ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ଜିଲା ଭାଜପା ସଭାପତି ଶୁକଦେବ ମାହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଗଣତନ୍ତ୍ରର ସୁରକ୍ଷା ଓ ମର୍ଯ୍ୟାଦା ବଜାୟ ରଖିବା ଉପରେ ମତ ରଖିବା ସହ କଂଗ୍ରେସ ଦଳର ନୀତି ଓ କାର୍ଯ୍ୟଶୈଳୀକୁ ତୀବ୍ର ସମାଲୋଚନା କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାକୁ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ଭାଜପା ଜିଲା ଉପସଭାନେତ୍ରୀ ସୋମବାରୀ ମୁଣ୍ଡା, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଚୋପଳା ମହାକୁଡ଼, ସାଧାରଣ ସମ୍ପାଦକ ଯୋଷସ୍ୱିନୀ ବଳ, ମିଡିଆ ସଂଯୋଜକ ବ୍ରଜକିଶୋର ରାୟ, ବିଧାୟକଙ୍କ ପାଟଣା ବ୍ଲକ୍ ପ୍ରତିନିଧି କମଳାକାନ୍ତ ଦାଶ, ବିଧାୟକଙ୍କ ଚମ୍ପୁଆ ବ୍ଲକ୍ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଓ ସାହାରପଡ଼ା ବ୍ଲକ୍ ପ୍ରତିନିଧି ନରେନ୍ଦ୍ର ମହାନ୍ତ ଉପସ୍ଥିତ ଥିଲେ।
ସମ୍ମିଳନୀରେ ନିର୍ବାଚନମଣ୍ଡଳୀର ଶତାଧିକ ବୁଦ୍ଧିଜୀବୀ, ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ସେମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅରାଜକତା ଦୂର କରି ଗଣତନ୍ତ୍ରର ମର୍ଯ୍ୟାଦା ଓ ସୁରକ୍ଷା ବଜାୟ ରଖିବାକୁ ଦଳୀୟ କର୍ମୀ ଓ ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଶେଷରେ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

