ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଭେଟେରାନ୍ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭୂମିକା ଉପରେ ମଧ୍ୟ ନଜର ରହିଛି । ଏହି ସମୟରେ ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଟିମ୍ ମ୍ୟାନେଜମେଣ୍ଟକୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଭାରତ ବିଶ୍ୱକପ୍ ଜିତିବାକୁ ହେଲେ କେବଳ ବ୍ୟାଟିଂ ନୁହେଁ, ବୋଲିଂ ଓ ଫିଲ୍ଡିଂ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
କୈଫ୍ଙ୍କ ମତରେ, ଦକ୍ଷିଣ ଆଫ୍ରିକାରେ ପୂର୍ବ ତୁଳନାରେ ବ୍ୟାଟିଂ ଅନୁକୂଳ ପିଚ୍ର ସଂଖ୍ୟା ବଢ଼ିଛି। ତେଣୁ ଆଗାମୀ ବିଶ୍ୱକପ୍ରେ ବ୍ୟାଟର୍ଙ୍କ ପ୍ରାଧାନ୍ୟ ରହିପାରେ। ଏଭଳି ସ୍ଥିତିରେ ଯେଉଁ ଦଳର ବୋଲିଂ ଆକ୍ରମଣ ଅଧିକ ଶକ୍ତିଶାଳୀ ହେବ, ସେହି ଦଳ ସଫଳତା ହାସଲ କରିବାରେ ଆଗରେ ରହିବ । କୈଫ୍ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଏବେ ପିଚ୍ଗୁଡ଼ିକ ବ୍ୟାଟିଂ ପାଇଁ ଅନୁକୂଳ ହୋଇଛି। ତେଣୁ ବୋଲର୍ମାନେ ମ୍ୟାଚ୍ରେ ପ୍ରାଧାନ୍ୟ ବିସ୍ତାର କରିବେ ବୋଲି ଭାବିବା ଠିକ୍ ନୁହେଁ । ଉନ୍ନତ ବୋଲିଂ ଆକ୍ରମଣ ଥିବା ଦଳ ହିଁ ଭଲ ପ୍ରଦର୍ଶନ କରିବ।
କୋହଲି ଓ ରୋହିତଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମତ ରଖିଛନ୍ତି କୈଫ୍। ଉଭୟ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିବା ସେ କହିଛନ୍ତି। ତେବେ ଭାରତକୁ ବିଶ୍ୱକପ୍ ଜିତିବାକୁ ହେଲେ ବୋଲିଂ ଓ ଫିଲ୍ଡିଂକୁ ଅଧିକ ମଜଭୁତ କରିବାକୁ ହେବ। କେବଳ ଜଣେ କିମ୍ବା ଦୁଇଜଣ ଷ୍ଟାର୍ ଖେଳାଳିଙ୍କ ଉପରେ ନିର୍ଭର କରି ବିଦେଶ ମାଟିରେ ବିଶ୍ୱକପ୍ ଜିତିବା ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ପ୍ରସଙ୍ଗରେ କୈଫ୍ ୨୦୦୩ ବିଶ୍ୱକପ୍ର ଉଦାହରଣ ଦେଇଛନ୍ତି। ସେହି ବିଶ୍ୱକପ୍ରେ ସଚିନ ତେନ୍ଦୁଲକର ଭାରତର ପ୍ରମୁଖ ବ୍ୟାଟର୍ ଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ତଥାପି ଦଳର ସଫଳତା ପଛରେ ଅନ୍ୟ ଖେଳାଳିଙ୍କ ଅବଦାନ ମଧ୍ୟ ରହିଥିଲା। ଯୁବରାଜ ସିଂ, ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ୱାଗ୍ ଗୁରୁତ୍ୱପୂର୍ଣ୍ଣ ରନ୍ କରିଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ କୈଫ୍ ମଧ୍ୟ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।

