ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଏହାର ପ୍ରାୟ ୧୩ ବର୍ଷ ପରେ ୨୦୧୪ରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଏହି ଯାତ୍ରାରେ ସେ ଲଗାତାର ସତ୍ତାର ଶୀର୍ଷ ପଦରେ ରହିଛନ୍ତି।
୨୦୦୧ରେ ନରେନ୍ଦ୍ର ମୋଦ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ସମୟରେ ରାଜ୍ୟ ରାଜନୀତି ଅସ୍ଥିରତା ଦେଇ ଗତି କରୁଥିଲା। ବିଭିନ୍ନ ସମୟରେ ସରକାର ବଦଳିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇଥିଲା। ଏଭଳି ପରିସ୍ଥିତିରେ ମୋଦିଙ୍କୁ ଗୁଜରାଟର ନେତୃତ୍ୱ ଦିଆଯାଇଥିଲା। ୧୯୭୪ରେ ଚିମନଭାଇ ପଟେଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗୁଜରାଟରେ ବଡ଼ ଛାତ୍ର ଆନ୍ଦୋଳନ ହୋଇଥିଲା। ଏହାପରେ ରାଜ୍ୟରେ ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ବିଭିନ୍ନ ସମୟରେ ବାବୁଭାଇ ପଟେଲ, ମାଧବସିଂହ ସୋଲଙ୍କି, ଅମରସିଂହ ଚୌଧୁରୀ, ଚିମନଭାଇ ପଟେଲ ଓ ଅନ୍ୟ ନେତାମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କେତେକ ସରକାର ଅଳ୍ପ ସମୟ ଚାଲିଥିଲା ଏବଂ ଅନେକଥର ରାଜ୍ୟରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇଥିଲା। ୧୯୯୫ରେ ଗୁଜରାଟରେ ଭାଜପା କ୍ଷମତାକୁ ଆସିଥିଲା। କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସୁରେଶ ମେହତା ଓ ଶଙ୍କରସିଂହ ବାଘେଲାଙ୍କ ଭଳି ନେତାମାନେ ମଧ୍ୟ ରାଜ୍ୟର ନେତୃତ୍ୱ ନେଇଥିଲେ। ତଥାପି ରାଜନୈତିକ ସ୍ଥିରତା ଏକ ବଡ଼ ପ୍ରଶ୍ନ ହୋଇ ରହିଥିଲା।
୧୯୯୮ରେ ଭାଜପା ପୁଣିଥରେ ବହୁମତ ପାଇବା ପରେ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୦୧ ଜାନୁଆରୀ ୨୬ରେ ଆସିଥିବା ଭୟଙ୍କର ଭୂମିକମ୍ପ ଗୁଜରାଟକୁ ବଡ଼ କ୍ଷତି ପହଞ୍ଚାଇଥିଲା। ଏହାର କିଛି ମାସ ପରେ, ୨୦୦୧ ଅକ୍ଟୋବର ୭ରେ କେଶୁଭାଇ ପଟେଲଙ୍କ ସ୍ଥାନରେ ନରେନ୍ଦ୍ର ମୋଦିଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସେତେବେଳେ ମୋଦି ଭାଜପା ସଂଗଠନରେ ଗୁଜରାଟ ବାହାରେ ଦାୟିତ୍ୱରେ ଥିଲେ।
ମୋଦୀ ମୁଖ୍ୟମନ୍ତ୍ରୀ ହେବାର କିଛି ମାସ ପରେ ଗୁଜରାଟରେ ୨୦୦୨ର ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ୍ର ଏକ ବଗିରେ ଅଗ୍ନିକାଣ୍ଡ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଓ ଦଙ୍ଗା ଦେଖାଦେଇଥିଲା। ଏହି ହିଂସାରେ ବହୁ ଲୋକ ପ୍ରାଣ ହରାଇଥିଲେ। ଏଥିରେ ମୁସଲିମ ସମ୍ପ୍ରଦାୟର ମୃତକଙ୍କ ସଂଖ୍ୟା ଅଧିକ ଥିଲା। ଏହି ଘଟଣା ଗୁଜରାଟ ଏବଂ ମୋଦିଙ୍କ ରାଜନୈତିକ ଯାତ୍ରାର ଏକ ବିବାଦୀୟ ଅଧ୍ୟାୟ ହୋଇ ରହିଛି। ପରବର୍ତ୍ତୀ ସମୟରେ ମୋଦି ସରକାର ରାଜ୍ୟରେ ଶିଳ୍ପ, ନିବେଶ, ଉଦ୍ୟମିତା ଓ ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦେଇଥିଲେ। ‘ଭାଇବ୍ରାଣ୍ଟ ଗୁଜରାଟ’ ଭଳି ନିବେଶ ସମ୍ମିଳନୀ ମାଧ୍ୟମରେ ଗୁଜରାଟକୁ ଏକ ନିବେଶ ଗନ୍ତବ୍ୟ ଭାବେ ପ୍ରଚାର କରାଯାଇଥିଲା।
