ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି ଗ୍ରାମର କ୍ଷୀରସାଗର ପଟେଲଙ୍କ ପୁଅ କୁଳମଣି ପଟେଲ (୩୫)। ସୂଚନା ଅନୁଯାୟୀ, କୁଳମଣୀ ଚିଖିଲି ଗ୍ରାମ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ନିଜ ଗାଁ ଖଇରପାଲିକୁ ବାଇକ ଯୋଗେ ଫେରୁଥିଲେ। ଏହି ସମୟରେ ସାଲ୍ଲେପାଲି ପ୍ରକାଶର ରାସ୍ତା ମଝିରେ ଜଣେ ଚିନାବାଦାମ ଚାଷୀ ବିଲରୁ ଅମଳ ହୋଇଥିବା ଚିନାବାଦାମ ନେବା ପାଇଁ ଟ୍ରାକ୍ଟର ଟ୍ରଲିକୁ ରାସ୍ତାକଡ଼ରେ ରଖିଥିଲେ। ରାତି ହୋଇଯାଇଥିବାରୁ ରାସ୍ତାକଡ଼ରେ ଥିବା ଟ୍ରଲିଟି କୁଳମଣିଙ୍କ ନଜରକୁ ନ ଆସିବାରୁ ସେ ଟ୍ରଲିକୁ ପଛପଟୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଏକ ଘରୋଇ ଗାଡ଼ି ଯୋଗେ ତାଙ୍କୁ ନିକଟସ୍ଥ ଭୁକ୍ତା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଖଇରପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।
Dharitri – Odisha’s No.1 Odia Daily

