ନୂଆଦିଲ୍ଲୀ,୨୬ା୧୧: ୨୦୩୬ ଅଲିମ୍ପିକ୍ ଓ ପାରାଲିମ୍ପିକ୍ ଗେମ୍ସ ଆୟୋଜନ ପାଇଁ ଗୁରୁବାର ଅନ୍ଲାଇନ ମାଧ୍ୟମରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଫ୍ୟୁଚର ହୋଷ୍ଟ କମିଶନଙ୍କ ସମ୍ମୁଖରେ ଭାରତ ସମଗ୍ର ଦେଶରେ କ୍ରୀଡ଼ା ଭିତ୍ତିଭୂମିରେ ହୋଇଥିବା ଦ୍ରୁତ ବିକାଶ ଉପରେ ଆଧାରିତ ‘ଭିଜନ ଓ ପ୍ରସ୍ତାବିତ ରୋଡ୍ମ୍ୟାପ’ ଉପସ୍ଥାପନ କରିଛି। ୩୦ ମିନିଟ୍ ଲମ୍ବା ଉପସ୍ଥାପନା ପରେ ଗ୍ରାବର କିଟୋରୋଭିକ୍ଙ୍କ ନେତୃତ୍ୱାଧୀନ ୯ ଜଣିଆ ଫ୍ୟୁଚର ହୋଷ୍ଟ କମିଶନଙ୍କ ସହ ୨୦ ମିନିଟ୍ ଧରି ବିସ୍ତୃତ ଆଲୋଚନା ହୋଇଥିଲା।
‘ଏହି ଉପସ୍ଥାପନରେ ପ୍ରସ୍ତାବିତ ସହର ଅହମଦାବାଦ, କ୍ରୀଡ଼ାଭିତ୍ତିକ ଭିତ୍ତିଭୂମି ଓ ସହର, ରାଜ୍ୟ ଓ କେନ୍ଦ୍ର ଅଧିକାରୀଙ୍କଠାରୁ ଆଇଓଏ (ଭାରତୀୟ ଅଲିମ୍ପିକ୍ ଆସୋସିଏଶନ)ଠାରୁ ମିଳୁଥିବା ସମର୍ଥନ ସମେତ ଆୟୋଜକ ସହରର ପ୍ରସ୍ତୁତିକୁ ସାମିଲ କରାଯାଇଥିଲା।
ଏଥିରେ ମଜେର ଅନ୍ତର୍ଜାତୀୟ ସ୍ପୋର୍ଟିଂ ଇଭେଣ୍ଟ ଆୟୋଜନରେ ଭାରତର ଅଭିଜ୍ଞତା, ପ୍ରସ୍ତାବିତ ଭେନ୍ୟୁର ବିକାଶ ଯୋଜନା ଓ କ୍ରୀଡ଼ା ଆୟୋଜନ ପାଇଁ ଦୀର୍ଘକାଳୀନ ଦୃଷ୍ଟିକୋଣ ସାମିଲ ଥିଲା’ ବୋଲି ଆଇଓଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

