Posted inଫୁରସତ

ପଢ଼ନ୍ତୁ ‘ତେଲମରା ଉପାଖ୍ୟାନ’

ତେଲମରା ଅର୍ଥାତ୍‌ ଚାମଚାଗିରି ବଡ଼ ବିଚିତ୍ର କିସମର ବେମାର। ଏହି ଦୁରାରୋଗ୍ୟ ବେମାରରେ ଅଳ୍ପ ଅଧିକେ ସମସ୍ତେ ଆକ୍ରାନ୍ତ। ରୋଗ କ୍ରନିକ ହେଲେ ଆରୋଗ୍ୟ ହେବାଟା ମୁସ୍କିଲ। ଏମାନେ ନିଜ ମହାନ୍‌ ଭ୍ରମର ଦୁର୍ଲଭ ଉପଲବ୍ଧି ପାଇଁ ଏକ ବିଶେଷ ପ୍ରକାରର ମଞ୍ଜିରୁ ପ୍ରସ୍ତୁତ ତେଲକୁ ବ୍ୟବହାର କରନ୍ତି। ଏ ତେଲର ଚିକ୍କଣ ଗୁଣ ଏତେ ଅଧିକ ଯେ ବୁନ୍ଦାଏ ତେଲ ସମ୍ପୂର୍ଣ୍ଣ ଶରୀରକୁ ତୈଳାକ୍ତ କରିବା ସହ ଆଖପାଖରେ ଦେଖୁଥିବା ଶୁଣୁଥିବା ଲୋକର ମନକୁ ଚିକିଟା କରିଦିଏ ।

ଚାମଚାଗିରି ହେଉଛି ଏକ ବିଶେଷ କଳା। ଏଥିରେ ପାରଦର୍ଶିତା ପାଇଁ ସେମିତି ବେଶି ପ୍ରଶିକ୍ଷଣ ଦରକାର ନାହିଁ। ସରଳ ପ୍ରୟାସରୁ ଧୀରେ ଧୀରେ ଏକ ସ୍ବତନ୍ତ୍ର ସ୍ଥିତିକୁ ଉନ୍ନୀତ ହୋଇ ଜଣେ ନିଜକୁ ସର୍ବଶ୍ରେଷ୍ଠ ଚାମଚା ଭାବରେ ପ୍ରତିଷ୍ଠିତ କରିପାରେ। ଆଗ୍ରହ ଓ ଅଭ୍ୟାସ ରଖି ଭେଜାକୁ ପ୍ରସ୍ତୁତ ରଖିବା ଦରକାର। ଯେପରି ତୁମେ ନିଜ ଭିତରେ ଗଧକୁ ଏକ ବୁଦ୍ଧିମାନ ପ୍ରାଣୀ ବୋଲି କହିବାର କ୍ଷମତା, ଗୋରୁକୁ ଗୁରୁ,ଗୁରୁକୁ ମହାଗୁରୁ, ମହାଗୁରୁକୁ ବିଶ୍ୱଗୁରୁ ବୋଲି ପ୍ରମାଣ କରେଇବାର ସ୍ବତନ୍ତ୍ର ଦକ୍ଷତା ବୃଦ୍ଧି କରିବାକୁ ହେବ ।

କହୁଛି ‘ମୁଣ୍ଡେ ମୁଣ୍ଡେ ମତି ଭିନ୍ନା, ତୁଣ୍ଡେ ତୁଣ୍ଡେ ସରସ୍ବତୀ ।’ ସେହିପରି ଚାମଚାମାନଙ୍କ ଭିତରେ ଅନେକ ବିବିଧତା ଦେଖିବାକୁ ମିଳେ । ନିଜ ନିଜ ଶୈଳୀରେ ତେଲ ମାରିବାରେ ଭିନ୍ନତା ଓ ଲୋକ ଦେଖି ତେଲର ଭାଗମାପରେ ପରିବର୍ତ୍ତନ କରିପାରିବାର ସ୍ବତନ୍ତ୍ର କଳା ଏମାନଙ୍କୁ ଜଣା ।

ମହାନ୍‌ ଗ୍ରନ୍ଥମାନଙ୍କରେ ମାନବୀୟ ଗୁଣକୁ ନେଇ ଅନେକ ବ୍ୟାଖ୍ୟା କରାଯାଇଛି । କିନ୍ତୁ ଯେଉଁ ସର୍ବକାଳୀନ ମହାନ୍‌ ଗୁଣ ବିଷୟରେ ଉହ୍ୟ ରଖାଯାଇଛି ତାହାହେଲା ତେଲମରା ଗୁଣ । ଏହି ଗୁଣଧାରୀ ଲୋକର ସାନ୍ନିଧ୍ୟ ମିଳିଲେ ମନକୁ ସନ୍ତୋଷ ମିଳିବା ସହ ଜୀବନ ଆନନ୍ଦମୟ ହୋଇ ଉଠେ। ଏମାନଙ୍କ କଣ୍ଠରେ ସରସ୍ବତୀ ବିରାଜି ଥାନ୍ତି। ହୀନମନ୍ୟତାର ଦୁଃଖକୁ ଲାଘବ କରି ମଣିଷ ଭିତରେ ଦେବତା ହୋଇଯିବାର ଭାବ କେବଳ ଏହି ଗୁଣଧାରୀ ଲୋକ ଦେଇପାରନ୍ତି ।

ଜଗତରେ ଦୃଶ୍ୟମାନ ହେଉଥିବା ଚାମଚାମାନେ ଟିକେ ଭିନ୍ନ କାଟରର । ଏମାନଙ୍କ ସମ୍ବୋଧନରେ (ସମ୍ଭାଷଣ ?) ପ୍ରିୟ କବି, ପ୍ରିୟ ଲେଖକ, ପ୍ରିୟ ପ୍ରାବନ୍ଧିକ, ପ୍ରିୟ ବ୍ୟକ୍ତିତ୍ୱ ଆଦି ବ୍ୟବହୃତ ହୁଏ । ଏହି ଛୋଟ ଓ ସରଳ ମନେହେଉଥିବା ବାକ୍ୟରେ ତେଲମରା ଯୁଗର ସବୁ ଭେରାଇଟିର ତୈଳ ଦେଖିବାକୁ ମିଳେ । ଥରେ ଗୋଟେ ସାହିତ୍ୟ ସଭାରେ ଜଣେ ପ୍ରାପ୍ତ ବୟସ୍କ କବୟିତ୍ରୀଙ୍କୁ ଭେଟିଲି । ସେ ବୁଲି ବୁଲି ସଭାରେ ଉପସ୍ଥିତ ଅନ୍ୟ ବୟସ୍କ ଲେଖକମାନଙ୍କୁ କାହାକୁ ପ୍ରିୟ କବି ତ କାହାକୁ ପ୍ରିୟ ଗାଳ୍ପିକ ବୋଲି ସମ୍ବୋଧନ କରି ସେଲ୍ଫି ନେଉଥାନ୍ତି । ମୋର ସବୁଠୁ ପ୍ରିୟ ସଭାପର ଭୋଜନ କାର୍ଯ୍ୟକ୍ରମ ପାଇଁ ଅପେକ୍ଷାରତ ଥିଲା ବେଳେ ମୋ ପାଖକୁ ଆସି କହିଲେ, ଆପଣ ମୋର ପ୍ରିୟ ବ୍ୟଙ୍ଗକାର । ଆପଣଙ୍କୁ ପଢି ପଢି ବଡ଼ ହୋଇଛି । ତାଙ୍କ କଥା ଶୁଣି ମୁଁ ଥରେ ନିଜକୁ ଓ ଥରେ ତାଙ୍କୁ ଦେଖିଲି । ମୋର ବୟସ କମ୍‌ ନୁହେଁ କିନ୍ତୁ ଏତେ ଅଧିକ ବି ନୁହଁ । ଏମିତିରେ ମୋ ଲେଖକୀୟ ଇତିହାସ ସେମିତି ବେଶି ଲମ୍ବା ମଧ୍ୟ ନୁହେଁ । କିଛି ଭୁଲ୍‌ ଶୁଣିଲି ଭାବି ତାଙ୍କୁ କହିଲି, ଆପଣ ବୋଧେ ମୋତେ ଦେଖି ଦେଖି ବଡ଼ ହୋଇଛନ୍ତି ବୋଲି କହିବାକୁ ଚାହୁଁଛନ୍ତି । ମୋ କଥା ଶୁଣି କବୟିତ୍ରୀ ଜଣକ ସାମାନ୍ୟ ଲାଜେଇ କହିଲେ, ନା ନା ଆପଣଙ୍କୁ ପଢ଼ିବା କଥା କହୁଥିଲି । ମୁଁ ଶୂନ୍ୟକୁ ଅନେଇ ମନେ ମନେ ଭଗବାନଙ୍କୁ କହିଲି, ହେ ଲୀଳାଧାରୀ ଏ କି ଅପୂର୍ବ ଲୀଳା ତୁମର । ଜଣେ ମୋତେ ପଢି ପଢି ବଡ଼ ହେଇଗଲାଣି ଅଥଚ ମୁଁ ଲେଖି ଲେଖି ବଡ଼ ହେବା ଦୂରେ ଥାଉ ଏଯାଏ ସାମାନ୍ୟ ଲେଖକର ପରିଚୟ ଟିକକ ବି ମିଳିଲା ନାହିଁ । ଏମାନଙ୍କୁ ଦୋଷ ଦେଇ ଲାଭ କିଛି ନାହିଁ !