ଗୁଜରାଟର ରାଜନୀତିରେ ଜାତିଭିତ୍ତିକ ସମୀକରଣର ମଧ୍ୟ ଦୀର୍ଘ ଇତିହାସ ରହିଛି। ମାଧବସିଂହ ସୋଲଙ୍କିଙ୍କ ସମୟରେ ‘KHAM’ ରାଜନୀତି ଚର୍ଚ୍ଚାରେ ଆସିଥିଲା। KHAMରେ କ୍ଷତ୍ରିୟ, ହରିଜନ, ଆଦିବାସୀ ଓ ମୁସଲିମ ସମୁଦାୟକୁ ନେଇ ଏକ ନିର୍ବାଚନୀ ସାମାଜିକ ସମୀକରଣ ଗଢ଼ିବାର ରଣନୀତି ରହିଥିଲା। ଏହି ସମୀକରଣ ଗୁଜରାଟର ରାଜନୀତିକୁ ଦୀର୍ଘ ସମୟ ପ୍ରଭାବିତ କରିଥିଲା। ଅନ୍ୟପଟେ ବ୍ୟବସାୟ ଓ ରାଜନୀତିରେ ପଟେଲ, ବଣିଆ ଓ ଅନ୍ୟ ପ୍ରଭାବଶାଳୀ ସମୁଦାୟଙ୍କ ଭୂମିକା ମଧ୍ୟ ରାଜ୍ୟର ରାଜନୈତିକ ସମୀକରଣର ଏକ ଅଂଶ ଥିଲା।
ଗୁଜରାଟରେ ଲଗାତାର ତିନିଟି ନିର୍ବାଚନରେ ଭାଜପାକୁ ନେତୃତ୍ୱ ଦେବା ପରେ ମୋଦିଙ୍କ ଜାତୀୟ ରାଜନୀତିରେ ଭୂମିକା ବଢ଼ିଥିଲା। ୨୦୧୩ରେ ଭାଜପା ତାଙ୍କୁ ୨୦୧୪ ଲୋକସଭା ନିର୍ବାଚନ ପାଇଁ ଦଳର ପ୍ରମୁଖ ଚେହେରା ଭାବେ ଆଗକୁ ଆଣିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଭାଜପା ନିଜସ୍ବ ବହୁମତ ହାସଲ କରିଥିଲା ଏବଂ ୨୦୧୪ ମେ ୨୬ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଏହାପରେ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଭାଜପା ମୋଦିଙ୍କ ନେତୃତ୍ୱରେ କ୍ଷମତାକୁ ଫେରିଥିଲା। ଏହା ସହ ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଏବଂ ଏହାପରେ ୨୦୧୪ରୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଦୀର୍ଘ ରାଜନୈତିକ ଯାତ୍ରା ଭାରତୀୟ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ତାଙ୍କ ସମର୍ଥକମାନେ ଏହାକୁ ଦୀର୍ଘସ୍ଥାୟୀ ନେତୃତ୍ୱ ଓ ରାଜନୈତିକ ସଫଳତାର ଉଦାହରଣ ବୋଲି ଦେଖୁଥିବା ବେଳେ, ତାଙ୍କ ଶାସନକାଳର ନୀତି ଓ ବିଭିନ୍ନ ଘଟଣାକୁ ନେଇ ବିରୋଧୀ ଦଳ ଓ ସମାଲୋଚକମାନେ ଭିନ୍ନ ମତ ରଖିଆସିଛନ୍ତି।
୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଆରମ୍ଭ ହୋଇଥିବା ମୋଦିଙ୍କ ରାଜନୈତିକ ଯାତ୍ରା ଏବେ ୨୫ ବର୍ଷରେ ପହଞ୍ଚିଛି। ଭାରତୀୟ ରାଜନୀତିରେ ଏତେ ଦୀର୍ଘ ସମୟ ଧରି କ୍ରମାଗତ ଭାବେ କ୍ଷମତାର ଶୀର୍ଷରେ ରହିବା ଏକ ଉଲ୍ଲେଖନୀୟ ରାଜନୈତିକ ଘଟଣା ଭାବେ ଚର୍ଚ୍ଚାରେ ରହିଛି।
Dharitri – Odisha’s No.1 Odia Daily

