ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣ ହାସଲ କରିଛି। ଭାରତ ପକ୍ଷରୁ ଜ୍ୟୋତି, ଚିକିତା ଓ ପ୍ରୀତିକାଙ୍କ ତ୍ରିମୂର୍ତ୍ତି ଚମତ୍କାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍ର ଆରମ୍ଭରୁ ଭାରତୀୟ ଟିମ ଚାଇନା ଉପରେ ଚାପ ବଜାୟ ରଖିଥିଲା।
ପ୍ରଥମ ସେଟ୍ରେ ଭାରତ ୬୦ ପଏଣ୍ଟ ସ୍କୋର କରିଥିବା ବେଳେ ଚାଇନା ୫୮ ପଏଣ୍ଟରେ ରହିଥିଲା। ଦ୍ୱିତୀୟ ସେଟ୍ରେ ମଧ୍ୟ ଭାରତ ୫୯-୫୮ରେ ଆଗୁଆ ରହି ମୋଟ ୩ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲା। ତୃତୀୟ ସେଟ୍ରେ ଚାଇନା ୬୦ ପଏଣ୍ଟର ସ୍କୋର କରିଥିଲା। ଭାରତ ୫୯ ପଏଣ୍ଟ କରିଥିଲେ ମଧ୍ୟ ମୋଟ ସ୍କୋର ୧୭୮-୧୭୬ରେ ଭାରତ ସପକ୍ଷରେ ରହିଥିଲା। ଶେଷ ସେଟ୍ରେ ଭାରତୀୟ ତୀରନ୍ଦାଜମାନେ ଚାପକୁ ଖାତିର ନ କରି ପୁଣିଥରେ ୬୦ ପଏଣ୍ଟର ସ୍କୋର କରିଥିଲେ। ଫଳରେ ଭାରତ ୨୩୮-୨୩୪ରେ ମ୍ୟାଚ ଜିତି ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲା।
ଏହି ପ୍ରଦର୍ଶନ ସହ ଭାରତୀୟ ମହିଳା କମ୍ପାଉଣ୍ଡ ଟିମ ଏକ ବିଶେଷ ରେକର୍ଡର ସମକକ୍ଷ ହୋଇଛି। ୨୦୧୪ ଏସିଆନ ଗେମ୍ସରେ ଦକ୍ଷିଣ କୋରିଆ ଫାଇନାଲରେ ୨୩୮ ପଏଣ୍ଟ କରି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା। ଏବେ ଜ୍ୟୋତି, ଚିକିତା ଓ ପ୍ରୀତିକାଙ୍କ ଭାରତୀୟ ଟିମ ୨୩୮ ପଏଣ୍ଟ କରି ସେହି ରେକର୍ଡକୁ ସ୍ପର୍ଶ କରିଛି। ମ୍ୟାଚ୍ରେ ୨୪ଟି ଶଟ ମଧ୍ୟରୁ ଭାରତୀୟ ତୀରନ୍ଦାଜମାନେ ୨୨ଟିରେ ୧୦ ପଏଣ୍ଟ ହାସଲ କରିଥିଲେ। ଶେଷ ସେଟ୍ରେ ୬୦ ସ୍କୋର କରି ଭାରର ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲା। ଏହି ସ୍ବର୍ଣ୍ଣ ସହ ୨୦୨୬ ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି।
Dharitri – Odisha’s No.1 Odia Daily

