ୱାଶିଂଟନ୍,୪ା୧୧: ଇରାନ୍ ସହ ଯୁଦ୍ଧ ଆମେରିକାର ରିପବ୍ଲିକାନ୍ ପାର୍ଟିର ମଧ୍ୟବର୍ତ୍ତୀ ବା ମିଡ୍ଟର୍ମ ନିର୍ବାଚନ ପରାଜୟର ପ୍ରମୁଖ କାରଣ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବୁଧବାର ଏଭଳି ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ରିପବ୍ଲିକାନ୍ ପାର୍ଟିର ସମର୍ଥକମାନେ ଭୋଟ୍ ଦେବାକୁ ଆସିଥିଲେ, କିନ୍ତୁ ୨୦୨୪ରେ ଟ୍ରମ୍ପ-ଭାନ୍ସ ଯୋଡ଼ିକୁ ସମର୍ଥନ କରିଥିବା ଅନେକ ଭୋଟର ଏଥର ଡେମୋକ୍ରାଟ୍ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ।
ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ଲମ୍ବା ପୋଷ୍ଟ କରି ଭାନ୍ସ କହିଛନ୍ତି, “ଆମର ପରାଜୟର କାରଣ ହେଉଛି ଯୁଦ୍ଧ। ରାଷ୍ଟ୍ରପତି ମଧ୍ୟ ଗତକାଲି ରାତିରେ ଏହି କଥା କହିଥିଲେ । ଆମେ କାହିଁକି ହାରିଲୁ, ତାହା ସମସ୍ତେ ଜାଣନ୍ତି । ଏହା ଉପରେ ଯେକୌଣସି ସଚ୍ଚୋଟ ଆଲୋଚନା ଏହି ସତ୍ୟରୁ ଆରମ୍ଭ ହେବା ଉଚିତ।” ରିପବ୍ଲିକାନ୍ ପାର୍ଟି ନିର୍ବାଚନ ଫଳାଫଳର ସମୀକ୍ଷା କରୁଥିବା ବେଳେ ୨୦୨୮ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ସମୟରେ ଭାନ୍ସଙ୍କ ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ରିପୋର୍ଟ ଅନୁସାରେ, ଫେବୃଆରୀରେ ଆରମ୍ଭ ହୋଇଥିବା ଇରାନ୍ ବିରୋଧୀ ସାମରିକ ଅଭିଯାନକୁ ନେଇ ଭାନ୍ସ ପୂର୍ବରୁ ମଧ୍ୟ ସମ୍ପୂର୍ଣ୍ଣ ଆଶ୍ୱସ୍ତ ନଥିଲେ।
ଭାନ୍ସ କହିଛନ୍ତି, ନିର୍ବାଚନ ପୂର୍ବରୁ ତାଙ୍କ ଟିମ୍ ଭୋଟରଙ୍କ ଉପସ୍ଥିତି ଏବଂ ଭୋଟରଙ୍କ ମନୋଭାବ ଉପରେ ନିରନ୍ତର ନଜର ରଖିଥିଲା। ପ୍ରାରମ୍ଭିକ ତଥ୍ୟରୁ ରିପବ୍ଲିକାନ୍ ସମର୍ଥକମାନେ ଭଲ ସଂଖ୍ୟାରେ ଭୋଟ୍ ଦେବାକୁ ଆସୁଥିବା ଜଣାପଡ଼ିଥିଲା। ତେବେ ଜଣେ ଡାଟା ବିଶେଷଜ୍ଞ ତାଙ୍କୁ ପୂର୍ବରୁ ସତର୍କ କରାଇଥିଲେ ଯେ, ରିପବ୍ଲିକାନ୍ ସମର୍ଥକମାନେ ଭୋଟ୍ ଦେବେ ସତ, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଦଳ ଉପରେ ଅସନ୍ତୁଷ୍ଟ ଥିବାରୁ ବିରୋଧୀଙ୍କୁ ଭୋଟ୍ ଦେଇପାରନ୍ତି । ଭାନ୍ସଙ୍କ ମତରେ, ନିର୍ବାଚନ ଫଳାଫଳରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଫ୍ଲୋରିଡା ଭଳି ରାଜ୍ୟରେ ରିପବ୍ଲିକାନ୍ ସମର୍ଥକଙ୍କ ମତଦାନ ହାର ଭଲ ରହିଥିଲେ ମଧ୍ୟ ଦଳ ଆଶାନୁରୂପ ସଫଳତା ପାଇନାହିଁ।
ଭାନ୍ସ ଜଣେ ଅଭିଜ୍ଞ ନିର୍ବାଚନୀ ବିଶ୍ଳେଷକଙ୍କ ସର୍ଭେର ଉଦାହରଣ ଦେଇ କହିଛନ୍ତି, ୨୦୨୪ରେ ଟ୍ରମ୍ପ-ଭାନ୍ସ ଯୋଡ଼ିକୁ ଭୋଟ୍ ଦେଇଥିଲେ ମଧ୍ୟ ଏଥର ରିପବ୍ଲିକାନ୍ ପ୍ରାର୍ଥୀଙ୍କଠାରୁ ଦୂରେଇ ରହିଥିବା ଭୋଟରଙ୍କ ମତାମତ ନିଆଯାଇଥିଲା। କେଉଁ ପରିସ୍ଥିତିରେ ସେମାନେ ପୁଣିଥରେ ରିପବ୍ଲିକାନ୍ ପାର୍ଟିକୁ ସମର୍ଥନ କରିବେ, ସେନେଇ ପ୍ରଶ୍ନ କରାଯାଇଥିଲା।
ଭାନ୍ସ କହିଛନ୍ତି, ଆଗାମୀ ଦିନରେ ଦଳର ପରାଜୟ ପାଇଁ ଅନେକ କାରଣ ଦର୍ଶାଯିବ ଏବଂ ରାଜନୈତିକ ବିତର୍କ ମଧ୍ୟ ତୀବ୍ର ହେବ । କିନ୍ତୁ ପ୍ରକୃତ କାରଣକୁ ଅଣଦେଖା କରାଯାଇପାରିବ ନାହିଁ । ସେ କହିଛନ୍ତି, ଯଦି କେହି ଯୁଦ୍ଧ ଜରୁରୀ ଥିଲା ଏବଂ ଏହା ବଦଳରେ ଆସନ୍ତା ୬ ବର୍ଷ ପାଇଁ ସିନେଟ୍ ଉପରେ ନିୟନ୍ତ୍ରଣ ହରାଇବାକୁ ମଧ୍ୟ ଗ୍ରହଣ କରାଯାଇପାରିବ ବୋଲି ଯୁକ୍ତି ଦେଉଛନ୍ତି, ତେବେ ସେମାନେ ଅନ୍ତତଃ ସଚ୍ଚୋଟତାର ସହ ଏହା କୁହନ୍ତୁ । କିନ୍ତୁ ପରାଜୟର କାରଣ ଅନ୍ୟ କିଛି ବୋଲି କହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

