ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । କ୍ରିକେଟ୍ ଅଷ୍ଟ୍ରେଲିଆ (CA) ଅନାୟାଙ୍କୁ ନିଜ ଦେଶରେ କମ୍ୟୁନିଟି ଓ ପ୍ରିମିୟର ମହିଳା କ୍ରିକେଟ୍ ଖେଳିବା ପାଇଁ ଅନୁମତି ପ୍ରଦାନ କରିବା ସହ ଆବଶ୍ୟକୀୟ ନିୟମ ଓ ଟେଷ୍ଟୋଷ୍ଟେରୋନସ୍ତର ପୂରଣ କଲେ ଏଲିଟ୍ ମହିଳା କ୍ରିକେଟ୍ରେ ଖେଳିବା ପାଇଁ ରାସ୍ତା ଫିଟାଇଛି । ଏହି ନିଷ୍ପତ୍ତି ପରେ ଅନାୟା ଆଗାମୀ ଦିନରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ରେ ନିଜ ଭାଗିଦାରୀକୁ ନେଇ ଆଶା ବ୍ୟକ୍ତ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଦକ୍ଷିଣ ଆଫ୍ରିକାର ତାରକା ଅଲରାଉଣ୍ଡର ମାରିଜାନ୍ କାପ୍ ।
ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ପ୍ରମୁଖ ଖେଳାଳି ମାରିଜାନ୍ କାପ୍ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ଆଖ୍ୟା ଦେଇଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍ ସେୟାର କରି ସେ ଏହାକୁ ସମ୍ପୂର୍ଣ୍ଣ ଅସଙ୍ଗତ ଓ ହାସ୍ୟାସ୍ପଦ ବୋଲି କହିବା ସହ ଏପରି ଅନୁମତି ଆଦୌ ଦିଆଯିବା ଉଚିତ୍ ନୁହେଁ ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ସେ ୱିମେନ୍ସ ବିଗ୍ ବ୍ୟାଶ୍ ଲିଗ୍ (WBBL)କୁ ମଧ୍ୟ ଟ୍ୟାଗ୍ କରି ନିଜର କଡ଼ା ଆପତ୍ତି ଜଣାଇଛନ୍ତି, ଯେଉଁଠାରେ ଆଗାମୀ ଦିନରେ ଅନାୟା ଖେଳୁଥିବାର ନଜର ଆସିପାରନ୍ତି ।
Marizanne Kapp’s Instagram story on Anaya Bangar. pic.twitter.com/ofbDpVXYPi
— Mufaddal Vohra (@mufaddal_vohra) August 28, 2026
ଅନାୟା (ପୂର୍ବରୁ ଆର୍ଯ୍ୟନ୍) ଭାରତରେ ମୁମ୍ବାଇ ପାଇଁ ବାଳକ ବର୍ଗରେ କ୍ରିକେଟ୍ ଖେଳିସାରିଛନ୍ତି । ପରବର୍ତ୍ତୀ ସମୟରେ ସେ ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଓ ସର୍ଜରୀ ମାଧ୍ୟମରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଭାରତରେ ଟ୍ରାନ୍ସଜେଣ୍ଡର ଖେଳାଳିଙ୍କ ପାଇଁ ନିର୍ଦ୍ଦିଷ୍ଟ ନୀତି ନ ଥିବା ବେଳେ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନ୍ସିଲ (ICC) ପୁରୁଷ ଯୌବନାବସ୍ଥା ଦେଇ ଗତି କରିଥିବା ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ଆନ୍ତର୍ଜାତୀୟ ମହିଳା କ୍ରିକେଟ୍ ଖେଳିବା ଉପରେ ବ୍ୟାନ ଲଗାଇଛି । ମାତ୍ର କ୍ରିକେଟ୍ ଅଷ୍ଟ୍ରେଲିଆର ନିଜସ୍ବ ନୀତି ଅନୁସାରେ ନିର୍ଦ୍ଦିଷ୍ଟ ମେଡିକାଲ୍ ମାନଦଣ୍ଡ ପୂରଣ କରୁଥିବା ଟ୍ରାନ୍ସଜେଣ୍ଡର ଖେଳାଳିଙ୍କୁ ସର୍ତ୍ତମୂଳକ ଭାବେ ଖେଳିବାକୁ ସୁଯୋଗ ମିଳିଥାଏ ।
ବର୍ତ୍ତମାନ ସାରା ବିଶ୍ୱରେ ମହିଳା କ୍ରୀଡ଼ାରେ ଟ୍ରାନ୍ସଜେଣ୍ଡର କିମ୍ବା ଉଚ୍ଚ ଟେଷ୍ଟୋଷ୍ଟେରୋନ୍ ସ୍ତର ଥିବା ଆଥଲେଟ୍ମାନଙ୍କ ଅଂଶଗ୍ରହଣକୁ ନେଇ ଚର୍ଚ୍ଚା ଜାରି ରହିଛି । ପ୍ୟାରିସ୍ ଓଲିମ୍ପିକ୍ସରେ ଆଲଜେରିଆର ବକ୍ସର ଇମାନ ଖଲିଫ୍ଙ୍କ ଅଂଶଗ୍ରହଣକୁ ନେଇ ମଧ୍ୟ ସମାନ ପ୍ରକାରର ବିବାଦ ଦେଖାଦେଇଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆର ଏହି ନୂଆ ନିଷ୍ପତ୍ତି ଆଗାମୀ ଦିନରେ ମହିଳା କ୍ରିକେଟ୍ରେ ସମାନତା ଓ ପ୍ରତିଯୋଗିତାମୂଳକ ସୁରକ୍ଷାକୁ ନେଇ ଏକ ନୂଆ ବାଦବିବାଦକୁ ଆହୁରି ତୀବ୍ର କରିଛି ।

