅନୁଧ୍ୟାନ କରିବାକୁ ପଡ଼ିବ ଯେ ବାହାର ରାଜ୍ୟର ଲୋକ ଏଠାକୁ ଆସି ତାଙ୍କର ରାଜ୍ୟର ଜିନିଷ ବିକ୍ରି କରିପାରୁଛନ୍ତି, ମାତ୍ର ଆମ ଲୋକ କାହିଁକି ଆମ ଜିନିଷକୁ ନେଇ ଅନ୍ୟ ରାଜ୍ୟରେ ବିକ୍ରିକରିପାରୁ ନାହାନ୍ତି ? ଏହାର କାରଣ ଖୋଜି ତା’ର ସମାଧାନର ରାସ୍ତା ବାହାର କରିବାକୁ ପଡିବ।
ଆମ ସାମାଜିକ ବ୍ୟବସ୍ଥାରେ ଏକ ଧାରଣା ଅଛି ଯେ, ଛୋଟ କାମ କଲେ ସମ୍ମାନ ବା ପ୍ରେଷ୍ଟିଜ ଚାଲିଯିବ। ସେଥିପାଇଁ ନୂତନ ଯୁବାଗୋଷ୍ଠୀ ଛୋଟ ଛୋଟ ଧନ୍ଦା ଦ୍ୱାରା ରୋଜଗାର ବଢାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସରକାରୀ ସ୍ତରରେ ପ୍ରଶାସକ ତଥା ବ୍ୟକ୍ତିଗତ ସ୍ତରରେ ସଚେତନ ନାଗରିକମାନେ ମିଳିତ ଭାବରେ ସମାଜରୁ ଉପରୋକ୍ତ ଭ୍ରାନ୍ତ ଧାରଣାକୁ ଦୂରୀଭୂତ କରିବା ପାଇଁ ଚେଷ୍ଟା କରିବା ଉଚିତ, ନ ହେଲେ ଆମ ନୂତନ ପିଢି ଧୀରେ ଧୀରେ କର୍ମ କୋଢ଼ିରେ ପରିଣତ ହେବେ। ବର୍ତ୍ତମାନ ବିଶ୍ୱ ସ୍ଥିତି ଅନୁସାରେ ସିଧାସଳଖ ସରକାରୀ ଓ ବେସରକାରୀ ଚାକିରି ମାତ୍ରାଧିକ ସଂଖ୍ୟକ ମିଳିବା ସମ୍ଭବ ନୁହେଁ। ମାତ୍ର ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷା, ବେପାର ବଣିଜ, ମେକାନିକ, ଆମର ଉତ୍ପାଦର ରପ୍ତାନି, ଆବଶ୍ୟକ ପଦାର୍ଥର ଆମଦାନୀ, ଅନ୍ୟ ରାଜ୍ୟରେ ବେପାର ବଣିଜ ଇତ୍ୟାଦି ଇତ୍ୟାଦି କାର୍ଯ୍ୟ ଦ୍ୱାରା ଆମେ ନିଶ୍ଚିତ ରୂପେ ପ୍ରଚୁର ଅର୍ଥ ରୋଜଗାର କରିପାରିବା ଏବଂ ଆମର ଯୁବାଗୋଷ୍ଠୀଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ସମର୍ଥ ହେବା; ଯଦ୍ଦ୍ବାରା ବେକାରି ସମସ୍ୟା ଦୂର ହୋଇଯିବ। ଏକଦା ଆମେ ରପ୍ତାନିକାରୀ ରାଜ୍ୟ ଥିଲେ। ଏଠାରୁ ଧାନ, ଚାଉଳ, ଚୁଡ଼ା, ଲୁଣ, ବିଭିନ୍ନ ପ୍ରକାର କପଡ଼ା, କଂସା ଓ ପିତଳ ବାସନ, ଶିଙ୍ଗକାମ, କାଠ କାମ, ପଥର ମୂର୍ତ୍ତି, ଅନ୍ୟାନ୍ୟ ହସ୍ତଶିଳ୍ପଜାତ ଦ୍ରବ୍ୟ, ପନିପରିବା ଇତ୍ୟାଦି ଅନ୍ୟ ରାଜ୍ୟ ଓ ବିଦେଶକୁ ରପ୍ତାନି ହେଉଥିଲା। ବର୍ତ୍ତମାନ ସବୁକିଛି ବାହାରୁ ଓଡ଼ିଶାକୁ ଆସୁଛି। ସମୟ ଆସିଛି ଯେ ପ୍ରତ୍ୟେକ ଜିନିଷରେ ଆମଦାନୀ ଓ ରପ୍ତାନି ତାରତମ୍ୟକୁ ଠିକ୍‌ରୂପେ ନିର୍ଦ୍ଧାରଣ କରି, ଉତ୍ପାଦନ ବୃଦ୍ଧି ଓ ରପ୍ତାନି କୈନ୍ଦ୍ରିକ ନୀତି ନିର୍ଦ୍ଧାରଣ କରିବା ଏବଂ ଭିତ୍ତିଭୂମିର ବିକାଶ କରିବା। ଆମର ନେତୃବୃନ୍ଦ ଓ ଜନସାଧାରଣ ରାଜ୍ୟରେ ବ୍ୟବସାୟିକ ପରିବର୍ତ୍ତନକୁ ଲକ୍ଷ୍ୟ କରି କିପରି ଶିକ୍ଷିତ ବେକାର ଯୁବତୀଯୁବକଙ୍କୁ ବିଭିନ୍ନ ପ୍ରକାର ବେପାର ବଣିଜ ଦ୍ୱାରା କର୍ମ ସଂସ୍ଥାନରେ ନିଯୁକ୍ତ କରାଯାଇପାରିବ, ସେ ବିଷୟରେ କାର୍ଯ୍ୟକରିବା ଦରକାର। ଆସନ୍ତୁ ସମସ୍ତେ ମିଶି ଆମ ସମାଜରୁ ଛଦ୍ମ ସମ୍ଭ୍ରାନ୍ତ ପଣିଆ ଓ ଛୋଟ କାମ ଦ୍ୱାରା ସମ୍ମାନ ହାନି ମାନସିକତାକୁ ଦୂରେଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଭାରତ ସରକାର), ଭୁବନେଶ୍ୱର, ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?