ନୂଆଦିଲ୍ଲୀ,୧୪ା୬ : ଏନ୍ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଆଡମିଟ୍ କାର୍ଡ ଜାରି କରିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆବେଦନପତ୍ର ନମ୍ବର ଏବଂ ଜନ୍ମତାରିଖ କିମ୍ବା ପାସ୍ଓ୍ବାର୍ଡ ବ୍ୟବହାର କରି ଏନ୍ଟିଏ ଓ୍ବେବ୍ସାଇଟ୍ neet.nta.nic.inରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା ୨୧ ତାରିଖ ରବିବାର ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଏନ୍ଇଇଟି-ୟୁଜି ପୁନଃ ପରୀକ୍ଷା କାଗଜକଲମରେ କରାଯିବ।
ଚଳିତ ବର୍ଷ ମୋଟ ୨୨.୭୫ ଲକ୍ଷ ଛାତ୍ରୀଛାତ୍ର ଏନ୍ଇଇଟି-ୟୁଜି ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ମେ’ ୩ରେ ଅନୁଷ୍ଠିତ ପରୀକ୍ଷାରେ ୨୨.୦୫ ଲକ୍ଷ ଯୋଗ ଦେଇଥିଲେ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଉକ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା। ୨୧ ତାରିଖ ସାନି ପରୀକ୍ଷାରେ ଯେପରି କୌଣସି ଅନିୟମିତତା ନ ଘଟେ ସେଥିପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନ ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

