ଭାରତର ମହାନ୍‌ ପରମାଣୁ ପରୀକ୍ଷଣ

ବିଗତ ୧୯୯୮ ମସିହା ମେ ୧୧ ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ। ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ରାଜସ୍ଥାନର ପୋଖରାନ ମରୁଭୂମିରେ ପରପର କରି ସମୁଦାୟ ତିନୋଟି ପରମାଣୁ ବୋମା ପରୀକ୍ଷା କରିଥିଲା। ପ୍ରଥମ ପରୀକ୍ଷାଟି ଏକ ବିଖଣ୍ଡନଶୀଳ (Fission) ବୋମା ଥିଲାବେଳେ ଅନ୍ୟ ଦୁଇଟି ପରୀକ୍ଷା ସଂଯୋଜନଶୀଳ (Fusion) ଉପକରଣ ଥିଲା। ଏହି ପରମାଣୁ ପରୀକ୍ଷାର ଗୁପ୍ତ ନାମ ଥିଲା ‘ଅପରେଶନ ଶକ୍ତି’। ଏହି ପ୍ରଯୁକ୍ତିଗତ ଉପଲବ୍ଧି ସହିତ ଭାରତ ବିଶ୍ୱର ଷଷ୍ଠ ରାଷ୍ଟ୍ର ରୂପେ ପରମାଣୁ ରାଷ୍ଟ୍ରସମୂହ (Nuclear Club)ରେ ସାମିଲ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୨୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସେଦିନର ସେ କଥା ମନେ ପଡ଼ିଲେ ହୃଦୟ ଉଲ୍ଲସିତ ହେବା ସଙ୍ଗେସଙ୍ଗେ ରୋମ ଟାଙ୍କୁରି ଉଠେ। ଏଠାରେ ସେଦିନର ସେହି ଐତିହାସିକ ଘଟଣାର କିଛି ସ୍ମୃତି ପରିବେଷଣ କରାଗଲା।
ଭାରତର ଏହି ପରମାଣୁ ପରୀକ୍ଷଣ (DRDO) ସଂସ୍ଥାର ତତ୍କାଳୀନ ମୁଖ୍ୟ ତଥା ରାଷ୍ଟ୍ରପତିଙ୍କ ବୈଜ୍ଞାନିକ ପରାମର୍ଶଦାତା ଡ. ଏ.ପି.ଜେ. ଅବଦୁଲ କଲାମ ଏବଂ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ଡ. ଆର୍‌. ଚିଦାମ୍ବରମଙ୍କ ନେତୃତ୍ୱରେ ସମ୍ପାଦନ କରାଯାଇଥିଲା। ଆମେରିକାର ଗୋଇନ୍ଦା ସଂସ୍ଥା (CIA) ନିଜର ଗୁପ୍ତଚର ଉପଗ୍ରହଗୁଡ଼ିକ ଜରିଆରେ ଭାରତର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିଥିବାରୁ ଏବଂ ଏଥିନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟାର ଆଶଙ୍କା ରହିଥିବାରୁ ଏହି ପରୀକ୍ଷାର ପ୍ରସ୍ତୁତି ଓ ରୂପାୟନ ପାଇଁ ସମ୍ପୂର୍ଣ୍ଣ ସତର୍କତା ଓ ଗୋପନୀୟତା ଅବଲମ୍ବନ କରାଯାଇଥିଲା। ବୈଜ୍ଞାନିକମାନେ ପ୍ରଥମେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ଛଦ୍ମ ନାମରେ ସାମରିକ ପୋଷାକ ପରିଧାନ କରି ପରୀକ୍ଷଣସ୍ଥଳୀକୁ ଯାତ୍ରା କରିଥିଲେ। ଏପରିକି, ସେମାନଙ୍କର ନିକଟ ସମ୍ପର୍କୀୟମାନଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନ ଥିଲା ଏବଂ ସରକାରଙ୍କ ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ଭାରତୀୟ ସେନାର ଇଞ୍ଜିନିୟରିଙ୍ଗ ବିଭାଗରେ ଏକ ସ୍ବତନ୍ତ୍ର ରେଜିମେଣ୍ଟ (୫୮ତମ ଇଞ୍ଜିନିୟରିଙ୍ଗ ରେଜିମେଣ୍ଟ) ଗଠନ କରାଯାଇ ପ୍ରସ୍ତୁତିର ସମ୍ପୂର୍ଣ୍ଣ ସୁରକ୍ଷା ଓ ଗୋପନୀୟତା ରକ୍ଷା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଆମେରିକାର ଗୁଇନ୍ଦା ଉପଗ୍ରହର ନଜର ଏଡାଇବାକୁ ଅଧିକାଂଶ ପ୍ରସ୍ତୁତି କେବଳ ରାତି ସମୟରେ ହିଁ ସମ୍ପାଦନ କରାଯାଉଥିଲା ଏବଂ କାର୍ଯ୍ୟ ସରିଯିବା ପରେ ସମସ୍ତ ସାମଗ୍ରୀକୁ ମୂଳସ୍ଥାନକୁ ଫେରାଇ ନିଆଯାଉଥିଲା, ଯାହା ଫଳରେ ସାମଗ୍ରୀସବୁ ଆଦୌ ସ୍ଥାନାନ୍ତରିତ ହୋଇ ନ ଥିବାର ଭ୍ରମ ଧାରଣା ସୃଷ୍ଟି ହେଉଥିଲା। ପରୀକ୍ଷଣ ନିମନ୍ତେ ଖୋଳା ଯାଇଥିବା ଭୂତଳ ଗର୍ତ୍ତକୁ ସ୍ଥାନୀୟ ପରିବେଶ ସହିତ ମିଶି ଯାଉଥିବା ଭଳି ବିଭ୍ରମକାରୀ ରଙ୍ଗର ଜାଲି ଦ୍ୱାରା ଢଙ୍କା ଯାଉଥିଲା ଏବଂ ନିର୍ଗତ ବାଲୁକାରାଶିକୁ ଏକ ପ୍ରାକୃତିକ ବାଲୁକାସ୍ତୂପ ଆକାରରେ ଜମା କରାଯାଉଥିଲା।
ବୋମାର ସମସ୍ତ ସାମଗ୍ରୀକୁ ପରୀକ୍ଷଣର କିଛି ଦିନ ପୂର୍ବରୁ ପ୍ରଥମେ ମୁମ୍ବାଇସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଜରିଆରେ ରାଜସ୍ଥାନର ଜଇସାଲମେର ବିମାନଘାଟିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସମସ୍ତ ସାମଗ୍ରୀକୁ ସେନାର ୪ଟି ଟ୍ରକ୍‌ ଜରିଆରେ ୪ ଥର କରି ପୋଖରାନ ପରୀକ୍ଷଣସ୍ଥଳୀକୁ ପରିବହନ କରାଯାଇଥିଲା। ପୋଖରାନଠାରେ ଯେଉଁ ଗୃହରେ ଏହି ପରମାଣୁ ସାମଗ୍ରୀ ରଖାଯାଇଥିଲା ତାହାକୁ ‘ପ୍ରାର୍ଥନା ଗୃହ’ ବୋଲି ଛଦ୍ମନାମ ଦିଆଯାଇଥିଲା। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରମାଣୁ ସାମଗ୍ରୀକୁ ଅତି ସତର୍କତାର ସହିତ ‘L’ ଆକୃତିର ଭୂତଳ ଗର୍ତ୍ତ ମଧ୍ୟକୁ ଖସାଇ ଦିଆଯାଇଥିଲା। ସଂଯୋଜନଶୀଳ ପ୍ରଥମ ବୋମାକୁ ୬୬୦ ଫୁଟ ଗଭୀରତାର ଏକ ଗର୍ତ୍ତ ମଧ୍ୟରେ ସ୍ଥାପନ କରାଗଲା, ଯାହାର ଛଦ୍ମ ନାମ ଥିଲା ‘ହ୍ବାଇଟ୍‌ ହାଉସ୍‌’। ତା’ପରେ ବିଖଣ୍ଡନଶୀଳ ବୋମାକୁ ୪୯୦ ଫୁଟ୍‌ ଗଭୀରତାର ଅନ୍ୟ ଏକ ଗର୍ତ୍ତ ମଧ୍ୟରେ ଅବସ୍ଥାପିତ କରାଗଲା। ଏହି ଗର୍ତ୍ତର ଛଦ୍ମନାମ ଥିଲା ‘ତାଜମହଲ’। ତା’ପରେ ତୃତୀୟ ନିମ୍ନ କିଲୋଟନ୍‌ ବୋମାକୁ ‘କୁମ୍ଭକର୍ଣ୍ଣ’ ଛଦ୍ମନାମରେ ନାମିତ ଅନ୍ୟ ଏକ ଗର୍ତ୍ତ ମଧ୍ୟରେ ସ୍ଥାପନ କରାଗଲା। ବିସ୍ଫୋରଣ ଜନିତ ତେଜସ୍କ୍ରିୟ ଉତ୍ସର୍ଜନକୁ ପ୍ରତିହତ କରିବା ପାଇଁ ସେନାର ଇଞ୍ଜିନିୟରିଙ୍ଗ ବିଭାଗର ଏକ ସ୍ବତନ୍ତ୍ର ଦଳ ଦ୍ୱାରା ଏହି ସମସ୍ତ ଗର୍ତ୍ତକୁ ପରୀକ୍ଷଣର ଅବ୍ୟବହିତ ପୂର୍ବରୁ ଅତି ସନ୍ତର୍ପଣରେ ସିଲ୍‌ କରି ଦିଆଯାଇଥିଲା।
ପରିଶେଷରେ ସେହି ବହୁ-ପ୍ରତୀକ୍ଷିତ ମୁହୂର୍ତ୍ତ ମେ ୧୧ ତାରିଖ ଉପସ୍ଥିତ ହୋଇଥିଲା। ପରୀକ୍ଷଣର ବାସ୍ତବ ସମୟ ସ୍ଥାନୀୟ ପାଣିପାଗ ଏବଂ ବିଶେଷକରି ବାୟୁପ୍ରବାହର ବେଗ ଉପରେ ବହୁମାତ୍ରାରେ ନିର୍ଭର କରୁଥିଲା। ସକାଳ ସମୟରେ ବାୟୁପ୍ରବାହର ବେଗ ଅଧିକ ଥିବାରୁ ସେଦିନ ପରୀକ୍ଷଣ ଅସମ୍ଭବ ଜଣା ପଡ଼ିବାରୁ ବୈଜ୍ଞାନିକମାନେ ପ୍ରଥମେ ନିରାଶ ହୋଇ ପଡ଼ିଥିଲେ। ମାତ୍ର ଅପରାହ୍ନରେ ପାଗ ଅଚାନକ ବଦଳିଯାଇ ବାୟୁପ୍ରବାହର ବେଗ କମିବାରୁ ପରୀକ୍ଷଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଗଲା। ନିୟମ ଅନୁସାରେ, DRDO ତରଫରୁ ପରୀକ୍ଷଣସ୍ଥଳୀର ପ୍ରସ୍ତୁତି ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବୈଜ୍ଞାନିକ ଡ. କେ. ସନ୍ଥନମ କାଉଣ୍ଟ ଡାଉନ୍‌ (ଅବଗଣନା) ପ୍ରକ୍ରିୟାକୁ ପ୍ରାରମ୍ଭ କରିବା ନିମନ୍ତେ ଦୁଇଟି ବିଶେଷ ଚାବି ପରୀକ୍ଷଣସ୍ଥଳୀ ସୁରକ୍ଷା ଦାୟିତ୍ୱରେ ଥିବା ବୈଜ୍ଞାନିକ ଡ. ଏମ. ବାସୁଦେବଙ୍କୁ ହସ୍ତାନ୍ତର କଲେ। ଡ. ବାସୁଦେବ ପରୀକ୍ଷଣର ସଫଳତା ନିମନ୍ତେ ସମସ୍ତ ସୂଚକ ବ୍ୟବସ୍ଥାକୁ କଠୋର ରୂପେ ଯାଞ୍ଚ କରି କାଉଣ୍ଟ ଡାଉନ୍‌ ଆରମ୍ଭ କରିବା ନିମନ୍ତେ ସେଥି ମଧ୍ୟରୁ ଗୋଟିଏ ଚାବି ଭାବା ପରମାଣୁ ଗବେଷଣା କେନ୍ଦ୍ରର ଜଣେ ପ୍ରତିନିଧି ଓ ଅନ୍ୟ ଗୋଟିଏ ଚାବି DRDO ର ଜଣେ ପ୍ରତିନିଧିଙ୍କୁ ହସ୍ତାନ୍ତର କଲେ। ନିର୍ଦ୍ଧାରିତ ଯୋଜନା ମତେ କାଉଣ୍ଟ ଡାଉନ୍‌ ଆରମ୍ଭ ହେଲା ଏବଂ ଅପରାହ୍ନ ୩.୪୫ ମିନିଟ ସମୟରେ ପୃଥିବୀର ବୁକୁ ଥରାଇ ନିଥର ମରୁଭୂମିର ଭୂତଳ ଗର୍ତ୍ତ ମଧ୍ୟରେ ଉପକରଣଗୁଡିକର ପ୍ରଚଣ୍ଡ ବିସ୍ଫୋରଣ ଘଟିଲା।
