ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି କେଉଁ ଆଡ଼େ ନେଇଯାଇଥିବା ଅଭିଯୋଗ ହୋଇଥିଲା।ଏନେଇ ନାବାଳିକାଙ୍କ ପରିବାର ଲୋକେ ଗତ ଶୁକ୍ରବାର ପାଟପୁର ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୨୨୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।
ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ମୋବାଇଲ ଫୋନ୍ ନଂକୁ ଟ୍ରାକ କରି ଅପହୃତା ନାବାଳିକାଙ୍କୁ ଶେରଗଡ଼ରୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ନାବାଳକଙ୍କୁ ଉଠାଇ ଆଣିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ମନା କରିଦେଇଥିଲେ ।
ଏହାପରେ ବ୍ରହ୍ମପୁର ସିଡବ୍ଲ୍ୟୁସିରେ ତାଙ୍କୁ ହାଜର କରାଯିବା ପରେ ମାଜିଷ୍ଟ୍ରେଟଙ୍କ ଆଦେଶ ଅନୁଯାୟୀ ବ୍ରହ୍ମପୁର ସଖୀ ସେଣ୍ଟରରେ ତାଙ୍କୁ ଛାଡ଼ି ଦିଆଯାଇଛି। ଅଭିଯୁକ୍ତ ନାବାଳକଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସଏସ) ର ଧାରା -୩୫(୩) ଅନୁଯାୟୀ ବ୍ରହ୍ମପୁର ଜେଜେବିରେ ହାଜର ହେବାକୁ ସର୍ତ୍ତ ମୂଳକ ଭାବେ ପରିବାର ଲୋକଙ୍କ ଜିମାରେ ଛାଡି ଦିଆଯାଇଥିବା ଜଣାପଡ଼ିଛି। ନାବାଳିକା ଜଣକ ଅଭିଯୁକ୍ତ ନାବାଳକଙ୍କୁ ଭଲ ପାଉଥିଲେ। ଗତ ପ୍ରାୟ ୩ ଦିନ ପୂର୍ବେ ନାବାଳିକା ଜଣକ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ । ନାବାଳିକାଙ୍କ ସହମତିରେ ନାବାଳକ ଜଣକ ତାଙ୍କୁ ଶେରଗଡ଼ ନେଇ ସେଠାରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରଖିଥିଲେ। ତଦନ୍ତକାରୀ ଅଧିକାରୀ ମୋବାଇଲ ଟ୍ରାକିଂ କରି ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ଅଭିଯୁକ୍ତ ନାବାଳକଙ୍କୁ ଧରିବାରେ ସଫଳ ହୋଇଥିଲେ ।

