ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ ଥିବା ମଗରମୁହାଁ ଝରଣା (ମଗୁରୁମା ନାଳ)ରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଝରଣା ଉପର ମୁଣ୍ଡ ପାହାଡ଼ରେ ରିଲ୍ସ କରୁଥିବା ବେଳେ ଅସାବଧାନତା କାରଣରୁ ପ୍ରାୟ ୨୦ ଫୁଟ ଉଚ୍ଚରୁ ଖସି ଜଣେ ମେଡିକାଲ କୋଚିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ଅନ୍ନପୂର୍ଣ୍ଣା ନଗରର ଓମ୍ ସାଇ ଶଙ୍କର ପଣ୍ଡା (୨୦) ବୋଲି ଜଣାପଡ଼ିଛି। ସେ ବ୍ରହ୍ମପୁରର ଏକ ନାମୀ କୋଚିଂ ଇନଷ୍ଟିଚ୍ୟୁଟରେ ମେଡିକାଲ କୋଚିଂ ନେଉଥିଲେ।
ସୂଚନା ଅନୁଯାୟୀ, ସାଇ ଶଙ୍କର ଓ ତାଙ୍କ ବାନ୍ଧବୀ ପୂର୍ବାହ୍ନ ପ୍ରାୟ ୧୦ଟାରେ ସ୍କୁଟି ଯୋଗେ ମା’ ବାଙ୍କେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ସେଠାରେ ଦର୍ଶନ କରିବା ସହ ଉଭୟେ ଫଟୋ ଓ ଭିଡିଓ ଉଠାଇବା ସହ ରିଲ୍ସ କରୁଥିବା ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟ ଓ ଦର୍ଶନାର୍ଥୀ ଦେଖିଥିଲେ। କିଛି ସମୟ ପରେ ଉଭୟେ ସ୍କୁଟିରେ ଫେରୁଥିବା ବେଳେ ଝରଣା ନିକଟରେ ଓହ୍ଲାଇ ଫଟୋ ଉଠାଇଥିଲେ। ନିକାଞ୍ଚନ ରାସ୍ତା କଡ଼ରେ ଥିବା ପାହାଡ଼ି ଝରଣା ପାଖରେ ସାଇ ଶଙ୍କର ରିଲ୍ସ କରୁଥିବା ବେଳେ ପଥର ଶିଉଳିରେ ଗୋଡ଼ ଖସିଯିବାରୁ ସେ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ।
ଘଟଣା ପରେ ବାନ୍ଧବୀ ଜଣକ ନିକଟସ୍ଥ ପିଲିକାଡିହ ଜନଜାତି ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପିଲିକାଡିହ ଓ ବାଟ ମହୁଲପଡ଼ା ଗାଁର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସାଇ ଶଙ୍କରଙ୍କ ପତ୍ତା ପାଇନଥିଲେ। ପରେ ସେମାନେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଗ୍ରାମ ମୁଖିଆ ରବୀନ୍ଦ୍ର ମଲ୍ଲିକଙ୍କୁ ସୂଚନା ଦେଇଥିଲେ। ରବୀନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ବାନ୍ଧବୀ ଜଣକ ସ୍କୁଟି ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଖବର ପାଇ ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ, ଏଏସ୍ଆଇ କହ୍ନେଇ ମିର୍ଦ୍ଧା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସାଇ ଶଙ୍କରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ପୋଲିସ ତାଙ୍କ ବ୍ୟାଗ ଓ ପରିଚୟ ପତ୍ର ଜବତ କରିଛି।
ଖବର ପାଇ ବି.ତୁରୁବୁଡ଼ି ସରପଞ୍ଚ ଲିଙ୍ଗରାଜ ଦୋରା ଏବଂ ମୃତକଙ୍କ ବାପା ସୁନୀଲ କୁମାର ପଣ୍ଡା ଓ ମା’ଙ୍କ ସମେତ ସମ୍ପର୍କୀୟମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସକାଳେ ପୁଅ କୋଚିଂ କ୍ଲାସକୁ ଯାଉଛି କହି ଘରୁ ବାହାରିଥିବା ଏବଂ ସେ ବାଙ୍କେଶ୍ୱରୀ ମନ୍ଦିର ଆସିଥିବା ନେଇ ସେମାନେ ଜାଣିନଥିବା ମା’ବାପା ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏନେଇ ସେମାନଙ୍କର କୌଣସି ଅଭିଯୋଗ ନଥିବା ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରାଯିବା ସହ ଅପମୃତ୍ୟୁ ମାମଲା ନଂ. ୫୬/୨୬ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ବାନ୍ଧବୀଙ୍କ ଫେରାର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।

