ଚଳନ୍ତି ଈଶ୍ବର

ଡ. ପ୍ରଫୁଲ୍ଲ କୁମାର ସାହୁ

ବାପା କେବଳ ଏକ ଶବ୍ଦ ନୁହେଁ, ଅନୁଭବ। ସ୍ବପ୍ନର ଝଲକାଏ ଆତ୍ମପ୍ରକାଶ। ଆମ ମୁଗ୍ଧ ଅନୁଭବର ଏକ ଅମୃତମୟ ସତ୍ତା; ଯାହାକୁ ବୁଝେଇ ହୁଏ ନାହିଁ କୌଣସି ସଂଜ୍ଞାରେ। ନିଅଣ୍ଟ ପଡ଼େ ଶବ୍ଦ। ସେ ପିଲାଙ୍କୁ ଗଢ଼ନ୍ତି ଅତି ଆଦର ଓ ଯତ୍ନରେ। ନିଜ ଆଖି ଲୁହ ନିଜେ ପିଇ ପିଲାଙ୍କୁ ହସିବା ଶିଖାନ୍ତି ଏବଂ ବତେଇ ଦିଅନ୍ତି ମୁଠାଏ ମାଟିକୁ ଚନ୍ଦନରେ ପରିଣତ କରିବାର ମନ୍ତ୍ର। ତାଙ୍କର ଏହି ସକଳ ଶ୍ରମ ଓ ସାଧନା ଫୁଲ ହୋଇ ଫୁଟିିଲା ମାତ୍ରେ ଖୁସିରେ ଫାଟି ପଡ଼େ ବାପାଙ୍କ ଛାତି। ମାତ୍ର ଜୀବନ୍ୟାସ ପାଇଥିବା କଣ୍ଢେଇଟା ଯଦି ମା’ ପାଲଟି ଯାଏ, ତେବେ ଅତି ଦୟନୀୟ ଭାବରେ ନିଜ ପାଖରେ ନିିଜେ ହାରିଯାଏ ପିତୃତ୍ୱ।
ପିତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ଆମ ସଂସ୍କୃତିର ଏକ ବିଶେଷତ୍ୱ, ଯା’ର ମୂଳ ଆଧାର ହେଉଛି ଏକାନ୍ନବର୍ତ୍ତୀ ପରିବାର ପରମ୍ପରା। ଦିନ ଥିଲା ପୁଅ, ବୋହୂ, ନାତି, ନାତୁଣୀ ଓ ଅଣନାତି ପ୍ରମୁଖ ବହୁକୁଟୁମ୍ବଙ୍କୁ ନେଇ ସକାଳୁ ରାତିଯାଏ କମ୍ପୁଥିଲା ଘର। ବାପା ଥିଲେ ସେ ଘରର ମେରୁଖୁଣ୍ଟ। ପିଲାମାନେ ଯିଏ ଯେତେ ଉପରକୁ ଗଲେ ବି ପରିବାରରେ କେବେ ଅଚଳ ହେଉ ନ ଥିଲା ବାପାଙ୍କ ମୁରବିପଣିଆ। ଏହା ହିଁ ଦିନେ ପାଶ୍ଚାତ୍ୟ ଲୋକଙ୍କ ପାଇଁ ଥିଲା ବିସ୍ମୟ ଓ ଅବୋଧ୍ୟ। ସେମାନେ ଖୋଜି ପାଉ ନ ଥିଲେ ଜଣେ ଅଶୀ ନବେ ବର୍ଷର ବୁଢ଼ା ବଙ୍କୁଲି ବାଡ଼ି ଖଣ୍ଡେ ଧରି ଏତେ ବଡ଼ ପରିବାରକୁ ଚଳେଇ ପାରିବାର ଅସଲ ରହସ୍ୟ।
ଆମ ପାରିବାରିକ ଜୀବନବୋଧର ସେ ମହତ୍ତ୍ୱ ଆଜି ନିରୁଦ୍ଦିଷ୍ଟ। ଏକ ବିକୃତ ଆଧୁନିକ ରୁଚିବୋଧ ଲୁଟି ନେଇଛି ଆମ ଯୌଥ ପରିବାରର ମୂଲ୍ୟବୋଧ। ବୈଷୟିକ ସଂସ୍କୃତିର ପରୋକ୍ଷ ପୀଡ଼ନରେ ଲୋଚାକୋଚା ହୋଇଯାଇଛି ବାପାଙ୍କ ମୁରବିପଣିଆ। ପରିଣତ ବୟସରେ ପହଞ୍ଚିବା ପରେ ବାପାମାନେ ଏବେ ପିଲାଙ୍କ ଆଖିରେ ପାଲଟି