ଶାନ୍ତି ପାଇଁ କେହି ନାହିଁ

ଇସ୍ରାଏଲ-ହମାସ ଯୁଦ୍ଧ ୨୧ ଦିନ ଅତିକ୍ରାନ୍ତ ହେବା ପରେ ସେହି ଅଞ୍ଚଳରେ ଯୁଦ୍ଧବିରତି (ସିଜ୍‌ଫାୟାର) ସହ ଗାଜାରେ ମାନବୀୟ ସହାୟତା ପହଞ୍ଚାଇବା ଲାଗି ଜୋର୍ଡାନ ପକ୍ଷରୁ ୨୮ ଅକ୍ଟୋବରରେ ଜାତିସଂଘରେ ଅଣାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଯାଇଛି। ଉକ୍ତ ପ୍ରସ୍ତାବକୁ ଚାଇନା, ଫ୍ରାନ୍ସ, ସାଉଦି ଆରବିୟା, ସିରିଆ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଭଳି ୧୨୦ ଦେଶ ସମର୍ଥନ କରିଛନ୍ତି। ଇସ୍ରାଏଲ, ଆମେରିକା, ଅଷ୍ଟ୍ରିଆ, କ୍ରୋଏସିଆ ଆଦି ୧୪ ରାଷ୍ଟ୍ର ପ୍ରସ୍ତାବ ବିପକ୍ଷରେ ମତ ଦେଇଥିବା ବେଳେ ଭାରତ ସମେତ ବ୍ରିଟେନ, ଜର୍ମାନୀ, କାନାଡ଼ା, ଜାପାନ, ୟୁକ୍ରେନ୍‌ ଓ ଦକ୍ଷିଣ କୋରିଆ ଆଦି ୪୫ ରାଷ୍ଟ୍ର ଭୋଟଦାନରୁ ବିରତ ରହିଛନ୍ତି। ଶାନ୍ତି ପ୍ରତିଷ୍ଠା ଲାଗି ଅଣାଯାଇଥିବା ପ୍ରସ୍ତାବକୁ ଭାରତ ଭଳି ଦେଶ ସମର୍ଥନ ନ କରି ମତଦାନରୁ ବିରତ ରହିବା ଏବେ ଦେଶ ଭିତରୁ ଓ ବାହାରୁ ସମାଲୋଚନା କରାଯାଉଛି। ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଦେଶରେ ସମ୍ଭବତଃ ପ୍ରଥମ ଥର ପାଇଁ ଏକ ଶାନ୍ତି ପ୍ରସ୍ତାବ ବିପକ୍ଷରେ ଆଜିର ସରକାର ଛିଡ଼ା ହେବା ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ସରକାରଙ୍କ ପକ୍ଷରୁ ଆଳ ଦେଖାଯାଉଛି ଯେ, ହମାସ ଆତଙ୍କବାଦୀ ଆକ୍ରମଣ ବିଷୟରେ ଉକ୍ତ ପ୍ରସ୍ତାବରେ ଉଲ୍ଲେଖ ନ ଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି। କାରଣ ଆତଙ୍କବାଦୀଙ୍କୁ ପ୍ରତିହତ କରିବା ଭାରତର ପ୍ରମୁଖ ଅଗ୍ରାଧିକାର ରହିଆସିଛି।
ଜାତିସଂଘର ଉକ୍ତ ପ୍ରସ୍ତାବରୁ ଭାରତ ବିରତ ରହିବାର ଗୋଟିଏ ଦିନ ପରେ କେରଳର କାଲାମାସେରୀସ୍ଥିତ ଏକ କନ୍‌ଭେନ୍‌ଶନ୍‌ ସେଣ୍ଟରରେ ବିସ୍ଫୋରଣ ଘଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି। ଏଥିରେ ଇସ୍‌ଲାମୀୟ ଉଗ୍ରପନ୍ଥୀଙ୍କ ହାତ ଥିବାର ସମ୍ଭାବନା କମ୍‌ ଥିବାବେଳେ ସେହି ରାଜ୍ୟର ଧର୍ମନିରପେକ୍ଷତା ଭଙ୍ଗ କରିବା ପାଇଁ ଇଚ୍ଛୁକ ଶକ୍ତିମାନେ ଏଭଳି