ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ ତଳିଆ ଅଞ୍ଚଳ, ନଦୀନାଳ କୂଳିଆ ବାସିନ୍ଦା ଏବଂ କଚ୍ଚା ଘରେ ରହୁଥିବା ଲୋକଙ୍କ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଚେତନତା ସହ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଜଳସମ୍ପଦ ବିଭାଗ ଅଧୀନରେ ଥିବା ଭଞ୍ଜନଗର, ଡହ, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ସୁଦ୍ଧା ବିପଦ ସଙ୍କେତ ତଳେ ରହିଛି। ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନଙ୍କ ସୂଚନା ଅନୁଯାୟୀ, ଭଞ୍ଜନଗର ଜଳଭଣ୍ଡାରରେ ୮୩%, ଡହରେ ୫୬%, ସୋରଡ଼ାରେ ୮୪% ଏବଂ ବାଘୁଆ ଜଳଭଣ୍ଡାରରେ ୮୪% ଜଳ ମହଜୁଦ ରହିଛି।
ରାତିରେ ଅଧିକ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ କେନାଲ ଓ ନଦୀ ମାଧ୍ୟମରେ ଆଗୁଆ ଅତିରିକ୍ତ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ କୌଣସି ବିପଦଜନକ ସ୍ଥିତି ନଥିଲେ ହେଁ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି। ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ଓ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା ଆଜି ଆସିକା, ଶେରଗଡ଼, ଭଞ୍ଜନଗର, ବେଲଗୁଣ୍ଠା ଓ ଧରାକୋଟ ବ୍ଲକ୍ର ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ବିଶେଷକରି ମହାରାଜପୁର, ଜଗଦଲପୁର, ଟହଁର, କାଞ୍ଜିଆମା, ଗୁଡ଼ିସର ଓ ଭାଲିଆଗୁଡ଼ା ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ରହିବା, ପାନୀୟ ଜଳ, ବିଦ୍ୟୁତ୍, ପରିମଳ, ଖାଦ୍ୟ ଓ ଆଲୋକ ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
ବୟସ୍କ, ଶିଶୁ, ମହିଳା ଓ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ ପ୍ରଧାନ ଟୁଲିଆମାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, ବିଧାନସଭା ଚାଲିଥିବା ଯୋଗୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭୁବନେଶ୍ୱରରେ ଥିଲେ ସୁଦ୍ଧା ନିଜ ନିର୍ବାଚନମଣ୍ଡଳୀର ସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି। ସେ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତସ୍ତରର ଲୋକପ୍ରତିନିଧିମାନଙ୍କ ସହ ନିୟମିତ ଯୋଗାଯୋଗରେ ରହି ଅପଡେଟ୍ ନେଉଛନ୍ତି। ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

