ନୂଆଦିଲ୍ଲୀ,୨୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୨୭ ତାରିଖରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ ରହିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଟେଷ୍ଟରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିନଥିଲା। ତେଣୁ ଦ୍ୱିତୀୟ ମ୍ୟାଚରୁ ସେମାନଙ୍କୁ ବାଦ ଦିଆଯାଇପାରେ। ଦ୍ୱିତୀୟ ଟେଷ୍ଟ ଜିତିବା ଲକ୍ଷ୍ୟରେ ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀର ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରେ କିଛି ବଡ଼ ପରିବର୍ତ୍ତନ କରିପାରନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଆଶା ଅନୁଯାୟୀ ରହିନଥିଲା। ପ୍ରସିଦ୍ଧ କୃଷ୍ଣା ୱେଲିଂଟନ ଟେଷ୍ଟର ପ୍ରଥମ ଇନିଂସ୍ରେ ମାତ୍ର ଗୋଟିଏ ଉଇକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ତାଙ୍କୁ ଦୁଇଟି ଉଇକେଟ୍ ମିଳିଥିଲା। ଏବେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ। ସିରାଜ ଜଣେ ଅଭିଜ୍ଞ ବୋଲର୍ ଏବଂ ଟେଷ୍ଟ କ୍ରିକେଟ୍ରେ ଭାରତ ପାଇଁ ଅନେକ ଥର ମ୍ୟାଚ ବିଜୟୀ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ ତାଙ୍କୁ ସୁଯୋଗ ନ ମିଳିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏବେ ପ୍ରସିଦ୍ଧଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ।
ଆଇସିସି ଟେଷ୍ଟ ଅଲ୍ରାଉଣ୍ଡର ରାଙ୍କିଂରେ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ସତ୍ତ୍ୱେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଜାଡେଜାଙ୍କ ପୂର୍ବରୁ ୱାଶିଂଟନ ସୁନ୍ଦରଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳିଥିଲା। ସୁନ୍ଦର ଏହି ମ୍ୟାଚରେ ମାତ୍ର ଗୋଟିଏ ଉଇକେଟ୍ ନେବା ସହ ୨୪ ରନ କରିଥିଲେ। ତାଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା। ତେଣୁ ଏବେ ତାଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାଦ ଦିଆଯାଇପାରେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଖେଳିବାର ସୁଯୋଗ ମିଳିପାରେ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ଆକାଶ ଦୀପ ଭଲ ବୋଲିଂ କରି ୩ଟି ଉଇକେଟ୍ ନେଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ସେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗୁରନୂର ବରାଡ ନେଟ୍ସରେ ଜୋରଦାର ଅଭ୍ୟାସ କରୁଛନ୍ତି। ତାଙ୍କୁ ବ୍ୟାଟିଂ ଅଭ୍ୟାସ କରିବାକୁ ମଧ୍ୟ କୁହାଯାଉଛି। ଆକାଶ ଦୀପ ମଧ୍ୟ ବ୍ୟାଟିଂରେ କିଛିଟା ଯୋଗଦାନ ଦେଇଥାନ୍ତି। ଏଭଳି ସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଆକାଶଙ୍କ ସ୍ଥାନରେ ଗୁରନୂରଙ୍କୁ ଖେଳିବାର ସୁଯୋଗ ମିଳିପାରେ।
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ
– ଯଶସ୍ବୀ ଜୟସ୍ବାଲ
– କେଏଲ ରାହୁଲ
– ଦେବଦତ୍ତ ପାଡିକଲ
– ଶୁଭମନ ଗିଲ (ଅଧିନାୟକ)
– ରିଷଭ ପନ୍ତ
– ରବୀନ୍ଦ୍ର ଜାଡେଜା
– ଧ୍ରୁବ ଜୁରେଲ
– ଅଂଶୁଲ କମ୍ବୋଜ
– ଗୁରନୂର ବରାଡ
– ମହମ୍ମଦ ସିରାଜ
– ଯଶପ୍ରୀତ ବୁମ୍ରା

