ଖଳ କବଳରେ ଖଣିର ଖଜଣାଖାନା

ମାୟାଧର ନାୟକ

 

ଆନ୍ତର୍ଜାତିକ ମହାଜନି ମାଫିଆର କୂଟଚକ୍ରାନ୍ତରେ ଶାସନ ପ୍ରଶାସନର ମଧ୍ୟସ୍ଥତାରେ ଶିକାର ହେଉଛି ସାଧାରଣ ଜନତା। ଖଣିଜ ପଦାର୍ଥକୁ ସାମଗ୍ରୀରେ ପରିଣତ କରିବାର କାରିଗରି କୌଶଳଠାରୁ ଆଜି ଆମେ ଅପହଞ୍ଚ ଦୂରତ୍ୱରେ। ଏଥିପାଇଁ ଆବଶ୍ୟକ ବୈଷୟିକ, ବୈଜ୍ଞାନିକ ଜ୍ଞାନ ଓ ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ। ଏସବୁର ଅଭାବ ଅନୁଭୂତ ହେଉଥିବା ପର୍ଯ୍ୟନ୍ତ ଖଣିଜ ପଦାର୍ଥର ଭବିଷ୍ୟତ ଘୋର ଅନ୍ଧକାରରେ ରହିବ।
ପାଖାପାଖି ୫୦ପ୍ରକାର ଖଣିଜସମ୍ପଦ ସଭ୍ୟତାର ବିକାଶରେ ପ୍ରୟୋଜନ । ଏହି ଖଣି ପାଇଁ ସବୁ ଦେଶର ଧନଦାନବମାନେ ପାଗଳ । ପୃଥିବୀରୁ ଚନ୍ଦ୍ରକୁ ଯାଇ ଖଣିଜସମ୍ପଦ ଖୋଜୁଛନ୍ତି। ଅର୍ଥନୈତିକ ବିକାଶ ଓ ଜାତୀୟ ସୁରକ୍ଷା ପାଇଁ ଖଣିଜପଦାର୍ଥ କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ଆବଶ୍ୟକ। ଲୁହାପଥର, କ୍ରୋମାଇଟ୍‌, କୋଇଲା, ମାଙ୍ଗାନିଜ୍‌, ବକ୍‌ସାଇଟ୍‌, ହୀରା, ସୁନା, ମଣି, ମାଣିକ୍ୟ ପ୍ରମୁଖ ୩୨ ପ୍ରକାର ଏବଂ ଖଣିଜସମ୍ପଦ ଲିଥିୟମ, କୋବାଲ୍ଟ, ନିକେଲ୍‌, ଭାଣ୍ଡାଡିୟମ୍‌, ନିଓବିୟମ୍‌, ସେରାମନିୟମ, ଫେନିୟମ, ବେରିଲିୟମ, ଟାଣ୍ଟାଲିୟମ୍‌, ଷ୍ଟ୍ରୋଟିଲିୟମ୍‌, ଆଣ୍ଟିମନି, ବିସ୍‌ମୁଥ, କପର, ଗାଲିୟମ, ଗ୍ରାଫାଇଟ୍‌, ହାଫନିୟମ୍‌, ଇଣ୍ଡୁଏମ୍‌, ମୋଲିବେଭନିୟମ୍‌, ପ୍ଲାଟିନମ୍‌ ଗ୍ରୁପ୍‌, ଫସ୍‌ଫରସ୍‌ ୟିଙ୍ଗସ୍‌, ପଟାସ୍‌, ରେଆର ଇରଥିଏଲିମେଣ୍ଟ୍‌ସ, ସିଲିକନ୍‌, ଟେଲିଟୁରିୟମ୍‌, ଟିନ୍‌, ଟାଟାନିୟମ, ଟୁଙ୍ଗଷ୍ଟେନ୍‌ ଜିରାକୋନିୟମ, ସିଲେନିୟମ୍‌, କାଡମିୟମ୍‌ ପ୍ରଭୃତି ୩୦ ପ୍ରକାର ପାତାଳରେ କିମ୍ବା ପାହାଡ଼ପର୍ବତରେ ରହିଛି ।
ଏ ସମସ୍ତ ଖଣିଜସମ୍ପଦ ସକଳ ଭୂଭାଗରେ ବିଚ୍ଛୁରିତ। ପୃଥିବୀପୃଷ୍ଠରେ ଯିଏ ଯେଉଁଠି ଦେଶ ଗଢ଼ି ବସବାସ କରୁଛନ୍ତି, ସେ ଭୂଖଣ୍ଡଗତ ଖଣିଜ ସମ୍ପଦାବଳୀର ତ ସେଇ ସେଇ ଦେଶ ମାଲିକ । ଖଣିଜସମ୍ପଦ ଆମଦାନୀ-ରତ୍ପାନି କରାଯାଏ । ଏଇସବୁ ଖଣିଜସମ୍ପଦରୁ ଯେଉଁସବୁ ପଦାର୍ଥ ପ୍ରସ୍ତୁତ ହୁଏ, ତା’ ଅମୂଲମୂଲ । ଯାହା ପାଖରେ ଅର୍ଥ ସେ ହାତେଇନେଇ ବିଭିନ୍ନ ପଦାର୍ଥ ପ୍ରସ୍ତୁତ କରି ପୁଣି ଆମଦାନୀ କରି ଆଣିଥିବା ଦେଶକୁ ବି ବେଶ୍‌ ଚଢ଼ାଦରରେ ରତ୍ପାନି କରିବା ଦ୍ୱାରା ଆଖିବୁଜା