ସାହିତ୍ୟର ଇତିହାସ କହୁଛି ଅନେକ ଆଦ୍ୟ ସ୍ମରଣୀୟ ଲେଖକ ଚାମଚାଗିରି କରିବାକୁ ବାଧ୍ୟ ହେଉଥିଲେ । ରାଜାଙ୍କ ଦରବାରରେ ରାଜାଙ୍କ ସ୍ତୁତି ଗାନ କରିବାକୁ ଏହିମାନଙ୍କୁ ଭାଟ ଭାବେ ନିଯୁକ୍ତି ମିଳୁଥିଲା । ରାଜାଙ୍କ ସବୁ କାମକୁ ମହିମାମଣ୍ଡିତ କରି ଗୀତ ରଚନା କରି ରାଜାଙ୍କ ଠାରୁ ପଦ ପଦବୀ ଓ ଆର୍ଥିକ ପୁରସ୍କାର ପାଉଥିଲେ। ଇଂରେଜମାନଙ୍କୁ ତେଲମାରି ଅନେକ ଚାମଚା ଭୂସମ୍ପତ୍ତି ସହ କିଛି ବିଶେଷ ଉପାଧି ପାଇଥିବା ନଜିର ଅଛି । ତେଣୁ ଆଜି ଯଦି କେଉଁ ଚାଟୁକାରକୁ କୌଣସି ସାହିତ୍ୟିକଙ୍କୁ ଅହେତୁକ ତେଲ ମାରିବା ଦେଖେ ସେତେବେଳେ ମୁଁ ଜାଣିନିଏ ଏ ଲେଖକ ଅତିଶୀଘ୍ର ପ୍ରସିଦ୍ଧି ପାଇବା ପାଇଁ ଠିକ ରାସ୍ତାରେ ଆଗଉଛି ।

ଏମିତି ଏକ ପ୍ରାଣୀ ଯାହାଙ୍କୁ ସମସ୍ତେ ଭଲ ପାଆନ୍ତି । ସମସ୍ତେ ଚାହାନ୍ତି ତାଙ୍କ ଆଖ ପାଖରେ ଗୁଡ଼ାଏ ଚାମଚା ତାଙ୍କୁ ଘେରି ରହିଥାନ୍ତୁ। ସତରେ ଚାମଚାବିହୀନ ଜୀବନ ଭାରି ନିରସିଆ ଜୀବନ । ନିଜର ବାହାବା ଶୁଣିବାକୁ କାହାକୁ ବା ଭଲ ନ ଲାଗେ ! ତାରିଫ କରୁଥିବା ଲୋକ ମିଛ କହିବ କାହିଁ ଭାବି ତେଲ ଘଷି ହେଉଥିବା ଲୋକଟି ଭିତରେ ଭିତରେ କୁରୁଳୁ ଥାଏ । ଧର୍ମଗ୍ରନ୍ଥମାନ ଦେଖିଲେ ଜାଣିବେ କେବଳ ମାନବ ନୁହନ୍ତି ଖୋଦ ଈଶ୍ୱରଙ୍କ ଚାରିପାଖରେ ଅନେକ ଚାମଚା ଦେବତା ରହୁଥିଲେ । ସେମାନେ ପ୍ରଭୁଙ୍କ ମହିମା ଗାନ କରି ପ୍ରତିବଦଳରେ ପ୍ରଭୁଙ୍କଠାରୁ ବର ମାଗିନେଉଥିଲେ । ପ୍ରଭୁଙ୍କ ଯାବତୀୟ ନୀତି ଅନୀତି କାମକୁ ଉଚିତ ବୋଲି ଯୁକ୍ତିଦ୍ୱାରା ବୁଝେଇବା ଏମାନଙ୍କ କାମ । ସବୁ ଓଷା ବ୍ରତ କଥା ଦେଖିଲେ ଜାଣିହେବ ମହିମା ପ୍ରଚାର ହେଲେ ସବୁ ଠାକୁର ଠାକୁରାଣୀ କେତେ ଖୁସି ହୁଅନ୍ତି । ଭକ୍ତ ନିଜ ମନ ଅନୁଯାୟୀ ବରପ୍ରାପ୍ତ ହୁଏ ।
ଚାମଚା ଅଛନ୍ତି ତାଙ୍କୁ ନିରପେକ୍ଷ ଚାମଚା କୁହନ୍ତି । ଏମାନେ ଏ ଘରେ ମାଉସୀ ସେ ଘରେ ପିଉସୀ ଭୂମିକା ନିଭାନ୍ତି । ଏକ ସଙ୍ଗରେ ଦୁଇ ପ୍ରତିପକ୍ଷଙ୍କୁ ତେଲମାରିପାରିବାର ବିଶେଷ କଳା ଏମାନଙ୍କୁ ଜଣା ।

