ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉଷ୍ଣତା ପ୍ରକାଶ ପାଇଛି। ବିଶେଷ କରି ଛାତ୍ର ସଂସଦ ନିର୍ବାଚନରେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ହୋଇଛି। ଅପରପକ୍ଷରେ ଏହି ନିର୍ବାଚନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲିଙ୍ଗଡୋ କମିଶନଙ୍କ ନିୟମ ଅନୁସାରେ କଲେଜ ପରିସର ମଧ୍ୟରେ (ବାଜା ବାଣ ଦଳୀୟ ବ୍ୟାନର ହିଂସା ଆଦିକୁ ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି) ଅବାଧ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ଅନୁସାରେ ନିର୍ବାଚନ ପରିଚାଳନା କରାଯିବ ବୋଲି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପ୍ରମୁଖ ପ୍ରାର୍ଥୀ ମାନେ ଦ୍ବିମୁଖୀ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଛାତ୍ର ନିଜନିଜ ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଶୁକ୍ରବାର ଶୋଭାଯାତ୍ରାରେ ଆସି କଲେଜରେ ପହଞ୍ଚିଥିଲେ। ପ୍ରଥମେ ଶ୍ରୀମଦ୍ ବାୟାବାବା ଓ ମା’ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କଲେଜରେ ମୋଟ୍ ୬୧୮ ଯୁକ୍ତ ୩ ଛାତ୍ରୀଛାତ୍ର ମତଦାନ କରିବେ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ଦାସଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ଛାତ୍ର ସଂସଦ ନିର୍ବାଚନରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହସମ୍ପାଦକ, ଶ୍ରେଣୀ ପ୍ରତିନିଧି, କ୍ରୀଡା ସମ୍ପାଦକ ଓ ନାଟ୍ୟ ସମ୍ପାଦକ ପ୍ରମୁଖ ପଦବୀରେ ନାମାଙ୍କନ ଦାଖଲ କରିଛନ୍ତି ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଅପରାହ୍ନରେ ଚୂଡାନ୍ତ ସଂଖ୍ୟାରେ ନାମାଙ୍କନପତ୍ର ଶେଷ ଫଳାଫଳ ପ୍ରକାଶ ପାଇବ ବୋଲି ଅଫିସ ସୂତ୍ରରୁ ପ୍ରକାଶ।