ମୁନାଫା ଅର୍ଜିପାରେ । ସୁତରାଂ ଯିଏ ଯେତେ ବେଶି ମୁଣ୍ଡ ଖଟାଇଲା ସେଇ ଦେଶ ସେତେ ବେଶି ଲାଭ ହାତେଇପାରିଲା । ଯେଉଁମାନେ ମୁଣ୍ଡ ଖଟେଇ ପାରନ୍ତି ନାହିଁ, ସେମାନେ ଭାରତ ଭଳି ଖଣିଜ କଞ୍ଚାମାଲକୁ ବିକାବିକି କରନ୍ତି, ସେ ଦେଶର ଲୋକେ ହତଭାଗା । ଆମ ସରକାର ନିଜର ଅପହୃତ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟିହୀନତା ପାଇଁ ଦୁର୍ମୂଲ୍ୟ ଖଣିଜସମ୍ପଦକୁ ଖଣିରୁ ବାହାରକରି କଳକାରଖାନାରେ ବ୍ୟବହାର କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିବା ଆବଶ୍ୟକ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଖଣିଜସମ୍ପଦ ଯେନତେନ ପ୍ରକାରେଣ କାଢ଼ି ବସ୍ତାବସ୍ତା ଅର୍ଥ ସାଇତିବା ହେଲା ମୂଳଲକ୍ଷ୍ୟ।
ଏସିଆ ମହାଦେଶର କେବଳ ଓଡ଼ିଶାର ସୁକିନ୍ଦାରେ ୯୮% କ୍ରୋମପଥର ଅଛି। ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କାଜାକ୍‌ସ୍ତାନରେ ଗଚ୍ଛିତ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ। କ୍ରୋମର ବ୍ୟବହାର ସମ୍ପର୍କରେ କେବଳ ଓଡ଼ିଶାବାସୀ ନୁହନ୍ତି ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ। କ୍ରୋମ ପଥର ବିଶେଷଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସହାୟକ। ଇସ୍ପାତ ସହିତ ଏହାକୁ ମିଶ୍ରଣ କରାଯାଇ ଶକ୍ତିଶାଳୀ କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ। ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି, ସେଥିରେ କ୍ରୋମାଇଟ ହିଁ ମୁଖ୍ୟ ଅଂଶଗ୍ରହଣ କରେ। ବଲ୍‌ବ ବେରିଙ୍ଗଠାରୁ ଆରମ୍ଭକରି କ୍ରୋମ ମିଶ୍ରିତ ଇସ୍ପାତ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ।
ଦଧୀଚିର ଅସ୍ଥି- ଯାହାକୁ ନେଇ ବଜ୍ର। ଏ କ୍ରୋମାଇଟ ହେଉଛି କଳିକାଳର ଦଧୀଚି ହାଡ଼ – ଯାହାକୁ ନେଇ ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତି। ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା। ଏସୀୟ ରାଷ୍ଟ୍ର ଚାଇନା ଓ ଜାପାନ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟର ବହୁଳାଂଶ। ଲକ୍ଷ ଲକ୍ଷ ବର୍ଷ ଧରି ଆମ ମାଟି ତଳେ ଗଚ୍ଛିତ ମୂଲ୍ୟବାନ ଖଣିଜ ପଦାର୍ଥକୁ ବିଦେଶକୁ ଶାଗମାଛ ମୂଲ୍ୟରେ ବିକ୍ରି କରିଦେଉଛେ। ସୁକିନ୍ଦା ଉପତ୍ୟକାରେ ଯେତେ କ୍ରୋମାଇଟ ଅଛି ତାହାକୁ ବେପରୁଆ ଭାବେ ଉତ୍ତୋଳନ କରି ବିକ୍ରି କଲେ ଶେଷ ହୋଇଯିବ। ସେତେବେଳେ ସୁକିନ୍ଦା ଖଣି ଅଞ୍ଚଳ ‘ଭୂତଳ ଅଞ୍ଚଳ’ରେ ପରିଣତ ହେବ। ବର୍ମାରେ ଗଚ୍ଛିତ ଡିଜେଲ, ପେଟ୍ରୋଲ ଶେଷ ହୋଇଗଲା ପରେ ଯାହା ଅବସ୍ଥା ହେଲା, ସୁକିନ୍ଦା କ୍ରୋମାଇଟ ସରିଗଲେ କ’ଣ ହେବ ଏବେଠୁ କହିହେବନି।
କ୍ରୋମାଇଟ ଯଦି ମାଟି ଉପରେ ବାଲିଗୋଡ଼ି ଭଳି ଥୁଆ ହୋଇଥାନ୍ତା ତା’ହେଲେ ସେ କେବେଠୁଁ ଶେଷ ହୋଇସାରନ୍ତାଣି। କ୍ରୋମାଇଟ ଅଛି ସାତତଳ ପଙ୍କ ଭିତରେ । ଉପରେ ଜଙ୍ଗଲ, ଗଛ ମାଳମାଳ, ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର। କ୍ରୋମାଇଟ ବାହାର କରିବାକୁ ହେଲେ ଜଙ୍ଗଲ ଧ୍ୱଂସ କରିବାକୁ ହେବ, ଝରଣାର ଗତିପଥ ବଦଳାଇ ଦେବାକୁ ହେବ, ମାଟି କାଦୁଅ ଖୋଳିବାକୁ ହେବ, ଖଣିରେ ପାଣି ଭର୍ତ୍ତିହେଲେ ପାଣି କାଢ଼ି ନଈନାଳକୁ ଛାଡ଼ିବାକୁ ହେବ – ଏସବୁ ହେଲେ କ୍ରୋମାଇଟ ପଦାକୁ ଆସିବ। ସେହି କ୍ରୋମାଇଟକୁ ଧଳାକାଗଜ କଲମରେ ବିକିବେ, କଳାରେ ଦଶଗୁଣ ବିକିବେ। ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେଗୁଣ। ସେଇ ଲାଭ ଟଙ୍କାରୁ ପାଞ୍ଚ ଦଶ ଭାଗ ‘ଭୋଗ’ ବଣ୍ଟାରେ ଯିବ।
କୌଳିକତାହୀନ ଏବଂ ମୌଳିକତାହୀନ ଗୁଡ଼ାଏ ଅପଦାର୍ଥ ଏହି ଖଣିଜ ପଦାର୍ଥକୁ ଆତ୍ମସାତ୍‌ କରି ଆସନ୍ନ ଭବିଷ୍ୟତରେ ଯେଉଁ ଅମାପ ବିତ୍ତର ଅଧିକାରୀ ହେବାକୁ ଯାଉଛନ୍ତି ତାହା ସେମାନଙ୍କୁ ଜନଗଣଙ୍କର ପିଠିରେ ଚାବୁକ ଚଳାଇବାର ରାଜନୈତିକ ସାମର୍ଥ୍ୟ ପ୍ରଦାନ କରିବ ହିଁ କରିବ। କାରଣ ଆଜିର ପୌରୁଷ ବ୍ୟକ୍ତିତ୍ୱରେ ନାହିଁ , ଅଛି ବିତ୍ତରେ । ଧନ ଧଳା କି କଳା ହେଉ, ବାପଧନ ହେଉ କି ପାପଧନ ହେଉ, ବ୍ୟକ୍ତିତ୍ୱ ବର୍ଜିତ – ଅଥଚ ବିତ୍ତ ଅର୍ଜିତ ବ୍ୟକ୍ତିମାନଙ୍କ ଦ୍ୱାରା କବଳିତ ହେଲେ ସାରା ସମାଜ ପାଇଁ ଘୋର ଅଶୁଭ କାଳକୁ ନିମନ୍ତ୍ରଣ କରିଆଣିବ । ଖଣିଜ ସମ୍ପଦ ପ୍ରକୃତରେ ଜାତୀୟ ସମ୍ପତ୍ତି। ଏହି ଜାତୀୟ ସମ୍ପତ୍ତିକୁ କେଉଁ ନ୍ୟାୟରେ ବଣ୍ଟାକୁଣ୍ଟା କରି ଲିଜ୍‌ ମାଧ୍ୟମରେ ହେଉ କି ସୁପାରିସ୍‌ ଜରିଆରେ ହେଉ, ବ୍ୟକ୍ତି ସମ୍ପତ୍ତିରେ ପରିଣତ କରିବାରେ ବୀଭତ୍ସ ପ୍ରକ୍ରିୟା ଆଜି ତାରିଖ ସୁଦ୍ଧା ଜାରି ରହିଛି କିପରି ?