ନେତାଙ୍କ ଚାମଚା ଅଧିକ ସେ ସେତେବଡ଼ ନେତା । ପିଅନ କ୍ଲର୍କଙ୍କ, କ୍ଲର୍କ ହେଡ୍‌ କ୍ଲର୍କଙ୍କ, ହେଡ୍‌ କ୍ଲର୍କ ମ୍ୟାନେଜରଙ୍କ, ମ୍ୟାନେଜର ମାଲିକଙ୍କ ଏହିଭଳି ଚାମଚାଗିରିର ଏକ ସୋପାନ ଅଛି । ଜଣଙ୍କୁ ଏହି ସିଡି ଦେଇ ଉପରକୁ ଉଠିବାକୁ ହୁଏ । ଯଦି ଆପଣଙ୍କ ପାଖରେ ଭଲ କ୍ୱାଲିଟିର ଅରିଜିନାଲ ତେଲ ଅଛି ତେବେ ବିଶେଷ କ୍ଷେତ୍ରରେ ଏକ ସଙ୍ଗେ ଉନ୍ନତିର ଦୁଇ ତିନିଟି ସୋପାନ ଡେଇଁଯିବା ବଡ଼ କଥା ନୁହେଁ ।

ଗୋଟେ ଗୋଟେ ଅଫିସରେ ଏପରି କିଛି ଚାମଚା ଥାନ୍ତି ଯେଉଁମାନେ କାଳଜୟୀ । ଅର୍ଥାତ ଯେ କୌଣସି ଅଧିକାରୀ ଆସିଲେ ବି ଅତିଶୀଘ୍ର ତାଙ୍କୁ ବଶୀକରଣ କରିବାରେ ସେମାନଙ୍କୁ ଅସୁବିଧା ହୁଏନି । ଥରେ ଅଫିସରେ ଜଣେ ନୂଆ ଅଫିସର ଆସିଲେ । ସେ କୌଣସି ଚାମଚାଗିରିକୁ ପସନ୍ଦ କରନ୍ତି ନାହିଁ । ଅଫିସର ସବୁଠୁ ବଡ଼ ତେଲମରା ବଡ଼ବାବୁ ତାଙ୍କୁ କହିଲେ ମୋର ସମୁଦାୟ ଚାକିରି ଜୀବନ ଭିତରେ ଆପଣଙ୍କ ଭଳି ଜଣେ ମାତ୍ର ଅଫିସରଙ୍କୁ ଦେଖିଲି, ଯିଏ ଚାମଚାଗିରିକୁ ପସନ୍ଦ କରନ୍ତି ନାହିଁ । ଅଫିସର ଖୁସି ହୋଇଗଲେ । ତା’ପରଠାରୁ ବଡ଼ବାବୁ ଅଫିସରଙ୍କ ଏକାନ୍ତ ବିଶ୍ୱସ୍ତ ଲୋକ ହୋଇଗଲେ ।