କରାଇଥାଇପାରନ୍ତି ବୋଲି ସ୍ଥାନୀୟ ଖବରଦାତାମାନଙ୍କଠାରୁ ବୁଝାପଡୁଛି। ଏବେ ସମଗ୍ର ପୃଥିବୀକୁ ଦେଖିଲେ କେବଳ ୟୁରୋପ ନୁହେଁ, ମଧ୍ୟପ୍ରାଚ୍ୟ ସମେତ ଆହୁରି ଅନେକ ଜାଗାରେ ଧର୍ମକୁ ନେଇ ଯୁଦ୍ଧ ଆରମ୍ଭ ହୋଇଗଲାଣି। ଆଉ ଅନେକ ଜାଗାରେ ସେହି ଧର୍ମକୁ ଭିତ୍ତିକରି ଅତ୍ୟାଚାର ଓ ଅନ୍ୟାୟ ବୃଦ୍ଧି ପାଉଛି, ଯାହାକି ଯୁଦ୍ଧ ଭଳି ସ୍ଥିତିକୁ ସୃଷ୍ଟି କରିପାରେ। ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ହିଂସା ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ସେଥିପାଇଁ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆଜି ବିଶ୍ୱରେ ଶାନ୍ତି ପାଇଁ ଡାକରା ଦେବାକୁ କୌଣସି ଦେଶ ପ୍ରସ୍ତୁତ ନାହିଁ। ଯଦି ଜାତିସଂଘର ପ୍ରସ୍ତାବକୁ ଦେଖାଯାଏ ତେବେ ୩ଟି ଗୋଷ୍ଠୀ ହେଲେଣି। ସବୁଠାରୁ ବଡ଼ ଗୋଷ୍ଠୀ ୧୨୦ଟି ଦେଶ କହୁଛନ୍ତି ଯୁଦ୍ଧବିରତି ହେଉ ବା ଗୁଳିଫୁଟିବା ବନ୍ଦ ହେଉ। ଏହି ଗୋଷ୍ଠୀର ନେତୃତ୍ୱ ନେଉଛି ଜୋର୍ଡାନ, ଯାହା ସହିତ ଅନ୍ୟ ସବୁ ଇସ୍‌ଲାମୀୟ ଦେଶ ମିଶିଛନ୍ତି। ଏମାନେ ଶାନ୍ତି ଦାବି କରୁନାହାନ୍ତି, ବରଂ ହମାସ ଏବେ ମାଡ଼ ଖାଇଯାଉଛି ବୋଲି ତାହାକୁ ହୃଷ୍ଟପୁଷ୍ଟ କରିବା ପାଇଁ ଯେତିକି ସମୟ ଦରକାର ସେହି ସମୟ ପର୍ଯ୍ୟନ୍ତ ଯୁଦ୍ଧବିରତି ରହୁ। ଦ୍ୱିତୀୟ ଗୋଷ୍ଠୀ ରହିଲା ୧୪ଟି ଦେଶର, ଯେଉଁମାନେ ଇସ୍ରାଏଲ୍‌କୁ ସମର୍ଥନ କରୁଛନ୍ତି। ଏହାର ନେତୃତ୍ୱ ନେଉଛି ଆମେରିକା, ଯାହାର ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟ ଭବିଷ୍ୟତରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆମେରିକାର ସ୍ବାର୍ଥନିହିତ ହୁଏ ଯେତେବେଳେ ବିଭିନ୍ନ ସ୍ତରରେ ଯୁଦ୍ଧ ଲାଗେ ଓ ତାହା ଦ୍ୱାରା ନିର୍ମିତ ଗୋଳାବାରୁଦ, ଯୁଦ୍ଧ ଜାହାଜ ଓ ଲଢ଼ୁଆ ପାଣିଜାହାଜର ଚାହିଦା ବୃଦ୍ଧିପାଏ। ଏହା ବ୍ୟତୀତ ଆମେରିକାର ଏକ ଟାଣୁଆ ‘ଲବି’ ଇହୁଦୀମାନଙ୍କ ଦ୍ୱାରା ପରିଚାଳିତ। ଆମେରିକୀୟ ଇହୁଦୀମାନେ ଇସ୍ରାଏଲ୍‌କୁ ସମର୍ଥନ କରିଆସିଛନ୍ତି। ଆମେରିକାର ଅଧିକାଂଶ ବ୍ୟାଙ୍କ, ଅନେକ ଗୋଳାବାରୁଦ ଶିଳ୍ପ ଏବଂ ପ୍ରମୁଖ ଗଣମାଧ୍ୟମର ମାଲିକ ଇହୁଦୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ। ଛୋଟିଆ ବେଙ୍ଗଟିଏ ହୋଇ ରୁଷିଆ ପରି ବିରାଟ ସାପର ସମ୍ମୁଖୀନ ହେଉଥିବା ୟୁକ୍ରେନ ଭଳି ଦେଶ ମଧ୍ୟ ଇସ୍ରାଏଲ୍‌ର ଯୁଦ୍ଧକୁ ସମର୍ଥନ କରୁଛି, କାରଣ ଏହାର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ନିଜେ ଜଣେ ଇହୁଦୀ। ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଇସ୍ରାଏଲ୍‌ ଯାଇ ସେଠାରେ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟି ଫେରିଆସିଲେଣି। ତାଙ୍କ ଦଳ ଏବେ ବ୍ରିଟେନରେ ଲୋକପ୍ରିୟତା ହରାଉଛି ଏବଂ ବାହାର ଦେଶରୁ ଆସି ଇଂଲଣ୍ଡରେ ରହୁଥିବା ନାଗରିକଙ୍କ ସଂଖ୍ୟା ଓ ବିରୋଧ ବଢ଼ୁଥିବାରୁ ସୁନକ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଇସ୍ରାଏଲ ସମର୍ଥକ ପାଲଟିବାକୁ ବାଧ୍ୟ ହୋଇଛନ୍ତି। ସେହି ଚଷମାରେ ଦେଖିଲେ ଭାରତର ଇତିହାସରେ ଇହୁଦୀମାନଙ୍କୁ କେବେହେଲେ ହଇରାଣ କରାଯାଇନାହିଁ, କାରଣ ଆମ ଦେଶରେ କ୍ୱଚିତ ଇହୁଦୀ ଅଛନ୍ତି। ଅପରପକ୍ଷରେ ଆଜିର ଭାରତୀୟ ରାଜନୀତିରେ ମୁସ୍‌ଲମାନ ବିରୋଧୀ ମାନସିକତା ପ୍ରାଧାନ୍ୟ ପାଉଥିବାରୁ ପାଲେଷ୍ଟାଇନର ହମାସ ଗୋଷ୍ଠୀକୁ ଉଗ୍ରପନ୍ଥୀ ଆଖ୍ୟା ଦେଇ ଇସ୍ରାଏଲକୁ ସମର୍ଥନ କରିବା ଧାରା ସହିତ ଚାଲିବାର ଏକ ସହଜ ଉପାୟ। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଏସିଆରୁ କେବଳ ଭାରତ ଭୋଟ ନ ଦେଇ ରହିଥିବା ବେଳେ ମାଲେସିଆ, ଇଣ୍ଡୋନେସିଆ, ପାକିସ୍ତାନ, ବାଂଲାଦେଶ ଭଳି ସବୁ ଦେଶ ଇସ୍ରାଏଲ ବିରୋଧରେ ଭୋଟ ଦେଇଛନ୍ତି।
ମାନଚିତ୍ରକୁ ଦେଖିଲେ ସ୍ପଷ୍ଟ ବୁଝାପଡୁଛି, ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ସମଗ୍ର ପୃଥିବୀର ରାଜନୀତି ପ୍ରତ୍ୟେକ ଦେଶର ଧର୍ମକୁ ନେଇ ପରିଚାଳିତ। ଏର୍ଡୋଗାନ୍‌ଙ୍କ ତୁର୍କୀ ହେଉ ବା ମାକ୍‌ରଁଙ୍କ ଫ୍ରାନ୍ସ ସବୁଠାରେ ରାଜନେତାଙ୍କଠାରୁ ସେମାନଙ୍କ ଧାର୍ମିକ ଭୋଟବ୍ୟାଙ୍କ ଅଧିକ ଗୁରୁତ୍ୱ ରଖୁଛି। ଧର୍ମ ସହିତ ବ୍ୟବସାୟିକ ସ୍ବାର୍ଥ ଦ୍ୱିତୀୟ ସ୍ଥାନ ଗ୍ରହଣ କରୁଛି। ଆମେରିକାଠାରୁ ଆରମ୍ଭ କରି ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ଗାଜାର ଗରିବ ପାଲେଷ୍ଟାଇନ ନାଗରିକ ସହିତ କୌଣସି ଦେଶର ବ୍ୟବସାୟିକ ସମ୍ପର୍କ ନାହିଁ। ଅପରପକ୍ଷରେ ଭାରତ ପରି ଦେଶ ମଧ୍ୟ ଇସ୍ରାଏଲଠାରୁ ପେଗାସସ୍‌ ନାମକ ପ୍ରଯୁକ୍ତି ଯନ୍ତ୍ର କିଣିବାରେ ବ୍ୟସ୍ତ ବୋଲି ସେହି ଦେଶକୁ ସମର୍ଥନ କରିବା ଅନ୍ୟ ଏକ କାରଣ ହୋଇପାରେ।
ଏଭଳି ସ୍ଥିତିରେ ଶାନ୍ତି ପାଇଁ କହିବାକୁ ପୃଥିବୀର କୌଣସି ଦେଶ ଆଗେଇ ଆସୁନାହିଁ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ହୋଇଯାଇଛନ୍ତି ଏକମାତ୍ର ବ୍ୟକ୍ତିବିଶେଷ, ଯିଏ ଶାନ୍ତି ପାଇଁ ଆହ୍ବାନ ଦେଇଛନ୍ତି। ହୁଏତ ସେଥିପାଇଁ ସବୁ ଶକ୍ତିଶାଳୀ ଦେଶ ଇସ୍ରାଏଲ ସହ ମିଶି ତାଙ୍କର ବହିଷ୍କାର ଦାବି କରିଛନ୍ତି। କୌତୂହଳର ବିଷୟ ଯେ ୟୁକ୍ରେନରେ ଯୁଦ୍ଧ ରଚାଇଥିବା ରୁଷିଆ ଓ ତାଇଓ୍ବାନ ଉପରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିବା ଚାଇନା ‘ସିଜ୍‌ଫାୟାର’ ସପକ୍ଷବାଦୀ ଗୋଷ୍ଠୀ ସହିତ ମିଶିଛନ୍ତି। ଏହାଫଳରେ ଏହି ଦୁଇ ଦେଶ ଆଶା କରୁଛନ୍ତି ଯେ, ଆମେରିକାର ଶକ୍ତି ବିଭିନ୍ନ ସ୍ଥାନରେ ଅପଚୟ ହେଲେ ସେମାନେ ନିଜ ଆଜେଣ୍ଡା ପାଇଁ ସମୟ ପାଇବେ। କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ହେଲେ ତାହା ଶାନ୍ତି ଆଣିବ ନାହିଁ। କେବଳ ହମାସ, ହେଜ୍‌ବୋଲ୍ଲା ଏବଂ ଅନ୍ୟ କେତେକ ଗୋଷ୍ଠୀଙ୍କୁ ବଳ ଗୋଟାଇବାର ଅଧିକ ସମୟ ମିଳିବ।
ଦୁଃଖର ବିଷୟ ଯେ, ଭାରତ ମଧ୍ୟ ତା’ର ଚିରାଚରିତ ଶାନ୍ତି ଆଭିମୁଖ୍ୟରୁ ଦୂରେଇ ଯାଉଛି। ଏହାଫଳରେ ଆଭ୍ୟନ୍ତରୀଣ ରାଜନୀତିରେ କୌଣସି ଗୋଟିଏ ଦଳ ଶକ୍ତିଶାଳୀ ହୋଇପାରେ। କିନ୍ତୁ ଦୀର୍ଘମିଆଦୀ ବିଶ୍ୱସ୍ତରୀୟ ଭାବମୂର୍ତ୍ତି ହରାଇବସୁଛି ଭାରତ। ମନେରଖିବାକୁ ହେବ ଯେ ୭ ଅକ୍ଟୋବର ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଯୁଦ୍ଧରେ କୌଣସି ପକ୍ଷ ନିରୀହ ନୁହେଁ। ଉଭୟ ପକ୍ଷ ଦୁଷ୍ଟ ବୁଦ୍ଧିରେ ପରିଚାଳିତ ହେଉଥିବାରୁ ନିରୀହ ନାଗରିକ ମରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri