ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ରହିଛି। ମାତ୍ର ଠିକାଦାରମାନେ ଏହି ନିୟମକୁ ଭ୍ରୂକ୍ଷେପ କରୁନାହାନ୍ତି। କେଉଁଠି ବିପୁଳ ପରିମାଣର ଅପମିଶ୍ରିତ ଆଲକାତରା ବ୍ୟବହାର କରୁଛନ୍ତି ତ’ ଆଉ କେଉଁଠି ନିର୍ମାଣ କାର୍ଯ୍ୟର ସମସ୍ତ ପ୍ରକାର ରସିଦ୍ ପ୍ରଦାନ କରୁ ନାହାନ୍ତି। ଏପରି କି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଯେଭଳି ଭାବେ ଯାଞ୍ଚ କରାଯିବା କଥା ତାହା ମଧ୍ୟ କରାଯାଉନାହିଁ। ଅନ୍ୟପକ୍ଷରେ ଠିକାଦାରଙ୍କୁ ତାଙ୍କ ବିଲ୍ ଦେୟ କରାଯାଉଛି। ଯଦ୍ଦ୍ବାରା ରାଜ୍ୟ ସରକାରଙ୍କୁ ପ୍ରଭୂତ କ୍ଷତି ପହଞ୍ଚୁଛି। ୬ଟି ସେକ୍ସନ ପକ୍ଷରୁ ୩୫୨.୭୩ କୋଟି ଟଙ୍କାର ଚୁକ୍ତି ମୂଲ୍ୟରେ ୧୦୭ଟି ରାସ୍ତା କାମ କରାଯାଇଛି, ଯେଉଁଠାରେ ରାସ୍ତା ନିର୍ମାଣ କାମରେ ନିୟମ ଉଲ୍ଲଂଘନ କରି ଠିକାଦାରଙ୍କୁ ୪୩.୮୭ କୋଟି ଟଙ୍କାର ଅନିୟମିତ ଅର୍ଥ ପ୍ରଦାନ କରାଯାଇଛି। ସେହିପରି ୭ଟି ଜିଲାରେ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଯୋଗୁ ଠିକାଦାରଙ୍କଠାରୁ ୪୦.୫୫କୋଟି ଟଙ୍କା ଆଦାୟ କରାଯାଇନାହିଁ। ଏହି ଉଭୟ କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଠିକାଦାରଙ୍କୁ ୮୪.୪୨କୋଟି ଟଙ୍କାର ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି)ଙ୍କ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି।
ଚଳିତ ମୌସୁମୀ ଅଧିବେଶନକାଳରେ ସିଏଜିଙ୍କ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ କୁହାଯାଇଛି, ଏହି ୧୦୭ଟି ରାସ୍ତା କାମରେ ୮,୨୮୫.୧୨ ମେଟ୍ରିକ୍ ଟନ୍ ଆଲକାତରା ବ୍ୟବହାର ହୋଇଥିଲା। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଅକ୍ଟୋବର-୨୦୧୯ରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ରହିଥିଲା, ଠିକାଦାରଙ୍କୁ ବକେୟା ପ୍ରଦାନ ସମୟରେ କେବଳ ମୁଖ୍ୟ ଉତ୍ପାଦକଙ୍କଠାରୁ ଆଲକାତରା ଓ ଇମଲସନ୍ କ୍ରୟ କରାଯାଇଥିବାର ରସିଦ୍ ଗ୍ରହଣ କରାଯିବା ବାଧ୍ୟତାମୂଳକ। ଏହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁରୂପ ଭାବେ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକୁ କେବଳ ନିର୍ଦ୍ଦିଷ୍ଟ ମୁଖ୍ୟ ଉତ୍ପାଦକ, ଯଥା ଆଇଓସିଏଲ୍, ଏଚ୍ପିସିିଏଲ୍ ଏବଂ ଏଚ୍ସିଏଲ୍/ଓଏସ୍ଆଇସିଠାରୁ ଆଲକାତରା ଓ ଇମଲସନ୍ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସମୀକ୍ଷାବେଳେ ଦେଖାଯାଇଥିଲା, ଉକ୍ତ ୧୦୭ଟି ରାସ୍ତା କାମ ପାଇଁ ଠିକାଦାରମାନେ ମୁଖ୍ୟ ଉତ୍ପାଦକଙ୍କଠାରୁ ଆଲକାତରା କିଣିଥିବା ସମ୍ପର୍କିତ ରସିଦ୍ ନାହିଁ। ଏପରି ଅନିୟମିତତା ରାସ୍ତା କାମର ଗୁଣବତ୍ତା ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେହିପରି ଅର୍ଥ ବିଭାଗ ଓ ବିଭାଗୀୟ ନିର୍ଦ୍ଦେଶକୁ ଅଣଦେଖା କରି ନିର୍ବାହୀ ଯନ୍ତ୍ରୀମାନେ ଆଲକାତରା କ୍ରୟ ରସିଦ ମଧ୍ୟ ଯାଞ୍ଚ କରି ନ ଥିଲେ। ନିର୍ଦ୍ଦିଷ୍ଟ ଯୋଗାଣକାରୀଙ୍କଠାରୁ ସାମଗ୍ରୀ ଯୋଗାଣ ହୋଇଥିବା ନିଶ୍ଚିତ ନ କରି ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କୁ ୪୩.୮୭ କୋଟି ଟଙ୍କା ଅନିୟମିତ ଭାବେ ପ୍ରଦାନ କରିଛନ୍ତି ବୋଲି ସିଏଜିଙ୍କ ପକ୍ଷରୁ କୁହାଯାଇଛି।

