ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫ ଓରାଙ୍ଗ୍ଉଟାନ ଶାବକଙ୍କୁ ଏବେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ୧୦ଦିନ ଯାଏ ଚାପମୁକ୍ତ ରଖିବାକୁ ପ୍ରୟାସ ଚାଲିଛି। ଶାବକମାନଙ୍କୁ ଶାନ୍ତ ରଖିବା ଓ ମା’କଥା ମନରୁ ଭୁଲାଇବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମ୍ୟୁଜିକ ଥେରାପି ଭଳି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶେଷକରି ସକାଳେ ଖରାରେ କିଛି ସମୟ ରଖାଯିବା ପରେ ମ୍ୟୁଜିକ ଥେରାପି ଦିଆଯାଉଛି। ଗୁରୁବାରଠାରୁ କ୍ଲାସିକାଲ ମ୍ୟୁଜିକ ସହିତ ଶଫ୍ଟ ମ୍ୟୁଜିକ ଥେରାପି ଆରମ୍ଭ ହୋଇଛି। ସେମାନଙ୍କ ମନ କିଭଳି ଶାନ୍ତ ହେବ ଓ ସେମାନେ ଯତ୍ନ ନେଉଥିବା କର୍ମଚାରୀଙ୍କ ସହ ଶୀଘ୍ର ମିଶିପାରିବେ ସେନେଇ ପ୍ରକ୍ରିୟା ଜାରି ରହିଛି। ଏପରିକି କିଛି କିଛି ବ୍ୟବଧାନରେ ଭିଡିଓ କନ୍ଫରେନ୍ସ ଜରିଆରେ ସେମାନଙ୍କ ମାନସିକ ସ୍ଥିତି ଉପରେ ଏଥେଓଲୋଜିଷ୍ଟ ନଜର ରଖୁଛନ୍ତି। ଅନ୍ୟପକ୍ଷରେ ଏହି ଶାବକମାନଙ୍କୁ ମା’ଭଳି ସ୍ନେହ କରିବାକୁ ଲାଳନପାଳନ କେନ୍ଦ୍ରରେ ଥିବା କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରତି ଦୁଇ ଘଣ୍ଟାରେ ଥରେ ବୋତଲରେ କ୍ଷୀର ଖୁଆଯାଉଛି। ଏପରିକି ଏକ କପଡାରେ ଝୁଲା ପ୍ରସ୍ତୁତ କରାଯାଇ ଝୁଲିବାର ବ୍ୟବସ୍ଥା କରାଯାଇଛି। ଫଳରେ ସେମାନେ ଖୁସିରେ ଝୁଲାରେ ଝୁଲି ମଜା ଉଠାଉଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ସେମାନଙ୍କ ପାଇଁ ଓରାଙ୍ଗ୍ଉଟାନ ସଦୃଶ କଣ୍ଢେଇ ରଖାଯାଇଛି। କଣ୍ଢେଇକୁ କୋଳରେ ଧରି କିଏ ଉପରେ ଶୋଉଛି ତ’ କିଏ କଣ୍ଢେଇକୁ ପାଟିରେ ପୂରାଇ ମଜା ଉଠାଉଛନ୍ତି। ଯାହାଫଳରେ ସେମାନଙ୍କ ସମୟ ଅତିବାହିତ ହେବାସହ ମନ ପରିବର୍ତ୍ତନରେ ସହାୟକ ସାଜିଛି। ଯେପର୍ଯ୍ୟନ୍ତ ଶାବକମାନେ ପରିବେଶ ସହ ଖାପ ଖୁଆଇ ନ ପାରିଛନ୍ତି, ସେପର୍ଯ୍ୟନ୍ତ ନମୁନା ସଂଗ୍ରହ ନ କରିବାକୁ ସେଣ୍ଟର ଅଫ ଓ୍ବାଇଲ୍ଡ ଲାଇଫ ହେଲ୍ଥ କମିଟି ପରାମର୍ଶ ଦେଇଛି। ୧୦ଦିନ ପରେ ଚାପମୁକ୍ତ ହେବା ପରେ ସେଣ୍ଟର ଅଫ ଓ୍ବାଇଲ୍ଡ ଲାଇଫ ହେଲ୍ଥ କମିଟିର ପରାମର୍ଶକ୍ରମେ ସମସ୍ତଙ୍କ ରକ୍ତ, ସିକଲ-ସେଲ ଏବଂ ଡିଏନ୍ଏ ନମୁନା ସଂଗ୍ରହ କରାଯିବ। ପରୀକ୍ଷା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ, ବୟସ, ପ୍ରଜାତି, ସଂକ୍ରମଣ ଏବଂ ସେମାନେ ଗୋଟିଏ ମା’ର କି ନୁହେଁ ତାହା ନିରୂପଣ କରାଯିବ। ଶାବକମାନଙ୍କ ନୂଆ ଠିକଣା ନନ୍ଦନକାନନ ଲାଳନପାଳନ କେନ୍ଦ୍ର ପାଲଟିଛି। ଏଠାରେ ସମସ୍ତେ ଦିନରେ ଏକାଠି ରହୁଛନ୍ତି, ଖାଉଛନ୍ତି ଓ ଶୋଉଛନ୍ତି। କିନ୍ତୁ ରାତିରେ ଦୁଇ ଜଣ ଏକାଠି ଓ ୩ଜଣ ଅଲଗା ଶୋଉଛନ୍ତି। ପ୍ରତି ଦୁଇ ଘଣ୍ଟା ମଧ୍ୟରେ ସେମାନଙ୍କୁ ବୋତଲରେ କ୍ଷୀର ପିଇବାକୁ ଦିଆଯାଉଛି। ପ୍ରତିକୂଳ ପରିବେଶ ପାଇଁ ତାଙ୍କ ରୁମ୍ରେ ୨୪ଘଣ୍ଟିଆ ଏସି ଲଗାଯାଇଛି। ଦିନରେ ମଝିରେ ମଝିରେ ଏସି ବନ୍ଦ କରାଯାଇ ଝରକା ଖୋଲାଯାଉଛି। ୩ଟିସ୍ତରରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ୨୪ଘଣ୍ଟିଆ ନଜରରେ ରଖାଯାଇଛି। ସେମାନଙ୍କ ବ୍ୟବହାରରେ ସାମାନ୍ୟତମ ପରିବର୍ତ୍ତନ ଆସିଲେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପଦକ୍ଷେପ ନିଆଯିବ। ସବୁଠାରୁ ଛୋଟ ଶାବକକୁ ଜ୍ୱର ବୁଧବାର ହୋଇଥିଲା। ଚିକିତ୍ସା ପରେ ଜ୍ୱର କମିଥିବା ଜଣାପଡ଼ିଛି। ବିଶେଷଜ୍ଞଙ୍କ ପରାମର୍ଶ ଓ ସହାୟତାରେ ସମସ୍ତଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଯାଞ୍ଚ ଚାଲିଛି ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