ଯାଉଛନ୍ତି ପରିବାରର ବୋଝ। ସେ ଜଞ୍ଜାଳ ହଟେଇବା ପାଇଁ ପୁଅ ଉପରେ ଅଜାଡ଼ି ହୋଇପଡୁଛି ବୋହୂର ଗାଳି। ଦିନ ଥିଲା ବୋହୂର କାନକୁହା କଥାକୁ ପୁଅ ଏ କାନରେ ପୂରେଇ ସେ କାନରେ ବାହାର କରି ଦେଉଥିଲା । ସେତେବେଳେ ଯେ ପୁଅ ବୋହୂକୁ ଭଲ ପାଉ ନ ଥିଲା ତା’ ନୁହେଁ, କିନ୍ତୁ ସେ ଭଲ ପାଇବାର ଫାଇଦା ଉଠାଇ ବାପାଙ୍କ ମୁହଁ ଉପରେ ଜବାବ ଦେଇପାରୁ ନ ଥିଲା ବୋହୂ। ଏବେ କିନ୍ତୁ ବୋହୂ କଥାରେ ଉଠ ବସ ହେଉଥିବା ପୁଅଙ୍କ ସଂଖ୍ୟା ଶତକ ନବେରୁ ଅଧିକ। ସେମାନଙ୍କର ନିର୍ଲଜ୍ଜପଣ ପାଇଁ ଭୂଲୁଣ୍ଠିତ ହେଲାଣି ବାପାଙ୍କ ଟାଣପଣ। ତାଙ୍କ ଦିନ ଏବେ କଟୁଛି ବୋହୂର ଫିଙ୍ଗା ଫୋପଡ଼ା, ହତାଦର ଓ ବେଖାତିର ଭିତରେ। ଜୀବନର ସାୟାହ୍ନରେ ସବୁ ବାପା ମା’ ଚାହାନ୍ତି ବାକି ଜୀବନଟା ପୁଅବୋହୂ ନାତି ନାତୁଣୀଙ୍କ ଗହଣରେ କଟେଇ ଦେବେ ହସଖୁସିରେ। ବର୍ତ୍ତମାନ ସମୟରେ ପିଲାମାନଙ୍କଠାରୁ ଦୂରରେ ରହି ସେମାନେ ଅଭିଶପ୍ତ ଜୀବନ କାଟୁଛନ୍ତି ନିଜ ଭିଟାମାଟିରେ କିମ୍ବା କେଉଁ ଜରା ନିବାସରେ।
ସହର ହେଉ କି ଗାଁ ହେଉ, ଉତ୍ପୀଡ଼କ ନିିଃସଙ୍ଗତା ଭିତରେ କାଳ କାଟୁଛନ୍ତି ଅନେକ ଅସହାୟ ବାପା। ପର ଲାଗିଲା କ୍ଷଣି ପିିଲାମାନେ ଯିଏ ଜୁଆଡ଼େ ଉଡ଼ି ଯାଉଛନ୍ତି ନିଜ ଇଚ୍ଛାରେ। ଏ ଜାତି କ’ଣ ଆଗରୁ ବଣିଜ ବେପାର ପାଇଁ ବାହାରକୁ ଯାଉ ନ ଥିଲା? ହେଲେ ଯିଏ ଯୁଆଡ଼େ ଗଲେ ବି କେବେ ଭୁଲି ଯାଉ ନ ଥିଲା ଗାଁ ମାଟିକୁ। ଏବେ କିନ୍ତୁ ସହରରେ ଘର ତୋଳି ରହୁଥିବା ପିଲାଙ୍କର ଆଉ ମନେ ପଡୁନି ଗାଁର ଭିଟା ମାଟିକୁ ଜାବୁଡ଼ି ଧରି ପଡ଼ିଥିବା ବାପାଙ୍କ କଥା, ଯେଉଁ ବାପା ଦିନେ ନିଜେ ଭୋକର ଉହ୍ମେଇରେ ଜଳି ଜଳି ଦେଖୁଥିଲେ ତାକୁ ହାକିମ କରି ଗଢ଼ି ତୋଳିବାର ସ୍ବପ୍ନ। ପୁଅକୁ ବେଶି ପାଠ ପଢ଼ାଇବା ଜିଦ୍‌ରେ କେବେ ତା’ ମା’ର କାନଫୁଲ ବନ୍ଧା ପକାଇ ଦେଇଥିଲେ ତ କେବେ ବିକ୍ରି କରି ଦେଇଥିଲେ ଜମିବାଡ଼ି। ଅଥଚ ସେହି ବାପା ଆଜି ଏକୁଟିଆ ବସି