ପ୍ରାକୃତିକ ପ୍ରହରୀ ପରି ଯେଉଁ ଶହ ଶହ ବର୍ଷର ବୃକ୍ଷ- ଆଜି ସେମାନେ ଗୋଟାଏ ଗୋଟାଏ କାକୁସ୍ଥ କବନ୍ଧ ପରି ନିରୀହ ଦେଶବାସୀଙ୍କ ଆଖି ସାମ୍ନାରେ ଛିନ୍ନ ଓ ବିଚ୍ଛିନ୍ନ । ଏହା ଜାତୀୟ ଜୀବନର ସୁରକ୍ଷା ପ୍ରତି ଏକ ଅହିତକର ଅଭିଯାନର ଆରମ୍ଭ ମାତ୍ର, ଯାହା ଦିନେ ଆମର ଉତ୍ତରପିଢ଼ିକୁ ପାଉଁଶ ପୋଖରୀରେ ଉବୁଟୁବୁ ହୋଇ ଅଣନିଃଶ୍ୱାସୀ ଅବସ୍ଥାରେ ଶେଷ ଆଡକୁ ମୁହଁାଇନେବ ।
ପ୍ରକୃତରେ ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଏକ ଧନୀ ରାଜ୍ୟ, କିନ୍ତୁ ଓଡ଼ିଶାର ଖଣିଶ୍ରମିକମାନେ ସୀମାହୀନ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ। ଦେଶୀ ବିଦେଶୀ ଘରୋଇ ଶିଳ୍ପପତିମାନେ ଓଡ଼ିଶାକୁ ଚରାଭୂଇଁରେ ପରିଣତ କରିବା ପାଇଁ ସରକାରଠାରୁ ବିଭିନ୍ନ ଫନ୍ଦିଫିକର, କଳକୌଶଳ କରି ଖଣି ଲିଜ୍‌ ନେଇ ଖଣିଜ ସମ୍ପଦରୁ କୋଟି କୋଟି ଟଙ୍କା ଲାଭ ନେଇଯାଉଛନ୍ତି, କିନ୍ତୁ ଯେଉଁମାନେ ରକ୍ତ ନିଗାଡ଼ି ଖଣିରୁ କଞ୍ଚାମାଲ ବାହାର କଲେ ସେମାନଙ୍କ ସମସ୍ୟା ହଜାରେ ପ୍ରକାର । ଯାହାର ମାଟିତଳେ ଅଜସ୍ର ସମ୍ପଦ, ତା’ର ଝିଅପୁଅ ଦୀନଦରିଦ୍ର ଅବହେଳିତ କାହିଁକି? ମୁଁ କେବଳ ଅଦୂର ଭବିଷ୍ୟତର ଲକ୍ଷ କୋଟି ଦୁର୍ଗରେ ଆର୍ତ୍ତନାଦ ଶୁଣିପାରୁଥିବା ଦୁଃଖୀ ଦୁର୍ବାସା । କ୍ରନ୍ଦନରେ ମୋର ବିଶ୍ୱାସ ନାହିଁ । ବର୍ତ୍ତମାନର ଘନାୟମାନ ଘନଘଟାରୁ ଜାତିକୁ ରକ୍ଷାକରିବା ପାଇଁ ନୀତି ଓ ନୈତିକତାର ପୁନଃଜାଗରଣ ପ୍ରକ୍ରିୟାରେ ତୁରନ୍ତ ପଦକ୍ଷେପ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ବ ଯେପରି ନ ଘଟେ ।
ଯେଉଁମାନଙ୍କ ଲୁହଲହୁରେ ବିଦେଶ, ଦେଶ, ରାଜ୍ୟର ଅର୍ଥନୀତି ସମୃଦ୍ଧ ହୁଏ, ଶିଳ୍ପପତିମାନଙ୍କର ହିମାଳୟ ପର୍ବତ ସଦୃଶ ସମ୍ପତ୍ତି ବୃଦ୍ଧି ହୁଏ ସେହି ଶ୍ରମିକମାନଙ୍କ ବେଦନାକ୍ତ ଛବି ଦେଖୁଛି କିଏ ନା ତାଙ୍କ ଦୁଃଖ ବୁଝୁଛି କିଏ? ଦେଶକୁ ପାଉଁଶଗଦା କି ଜାତିକୁ ପାଳଭୂତ କରନାହିଁ । ମୁଷ୍ଟିମେୟ ମହାଜନର ମୁନାଫା ହୋଇପାରେ, ମାତ୍ର ଅଗଣିତ ମାମୁଲି ମଣିଷର ମୃତ୍ୟୁ ଅବଶ୍ୟମ୍ଭାବୀ । ଏ ମୃତ୍ୟୁର ସ୍ରୋତକୁ ଆଜିଠୁ ବାଧା ଦିଆ ନ ଗଲେ ଆସନ୍ତା କାଲି ହେବ ଆମ ପାଇଁ ଅକାଳ ସକାଳ ଘୋର ଦୁଃସକାଳ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?