ଗଣମାଧ୍ୟମ ବା ମିଡିଆକୁ ଦେଖିଲେ ଲାଗୁଛି ଚାମଚାଗିରିର ସବୁ ରେଖା ଏମାନେ ପାର କରିସାରିଲେଣି । ଜଣେ କେହି କହୁଥିଲେ, ଆଗଭଳି ଏବେ ସରକାରୀ ନେତାମାନେ ଆଉ ସାମ୍ବାଦିକ ସମ୍ମିଳନୀ କରୁନାହାନ୍ତି । କିହୋ ବାବୁ ମିଡିଆ ଭଳି ମୁଖର, କର୍ମଠ ତଥା ବିଶ୍ୱସ୍ତ ମୁଖପାତ୍ର ଥାଉ ଥାଉ ଅଯଥା ରାଜକୋଷରୁ ଖର୍ଚ୍ଚ କରି ସାମ୍ବାଦିକ ସମ୍ମିଳନୀ କାହିଁକି ବା ଡାକିବେ । ଆଉ ଯଦି ବା ଡାକିବେ ତେବେ ଅଧିକ କ’ଣ କହିବେ ଯାହା ମିଡିଆ ଜାଣିନି । ନେତା ଯାହା ଆସନ୍ତାକାଲି ଚିନ୍ତା କରିବେ ମିଡିଆ ତାକୁ ଆଜି ପ୍ରଚାର କରିସାରିଲେଣି । ସ୍ତୁତିଗାନ କରୁ କରୁ ଅନେକ ସମୟରେ ଭାବପ୍ରବଣ ହୋଇ ଏମିତି କିଛି କହିଦେଉଛନ୍ତି ଯେ ଖୋଦ ନେତା ନିଜେ ଭାବୁଥିବେ ସତରେ କ’ଣ ମୁଁ ଏତେ ଭଲ!! ବିଜ୍ଞାପନ ସର୍ବସ୍ବ ଗଣମାଧ୍ୟମ, ପ୍ରଚାର ସର୍ବସ୍ବ ସରକାର ଓ ସ୍ତୁତିଗାନ ସର୍ବସ୍ବ ଚାମଚା ଯେତେଦିନ ପର୍ଯ୍ୟନ୍ତ ନିଜ ନିଜ କାମକୁ ନିଷ୍ଠାର ସହ କରୁଥିବେ ସେତେଦିନ ପର୍ଯ୍ୟନ୍ତ ଦେଶ ବିକାଶ ରାସ୍ତାରେ ଦୌଡୁଛି ବୋଲି ଧରିନେବାକୁ ହେବ ।

କେବଳ ନେତା, ଅଫିସ କିମ୍ବା ବ୍ୟବସାୟ ଭିତରେ ସୀମିତ ନାହିଁ । ଏହା ଅତ୍ର ତତ୍ର ସର୍ବତ୍ର ବ୍ୟାପ୍ତ । ପ୍ରେମିକ ପ୍ରେମିକାର ଚାମଚା ହେବା ସାଧାରଣ ଶୁଣା କଥା । ସୁଖୀ ଦାମ୍ପତ୍ୟ ପାଇଁ ଗୃହପତିକୁ ଅନେକ ସମୟରେ ଗୃହଲକ୍ଷ୍ମୀଙ୍କ ଚାମଚା ହେବାକୁ ପଡ଼େ ।
ଏପରି ଏକ ପ୍ରାଣୀ, ଯିଏ ପୃଥିବୀର ଯେ କୌଣସି ପ୍ରକାରର ଜଳବାୟୁରେ ବଢି ପାରନ୍ତି । ନିରୀକ୍ଷଣରୁ ଜଣାପଡେ ଆମେ ସମସ୍ତେ ଏହି ଲୌକିକ, ମାନବୀୟ ତଥା ଚମତ୍କାରୀ ଗୁଣରେ ପ୍ରଭାବିତ । ଆମେ ସମସ୍ତେ ଆମ ଲକ୍ଷ୍ୟରେ ହେଉ କି ଅଲକ୍ଷ୍ୟରେ କାହାର ନା କାହାର ଚାମଚାଗିରି କରୁଛୁ। ସେଇଥିପାଇଁ ତ ଅକ୍ଷୟ ମହାନ୍ତି ଗାଇଥିବା ଗୀତଟି ଭାରି ଲୋକପ୍ରିୟ ।
ଦାସ କହେରେ ଭାଇ କଥା ଏ ବଡ଼ ସଚ୍ଚା, ଏ ଦୁନିଆରେ କେହି ନା କେହି କାହାର ତ ଚାମଚା ।
ବନମାଳୀ ଭବନ, ଖାନନଗର, କଟକ
ମୋ.: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?