ଗୁମୁରି ଗୁମୁରି କାନ୍ଦୁଛି । କିଏ ଅଛି ବୁଝିବାକୁ ତାଙ୍କ ଅନ୍ତରର କୋହ? ପୁଅ ତା’ ପିଲା ଛୁଆଙ୍କୁ ନେଇ ରହୁଛି ସହରରେ। ନିୟମିତ ଗାଁକୁ ଆସି ବାପାଙ୍କ ଭଲ ମନ୍ଦ ବୁଝିବା ତ ଦୂରର କଥା ଟେଲିଫୋନରେ କଥାପଦେ ହେବାକୁ ବି ତା’ ପାଖରେ ସମୟ ନାହିଁ। ଏହି ନିଃସଙ୍ଗତାକୁ ଡରି କେତେକ ବାପା ବି ଗାଁର ସମ୍ପତ୍ତି ବାଡ଼ି ବିକି ଦେଇ ସହରରେ ଯାଇ ରହୁଛନ୍ତି ପୁଅ ପାଖରେ। ହେଲେ ସେମାନେ ଯେ ସମସ୍ତେ ଭଲରେ ଅଛନ୍ତି, ତାହା ଭାବିବା ଭୁଲ୍‌।
ଗାଁ ହେଉ କି ସହର, ସବୁଠି ଆଜି ଦୁର୍ବିଷହ ହୋଇ ପଡ଼ିଛି ପରିଣତ ବୟସରେ ପହଞ୍ଚିଥିବା ବାପାଙ୍କ ଜୀବନ। ସମ୍ପତ୍ତି ବାରି ଭାଗ ହେଲା ପରି ବାପା ବି ଏଠି ଭାଗ ହେଉଛନ୍ତି ଭାଇ ଭାଇ ଭିତରେ। ବାପାଙ୍କୁ ବି ଏ ଘର ସେ ଘର ହେବାକୁ ପଡୁଛି ଦୁଇ ଓଳି ଦି’ ମୁଠା ଖାଇବା ପାଇଁ। ପନ୍ଦର ଦିନ ବଡ଼ ବୋହୂ ହାତ ଟେକାକୁ ଚାହୁଁଛନ୍ତି ତ ବାକି ପନ୍ଦର ଦିନ କଟୁଛି ସାନ ବୋହୂ ଦୟାରେ। ବାପାଙ୍କର ପେନ୍‌ସନ କିମ୍ବା ଅନ୍ୟ କିଛି ସ୍ଥାୟୀ ରୋଜଗାର ଥିଲେ ରକ୍ଷା। ସେତକ ହାତେଇବା ପାଇଁ ଅନ୍ତତଃ ଅଜାଡି ହୋଇ ପଡ଼େ କିଛି କୃତ୍ରିମ ଭକ୍ତି ଓ ଭଲ ପାଇବା।
ଯିଏ ଯାହା ହତାଦର କଲେ ବି କାହାରି ପ୍ରତି କମିଯାଏନି ବାପାଙ୍କ ସ୍ନେହ। ହଜାର ହତାଦର ସତ୍ତ୍ୱେ ବି ପିଲାଙ୍କୁ ନିଜ ସ୍ନେହ ଡୋରିରେ ବାନ୍ଧି ରଖିବାକୁ ଚାହାନ୍ତି ବାପା। କେବଳ ସନ୍ତାନ ବତ୍ସଳତା ନୁହେଁ, ଅନାବିଳ ପିତୃଭକ୍ତି ବି ଥିଲା ଆମ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଅଥଚ ପିତୃଭକ୍ତିର ଅବକ୍ଷୟ ଧାରାକୁ ନେଇ ଏବେ ବଢୁଛି ସାଂସ୍କୃତିକ ସଙ୍କଟ। ବାପା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କଥା ଜାଣିବା ପରେ ବି ତତ୍କାଳ ଆସି ବାପାଙ୍କ ରୋଗଶଯ୍ୟା ପାଖରେ ପହଞ୍ଚିବା ପରିିବର୍ତ୍ତେ ପୁଅ ଖୋଜୁଛି ନ ଆସିବାର ବାହାନା। କିଏ ବି ଆସୁଛି ସବୁ ସରିଗଲା