ତୁମୁଡ଼ିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡାରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ବାରାବଣ ଗ୍ରାମର ଗୁଦୁଗୁଦା ନାଳର ବାଦୀମୁଣ୍ଡା ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ପୂର୍ବାହ୍ନରେ ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାସ୍କାଗୁଡ଼ା ଗ୍ରାମର କିକିରା ମାଝୀ (୬୦)।
ମୃତକଙ୍କ ସ୍ତ୍ରୀ ଲଳିତା ମାଝୀଙ୍କ ଏତଲା ପ୍ରକାରେ, ଗତ ସୋମବାର ପୂର୍ବାହ୍ନରେ କିକିରା ଟାଙ୍ଗିଆ ଧରି ଘରୁ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ହେଲେ ମଧ୍ୟ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ସେ ବନ୍ଧୁବାନ୍ଧବ ଘରକୁ ଯାଇଥିବେ ଭାବି ପ୍ରଥମେ ଖୋଜାଖୋଜି କରି ନ ଥିଲେ। ମଙ୍ଗଳବାର ସକାଳୁ ମଧ୍ୟ ସେ ନ ଫେରିବାରୁ ପରିବାର ଓ ପାଖପଡ଼ିଶା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ବାରାବଣ ଗ୍ରାମର ଗୁଦୁଗୁଦା ନାଳ ପାଣିରେ ସେ ବୁଡ଼ି ରହିଥିବା ଖବର ପାଇ ପରିବାରବର୍ଗ ଓ ଗ୍ରାମବାସୀ ସେଠାରେ ପହଞ୍ଚି ବେଲଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଖବର ପାଇ ବେଲଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏନେଇ ଥାନାରେ କେସ୍ ନଂ ୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

