ସଂଗ୍ରହାଳୟ ପାଇଁ ସମ୍ବଳ ନାହିଁ

ଅନୁଗୋଳ ଅଫିସ,୧୧ା୮

ପୁରାତନ ସଭ୍ୟତା, ଏହାର ସଂସ୍କୃତି, ଭାଷା, ଲିପି, ମୁଦ୍ରା ଆଦି ସମ୍ପର୍କରେ ଢେର ଜ୍ଞାନ ଦେଇଥାଏ ସଂଗ୍ରହାଳୟ। ନୂତନ ଶିକ୍ଷା, ଗବେଷଣା ଦିଗରେ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଖାସ୍‌ ଏହି କାରଣରୁ ପ୍ରତି ଜିଲାରେ ଗୋଟିଏ ଲେଖାଏ ସଂଗ୍ରହାଳୟ ଖୋଲିବା ପାଇଁ ୨୦୦୫ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ଅନୁଗୋଳ ଜିଲା ମଧ୍ୟ ସାମିଲ ଥିଲା। ଏଥିପାଇଁ ଜିଲାକୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ୨୦୦୯-୧୦ରେ ଉକ୍ତ ଅର୍ଥରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ ନିକଟରେ ଏକ ବିଲ୍‌ଡିଂ ନିର୍ମାଣ କରାଯାଇଥିଲା। ହେଲେ ୧୦ ବର୍ଷ ପରେ ବି ସେଠାରେ ସଂଗ୍ରହାଳୟଟିଏ ସ୍ଥାପନ କରାଯାଇପାରି ନାହିଁ। ଫଳରେ ଜିଲାର ମାଟିତଳୁ ମିଳିଥିବା ଓ ତାଳଚେର ରାଜବାଟିରେ ଥିବା ବହୁ ପୁରାତନ ତଥା ବିରଳ ସାମଗ୍ରୀ ଲୋକଲୋଚନକୁ ଆସିପାରୁନାହିଁ।
ଅବିଭକ୍ତ ଢେଙ୍କାନାଳରୁ ପୃଥକ୍‌ ହୋଇ ୧୯୯୩ରେ ଅନୁଗୋଳ ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ୧୯୯୫-୯୬ ମସିହାରେ ତତ୍କାଳୀନ ଅନୁଗୋଳ ଜିଲାପାଳ ପି.କେ. ନାୟକ ତାଳଚେର ରାଜବାଟି ସଂଗ୍ରହାଳୟର ବହୁ ବିରଳ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ସମୟରେ ରାଜ ପରିବାର ସହିତ ଆଲୋଚନା କରାଯାଇ ଏକ ଜିଲା ସଂଗ୍ରହାଳୟ ସ୍ଥାପନ ନିମନ୍ତେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଅର୍ଥାଭାବ ଦର୍ଶାଇ ସେତେବେଳେ ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ। ହେଲେ ନିଜସ୍ବ ଉଦ୍ୟମରେ ବିଲ୍‌ଡିଂ ନିର୍ମାଣ କରି ମ୍ୟୁଜିୟମ୍‌ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ୨୦୦୫ରେ ସବୁ ଜିଲାରେ ସଂଗ୍ରହାଳୟ ଖୋଲାଯିବା ନିମନ୍ତେ ସରକାର ନିଷ୍ପତ୍ତି ନେବା ପରେ ଅନୁଗୋଳ ଜିଲାକୁ ଏଥିପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଅର୍ଥରେ ଜିଲା ପ୍ରଶାସନ କୋଠା ନିର୍ମାଣ କରିବା ପରେ ସେଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜିଲା ପାଠାଗାର