ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚରେଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ ଦମଦାର ପ୍ରଦର୍ଶନ କରିବା ପରେ ବ୍ୟାଟିଂରେ ମଧ୍ୟ ଦବଦବା ଦେଖାଇଥିଲା ଭାରତୀୟ ଦଳ। ମ୍ୟାଚରେ ଭାରତ ଆଗରେ ଥିବା ସତ୍ତ୍ୱେ ଶେଷରେ ମ୍ୟାଚ ଡ୍ର’ ରହିଥିଲା। ପଞ୍ଚମ ଦିନର ଖେଳ ଶେଷ ହେବାକୁ ୧୫ ଓଭର ବାକି ଥିବାବେଳେ ଶୁଭମନ ଗିଲ ହାତ ମିଳାଇ ମ୍ୟାଚ ଡ୍ର’ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଗିଲଙ୍କ ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଆର୍ ଅଶ୍ୱିନ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।
ପଞ୍ଚମ ଦିନରେ ମ୍ୟାଚ ଡ୍ର’ ଆଡ଼କୁ ଗତି କରୁଥିଲା। ଖେଳ ଶେଷ ହେବାକୁ ଆଉ ୧୫ ଓଭର ବାକି ଥିବାବେଳେ ନ୍ୟୁଜିଲାଣ୍ଡ ୫ଟି ଉଇକେଟ୍ ହରାଇଥିଲା। ଗ୍ଲେନ ଫିଲିପ୍ସ ଓ ଡାରିଲ ମିଚେଲଙ୍କ ମଧ୍ୟରୁ ଯଦି ଆଉ ଜଣେ ଆଉଟ ହୋଇଥାନ୍ତେ, ତେବେ ନ୍ୟୁଜିଲାଣ୍ଡର ଟେଲଏଣ୍ଡର ବ୍ୟାଟରମାନେ ବ୍ୟାଟିଂ କରିବାକୁ ଆସିଥାନ୍ତେ। ଏହାପରେ ଭାରତ ପାଇଁ ମ୍ୟାଚ ଜିତିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିଥାନ୍ତା। ହେଲେ ଏହା ସତ୍ତ୍ୱେ ଶୁଭମନ ଗିଲ ହାତ ମିଳାଇ ମ୍ୟାଚ ଡ୍ର’ କରିବାକୁ ନିଷ୍ପତ୍ତି ନେଇଥିଲେ।
ଆର୍ ଅଶ୍ୱିନ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଅଶ୍ୱିନଙ୍କ ମତରେ, ଭାରତ ଏହି ଟେଷ୍ଟ ମ୍ୟାଚରେ ଦବଦବା ଦେଖାଇଥିଲା। ତେଣୁ ଶେଷ ପର୍ଯ୍ୟନ୍ତ ଖେଳି ବିଜୟ ହାସଲ କରିବାକୁ ଚେଷ୍ଟା କରିବା ଉଚିତ ଥିଲା।
ପୂର୍ବତନ ଭାରତୀୟ ସ୍ପିନର ଅଶ୍ୱିନ କହିଛନ୍ତି, ଆମେ ଏହି ଟେଷ୍ଟ ମ୍ୟାଚରେ ଦବଦବା ଦେଖାଇଛୁ, କିନ୍ତୁ ସେମାନଙ୍କୁ ହରାଇ ପାରିଲୁ ନାହିଁ। ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାରୁ କେହି ଆମକୁ ପଏଣ୍ଟ ଦେବେ ନାହିଁ। ପଏଣ୍ଟ କେବଳ ବିଜୟରୁ ମିଳିଥାଏ। ଲୋକେ କହିବେ ଯେ ଆପଣ ଭଲ ଟେଷ୍ଟ ମ୍ୟାଚ ଖେଳିଛନ୍ତି। କିନ୍ତୁ ଆପଣ ୨୦ଟି ଉଇକେଟ୍ ନେଇପାରିଲେ ନାହିଁ। ଭଲ କ୍ରିକେଟ ଖେଳିବା ପାଇଁ କୌଣସି ପଏଣ୍ଟ ମିଳେ ନାହିଁ। ବିଶେଷ କରି ଯେତେବେଳେ ନ୍ୟୁଜିଲାଣ୍ଡ ଦଳ WTC ପଏଣ୍ଟ ଟେବୁଲରେ ଆମଠାରୁ ଉପରେ ରହିଛି। ସେମାନଙ୍କୁ ଚାପରେ ରଖିବା ସତ୍ତ୍ୱେ ଆମେ ପଛକୁ ହଟିଗଲୁ। ଏଥିପାଇଁ ଆମେ ନିଜ ଉପରେ ରାଗିବା ଉଚିତ। ମୋର ଏହା ହିଁ ମତ।
କେବଳ ଆର୍ ଅଶ୍ୱିନ ନୁହନ୍ତି, ପୂର୍ବତନ ଭାରତୀୟ ଅଧିନାୟକ କ୍ରିସ ଶ୍ରୀକାନ୍ତ ମଧ୍ୟ ଖେଳ ଶେଷ ହେବାର ବହୁ ପୂର୍ବରୁ ମ୍ୟାଚ ଡ୍ର’ କରିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।
ପ୍ରେସ କନ୍ଫରେନ୍ସରେ ଶୁଭମନ ଗିଲ କହିଥିଲେ ଯେ ତାଙ୍କ ବୋଲରମାନେ ଥକି ଯାଇଥିଲେ। ଏହି କାରଣରୁ ସେ ମ୍ୟାଚ ଡ୍ର’ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଶ୍ରୀକାନ୍ତ କହିଛନ୍ତି, ସେମାନେ ଗୋଟିଏ ଘଣ୍ଟା ପୂର୍ବରୁ କାହିଁକି ହାତ ମିଳାଇଦେଲେ? ଗୋଟିଏ ଘଣ୍ଟା ମଧ୍ୟରେ ଆପଣ ୫ଟି ଉଇକେଟ୍ ନେଇପାରିବେ ନାହିଁ କି? ମୁଁ ଆଉ ଗୋଟିଏ ଘଣ୍ଟା ଖେଳ ଜାରି ରଖିଥାନ୍ତି। ଆପଣଙ୍କ ବୋଲରମାନେ ନିଶ୍ଚିତ ଭାବେ ଥକି ଯାଇଥିବେ, କିନ୍ତୁ ଆପଣ ବିଜୟର ନିକଟତର ଥିଲେ। ଯଦି ଆଉ ଗୋଟିଏ ଉଇକେଟ୍ ନେଇଥାନ୍ତେ, ତେବେ ନ୍ୟୁଜିଲାଣ୍ଡ ପାଖରେ କେବଳ ଟେଲଏଣ୍ଡର ବ୍ୟାଟରମାନେ ହିଁ ରହିଥାନ୍ତେ। ସେଥିପାଇଁ ମ୍ୟାଚ ଡ୍ର’ କରିବା ପାଇଁ ହାତ ମିଳାଇବାର ନିଷ୍ପତ୍ତି ମୋତେ ବୁଝାପଡ଼ିଲା ନାହିଁ।