ପରେ, ବାପା ଅର୍ଜିଥିବା ଜମିବାଡ଼ି ଓ ଗଛବୃଚ୍ଛ ବିକିଭାଙ୍ଗି ନେଇଯିବା ପାଇଁ । ଏମାନଙ୍କ ଭିତରୁ ଅନେକେ ଅଛନ୍ତି, ଯିଏ ବାପାଙ୍କ ଏକାଦଶ କର୍ମରେ ଆଡ଼ମ୍ବରପୂର୍ଣ୍ଣ ଭୋଜି ଭାତର ଆୟୋଜନ କରନ୍ତି କେବଳ ମିିଛ ପିତୃଭକ୍ତି ପ୍ରଦର୍ଶନ ପାଇଁ। ବାସ୍ତବରେ ଏହା କିଛି ସିନେମାର କାହାଣୀ ନୁହେଁ, ଆମ ସମୟର ନଗ୍ନ ବାସ୍ତବତା। ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ଅବକ୍ଷୟକୁ କଥାସମ୍ରାଟ ଫକୀର ମୋହନ ହିଁ ପ୍ରଥମେ ଠାବ କରିପାରିଥିଲେ ନିଜ ସୂକ୍ଷ୍ମ ଦୃଷ୍ଟି ବଳରେ। ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ସମ୍ପର୍କରେ ସଚେତନ କରାଇ ଦେବା ପାଇଁ ସେ ଡାକ ମୁନ୍‌ସୀ ଗଳ୍ପ ଲେଖି ଇଂଲିଶ ପଢୁଆ ବାବୁମାନଙ୍କୁ ମାରିଥିଲେ ତେରଛା ବାଣ। ହେଲେ ଏବେ ଦିନକୁ ଦିନ ସେହି ଗୋପାଳମାନଙ୍କ ସଂଖ୍ୟା ବଢୁଛି ଓ ସେମାନେ ହରି ସିଂମାନଙ୍କୁ ଦେଖାଇ ଚାଲିଛନ୍ତି ଜରା ନିବାସ ଆଡ଼କୁ ରାସ୍ତା।
କୁହାଯାଏ ଯିଏ ଆନନ୍ଦ ଦିଏ ସେ ନନ୍ଦନ। କିନ୍ତୁ ନନ୍ଦନମାନେ ଯଦି ମାତାପିତା ସେବାକୁ ପରମ କର୍ତ୍ତବ୍ୟ ବୋଲି ନ ଭାବିବେ, ତେବେ କିଏ ଦେବ ତାଙ୍କୁ ଆନନ୍ଦ? କହିଲେ ଦେଖି ପୁଅ ଯଦି ବାପାର ଶେଷ ବେଳରେ ପାଖରେ ରହିବନି, ଶୁଦ୍ଧିକ୍ରିୟାକୁ ଆସିବନି, ତେବେ କେଡେ ଦୁର୍ବିଷହ ହୋଇପଡ଼ିବ ଏ ସୁନ୍ଦର ପୃଥିବୀ! ଏହି ପରିପ୍ରେକ୍ଷୀରେ ଆମେ ମନେରଖିବା ଉଚିତ ପ୍ରତ୍ୟେକ ବାପା ଅନେକ ସାଉଣ୍ଟା ଅଭିଜ୍ଞତାରେ ପରିପୂର୍ଣ୍ଣ ଜଣେ ଜଣେ ଚଳନ୍ତି ଈଶ୍ବର। ଈଶ୍ବର ଆଉ କିଏ କି ? ତେଣୁ ମନ୍ଦିରରେ ପାଷାଣ ଅବା ଧାତୁ ନିର୍ମିତ ପ୍ରତିମା ପାଖରେ ଭୋଗ ଲଗାଇବା ଅପେକ୍ଷା ଏହି ଚଳନ୍ତି ଈଶ୍ବରଙ୍କ ଯତ୍ନ ନେଲେ ଅଜାଡ଼ି ହୋଇପଡ଼ିବ ଆଶୀର୍ବାଦର ଫୁଲ, ଯାହା କେବେ ଦେଇପାରନ୍ତି ନାହିଁ କୌଣସି ମନ୍ଦିରର ଦେବଦେବୀ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?