ଖୋଲାଯାଇଛି। କିନ୍ତୁ ସଂଗ୍ରହାଳୟ ସ୍ଥାପନ ଦିଗରେ ଆବଶ୍ୟକ ଦୃଷ୍ଟି ଦିଆଯାଇ ନାହିଁ। ଏପରି କି ବିଭିନ୍ନ ସ୍ଥାନରୁ ଖୋଦେଇ ବେଳେ ମିଳିଥିବା ପୁରାତନ ସାମଗ୍ରୀମାନ କେଉଁଠି ଅଛି ସେ ନେଇ ଜାଣିବାକୁ ପ୍ରଶାସନ ଉଦ୍ୟମ କରୁନାହିଁ। କିଛି ବର୍ଷ ତଳେ ବଅଁରପାଳ ବ୍ଲକ ସାନକେରଜାଙ୍ଗ ଗଁାରୁ ପ୍ରାକ୍‌ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଥିଲା। ସେହିପରି ତଳମୂଳ ଓ ଜୁକୁବୁ ଗଁାରୁ ମିଳିଥିବା ପୁରୁଣା ତାମ୍ରଫଳକ ଓ ନବୋଦୟ ବିଦ୍ୟାଳୟ ନିର୍ମାଣ ବେଳେ ଚମ୍ପତ୍ତିମୁଣ୍ଡାଠାରୁ ଉଦ୍ଧାର ହୋଇଥିବା ପଥର ମୂର୍ତ୍ତି ମଧ୍ୟ ବେଶ୍‌ ପୁରାତନ ବୋଲି କୁହାଯାଉଥିଲା। ସେଥିରୁ କିଛି ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଥିବାବେଳେ ବଳକା କେଉଁଠି ଅଛି ତାହାର ଖୋଜଖବର ନାହିଁ। ଜୁକୁବୁ ଗଁାରୁ ମିଳିଥିବା ତାମ୍ରଫଳକରେ ଖୋଦେଇ ହୋଇଥିବା ଭାଷା ଜାଣିବା ପାଇଁ ଜଣେ ଶିକ୍ଷାବିତ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଉକ୍ତ ତାମ୍ରଫଳକ କେଉଁଆଡ଼େ ଗଲା ସେ ସମ୍ପର୍କରେ ସଂସ୍କୃତି ବିଭାଗ, ଅନୁଗୋଳ ପାଖରେ ଖବର ନାହିଁ। କେବଳ ମିଳିଥିବା ଏସବୁ ସାମଗ୍ରୀ ନୁହେଁ, ତାଳଚେର ରାଜବାଟିସ୍ଥିତ ରାଜାଙ୍କ ସଂଗ୍ରହାଳୟରେ ଏମିତି କିିଛି ବିରଳ କୀର୍ତ୍ତିରାଜି ରହିଛି ଯାହା ରାଜ୍ୟ ସଂଗ୍ରହାଳୟରେ ମଧ୍ୟ ଦେଖିବାକୁ ମିଳେ ନାହିଁ। କିନ୍ତୁ ସେଗୁଡ଼ିକ ପ୍ରଦର୍ଶନ ହୋଇପାରୁ ନାହିଁ।
ଜିଲା ସଂସ୍କୃତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାନବ ସମ୍ବଳ ଓ ଅର୍ଥ ଅଭାବରୁ ପୁରାତନ ସାମଗ୍ରୀ ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି ଉଦ୍ୟମ ହେଉନାହିଁ। ସେସବୁ ଏବେ କାହା ପାଖରେ ରହିଛି, ସେ ନେଇ ବିଭାଗ ନିକଟରେ କୌଣସି ତଥ୍ୟ ମଧ୍ୟ ନାହିଁ। ଏ ବାବଦରେ ଖର୍ଚ୍ଚ କରିବାକୁ ସରକାର ଟଙ୍କାଟିଏ ଦେଉ ନ ଥିବାରୁ ଏହି କାର୍ଯ୍ୟରେ ବାଧା ଉପୁଜିଛି। ଏ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ସଂଗ୍ରହାଳୟ ସ୍ଥାପନ ଦିଗରେ ଥିବା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରାଯିବ। ସଂସ୍କୃତି ବିଭାଗ, ଅନୁଗୋଳ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?