ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଛନ୍ତି। ଉତ୍ତର ପ୍ରଦେଶ ସୀତାପୁର ଜିଲାର ମୂଳ ବାସିନ୍ଦା ତଥା ୨୪ ବର୍ଷ ବୟସରେ ଲକ୍ଷ୍ନୌରେ ବିବାହ କରିଥିବା ଶିବାନୀ ଏବେ ନିଜ ପରିବାର ସହ ମୁମ୍ବାଇରେ ରହୁଛନ୍ତି। ଚଳିତବର୍ଷ ସ୍ବାଧୀନତା ଦିବସ ଅବସରରେ ସେ ରୁଷିଆସ୍ଥିତ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ‘ମାଉଣ୍ଟ ଏଲବ୍ରୁସ୍’ ଚୂଡ଼ାରେ ତ୍ରିରଙ୍ଗା ଉଡ଼ାଇ ଦେଶ ପାଇଁ ଗୌରବ ଆଣିଛନ୍ତି। ବୟସ କେବଳ ଗୋଟିଏ ସଂଖ୍ୟା ମାତ୍ର। କୌଣସି ବଡ଼ ଲକ୍ଷ୍ୟ ହାସଲ ପାଇଁ ବୟସ ନୁହେଁ, ବରଂ ଦୃଢ଼ ସଂକଳ୍ପ ଓ ଶୃଙ୍ଖଳା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
୨୦୧୯ରେ ଏଭରେଷ୍ଟ ବେସ୍ କ୍ୟାମ୍ପ୍ ପଦଯାତ୍ରାରୁ ତାଙ୍କର ଏହି ନିଶା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଫ୍ରେଣ୍ଡଶିପ୍ ପିକ୍ ଏବଂ ମାଉଣ୍ଟ କିଲିମଞ୍ଜାରୋ ଶୃଙ୍ଗ ଚଢ଼ିଛନ୍ତି। ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ‘ମାଉଣ୍ଟ ଏଭରେଷ୍ଟ’ ଆରୋହଣ ଓ ବିଶ୍ୱର ‘ସପ୍ତ ଶୃଙ୍ଗ’ ଅଭିଯାନ ସମ୍ପୂର୍ଣ୍ଣ କରିବା।
ଅଗଷ୍ଟ ୮ରେ ମୁମ୍ବାଇରୁ ବାହାରି ରୁଷିଆରେ ପହଞ୍ଚିଥିଲେ। ପ୍ରତିକୂଳ ପାଣିପାଗ, ବରଫପାତ ଏବଂ ଅକ୍ସିଜେନ୍ର ଅଭାବ ସତ୍ତ୍ୱେ ଅଗଷ୍ଟ ୧୫ ଭୋର ୨ଟାରୁ ଚଢ଼ିବା ଆରମ୍ଭ କରି ମାତ୍ର ସାଢ଼େ ୪ ଘଣ୍ଟା ମଧ୍ୟରେ ସେ ଏଲବ୍ରୁସ୍ ଶୃଙ୍ଗରେ ପହଞ୍ଚିଥିଲେ।