ବିସ୍ଫୋରଣର କିଛି ସମୟ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦୃଢ଼ କଣ୍ଠରେ ଘୋଷଣା କଲେ , ‘ଆଜି ଅପରାହ୍ନ ୩ଟା ୪୫ ମିନିଟ ସମୟରେ ଭାରତ ସ୍ଥଳସେନାର ପୋଖରାନ ପରୀକ୍ଷଣସ୍ଥଳୀଠାରେ ତିନୋଟି ଭୂତଳ ପରମାଣୁ ବୋମାର ପରୀକ୍ଷା କରିଛି। ସମ୍ପାଦିତ ପରୀକ୍ଷଣଗୁଡ଼ିକ ହେଲା : ଏକ ବିଖଣ୍ଡନଶୀଳ ଉପକରଣ, ଏକ ସ୍ବଳ୍ପ-ଶକ୍ତି ସମ୍ପନ୍ନ ଉପକରଣ ଏବଂ ଏକ ତାପ-ନାଭିକୀୟ ଉପକରଣ। ପରୀକ୍ଷଣର ଶକ୍ତି ଉତ୍ସର୍ଜନ ଆଶାନୁରୂପେ ଘଟିଛି। ସଂଗୃହୀତ ତଥ୍ୟରୁ ଜଣାପଡିଛି ଯେ, ପରୀକ୍ଷଣ ଦ୍ୱାରା ବାୟୁମଣ୍ଡଳକୁ କୌଣସି ବିପଜ୍ଜନକ ତେଜସ୍କ୍ରିୟ ବସ୍ତୁର ବିକିରଣ ଘଟିନାହିଁ। ଏଗୁଡିକ ୧୯୭୪ ମସିହା ମେ’ ମାସରେ କରାଯାଇଥିବା ପ୍ରଥମ ପରୀକ୍ଷଣ ଭଳି ନିୟନ୍ତ୍ରିତ ବିସ୍ଫୋରଣ। ଏହି ସଫଳ ପରୀକ୍ଷଣ ପାଇଁ ମୁଁ ମୋର ବୈଜ୍ଞାନିକ ଓ ଇଞ୍ଜିନିୟର୍‌ମାନଙ୍କୁ ସମ୍ବର୍ଦ୍ଧନା ଜଣାଉଛି।’
ବାଜପେୟୀଙ୍କ ଏହି ଘୋଷଣା ସଙ୍ଗେସଙ୍ଗେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସଷ୍ଟି କରିଥିଲା। ଭାରତର ଏହି ଅପ୍ରତ୍ୟାଶିତ କାର୍ଯ୍ୟକ୍ରମରେ ଘୋର ଉଦବେଗ ପ୍ରକାଶ କରି ପାକିସ୍ତାନ ସମେତ ବିଶ୍ବର ବହୁ ରାଷ୍ଟ୍ର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା, ଜାପାନ ଓ କାନାଡା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମାତ୍ର ଭାରତ ପାଇଁ ଏହି ଦିନଟି ଥିଲା ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧିର ଏକ ସ୍ବର୍ଣ୍ଣାଭ ଦିବସ। ସୁତରାଂ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାର ମେ ୧୧ ତାରିଖକୁ ‘ରାଷ୍ଟ୍ରୀୟ ପ୍ରଯୁକ୍ତି ଦିବସ’ ରୂପେ ଘୋଷଣା କରିଛନ୍ତି।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ,ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri