ଚଳନ୍ତି ଈଶ୍ବର

ଡ. ପ୍ରଫୁଲ୍ଲ କୁମାର ସାହୁ

ବାପା କେବଳ ଏକ ଶବ୍ଦ ନୁହେଁ, ଅନୁଭବ। ସ୍ବପ୍ନର ଝଲକାଏ ଆତ୍ମପ୍ରକାଶ। ଆମ ମୁଗ୍ଧ ଅନୁଭବର ଏକ ଅମୃତମୟ ସତ୍ତା; ଯାହାକୁ ବୁଝେଇ ହୁଏ ନାହିଁ କୌଣସି ସଂଜ୍ଞାରେ। ନିଅଣ୍ଟ ପଡ଼େ ଶବ୍ଦ। ସେ ପିଲାଙ୍କୁ ଗଢ଼ନ୍ତି ଅତି ଆଦର ଓ ଯତ୍ନରେ। ନିଜ ଆଖି ଲୁହ ନିଜେ ପିଇ ପିଲାଙ୍କୁ ହସିବା ଶିଖାନ୍ତି ଏବଂ ବତେଇ ଦିଅନ୍ତି ମୁଠାଏ ମାଟିକୁ ଚନ୍ଦନରେ ପରିଣତ କରିବାର ମନ୍ତ୍ର। ତାଙ୍କର ଏହି ସକଳ ଶ୍ରମ ଓ ସାଧନା ଫୁଲ ହୋଇ ଫୁଟିିଲା ମାତ୍ରେ ଖୁସିରେ ଫାଟି ପଡ଼େ ବାପାଙ୍କ ଛାତି। ମାତ୍ର ଜୀବନ୍ୟାସ ପାଇଥିବା କଣ୍ଢେଇଟା ଯଦି ମା’ ପାଲଟି ଯାଏ, ତେବେ ଅତି ଦୟନୀୟ ଭାବରେ ନିଜ ପାଖରେ ନିିଜେ ହାରିଯାଏ ପିତୃତ୍ୱ।
ପିତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ଆମ ସଂସ୍କୃତିର ଏକ ବିଶେଷତ୍ୱ, ଯା’ର ମୂଳ ଆଧାର ହେଉଛି ଏକାନ୍ନବର୍ତ୍ତୀ ପରିବାର ପରମ୍ପରା। ଦିନ ଥିଲା ପୁଅ, ବୋହୂ, ନାତି, ନାତୁଣୀ ଓ ଅଣନାତି ପ୍ରମୁଖ ବହୁକୁଟୁମ୍ବଙ୍କୁ ନେଇ ସକାଳୁ ରାତିଯାଏ କମ୍ପୁଥିଲା ଘର। ବାପା ଥିଲେ ସେ ଘରର ମେରୁଖୁଣ୍ଟ। ପିଲାମାନେ ଯିଏ ଯେତେ ଉପରକୁ ଗଲେ ବି ପରିବାରରେ କେବେ ଅଚଳ ହେଉ ନ ଥିଲା ବାପାଙ୍କ ମୁରବିପଣିଆ। ଏହା ହିଁ ଦିନେ ପାଶ୍ଚାତ୍ୟ ଲୋକଙ୍କ ପାଇଁ ଥିଲା ବିସ୍ମୟ ଓ ଅବୋଧ୍ୟ। ସେମାନେ ଖୋଜି ପାଉ ନ ଥିଲେ ଜଣେ ଅଶୀ ନବେ ବର୍ଷର ବୁଢ଼ା ବଙ୍କୁଲି ବାଡ଼ି ଖଣ୍ଡେ ଧରି ଏତେ ବଡ଼ ପରିବାରକୁ ଚଳେଇ ପାରିବାର ଅସଲ ରହସ୍ୟ।
ଆମ ପାରିବାରିକ ଜୀବନବୋଧର ସେ ମହତ୍ତ୍ୱ ଆଜି ନିରୁଦ୍ଦିଷ୍ଟ। ଏକ ବିକୃତ ଆଧୁନିକ ରୁଚିବୋଧ ଲୁଟି ନେଇଛି ଆମ ଯୌଥ ପରିବାରର ମୂଲ୍ୟବୋଧ। ବୈଷୟିକ ସଂସ୍କୃତିର ପରୋକ୍ଷ ପୀଡ଼ନରେ ଲୋଚାକୋଚା ହୋଇଯାଇଛି ବାପାଙ୍କ ମୁରବିପଣିଆ। ପରିଣତ ବୟସରେ ପହଞ୍ଚିବା ପରେ ବାପାମାନେ ଏବେ ପିଲାଙ୍କ ଆଖିରେ ପାଲଟି ଯାଉଛନ୍ତି ପରିବାରର ବୋଝ। ସେ ଜଞ୍ଜାଳ ହଟେଇବା ପାଇଁ ପୁଅ ଉପରେ ଅଜାଡ଼ି ହୋଇପଡୁଛି ବୋହୂର ଗାଳି। ଦିନ ଥିଲା ବୋହୂର କାନକୁହା କଥାକୁ ପୁଅ ଏ କାନରେ ପୂରେଇ ସେ କାନରେ ବାହାର କରି ଦେଉଥିଲା । ସେତେବେଳେ ଯେ ପୁଅ ବୋହୂକୁ ଭଲ ପାଉ ନ ଥିଲା ତା’ ନୁହେଁ, କିନ୍ତୁ ସେ ଭଲ ପାଇବାର ଫାଇଦା ଉଠାଇ ବାପାଙ୍କ ମୁହଁ ଉପରେ ଜବାବ ଦେଇପାରୁ ନ ଥିଲା ବୋହୂ। ଏବେ କିନ୍ତୁ ବୋହୂ କଥାରେ ଉଠ ବସ ହେଉଥିବା ପୁଅଙ୍କ ସଂଖ୍ୟା ଶତକ ନବେରୁ ଅଧିକ। ସେମାନଙ୍କର ନିର୍ଲଜ୍ଜପଣ ପାଇଁ ଭୂଲୁଣ୍ଠିତ ହେଲାଣି ବାପାଙ୍କ ଟାଣପଣ। ତାଙ୍କ ଦିନ ଏବେ କଟୁଛି ବୋହୂର ଫିଙ୍ଗା ଫୋପଡ଼ା, ହତାଦର ଓ ବେଖାତିର ଭିତରେ। ଜୀବନର ସାୟାହ୍ନରେ ସବୁ ବାପା ମା’ ଚାହାନ୍ତି ବାକି ଜୀବନଟା ପୁଅବୋହୂ ନାତି ନାତୁଣୀଙ୍କ ଗହଣରେ କଟେଇ ଦେବେ ହସଖୁସିରେ। ବର୍ତ୍ତମାନ ସମୟରେ ପିଲାମାନଙ୍କଠାରୁ ଦୂରରେ ରହି ସେମାନେ ଅଭିଶପ୍ତ ଜୀବନ କାଟୁଛନ୍ତି ନିଜ ଭିଟାମାଟିରେ କିମ୍ବା କେଉଁ ଜରା ନିବାସରେ।
ସହର ହେଉ କି ଗାଁ ହେଉ, ଉତ୍ପୀଡ଼କ ନିିଃସଙ୍ଗତା ଭିତରେ କାଳ କାଟୁଛନ୍ତି ଅନେକ ଅସହାୟ ବାପା। ପର ଲାଗିଲା କ୍ଷଣି ପିିଲାମାନେ ଯିଏ ଜୁଆଡ଼େ ଉଡ଼ି ଯାଉଛନ୍ତି ନିଜ ଇଚ୍ଛାରେ। ଏ ଜାତି କ’ଣ ଆଗରୁ ବଣିଜ ବେପାର ପାଇଁ ବାହାରକୁ ଯାଉ ନ ଥିଲା? ହେଲେ ଯିଏ ଯୁଆଡ଼େ ଗଲେ ବି କେବେ ଭୁଲି ଯାଉ ନ ଥିଲା ଗାଁ ମାଟିକୁ। ଏବେ କିନ୍ତୁ ସହରରେ ଘର ତୋଳି ରହୁଥିବା ପିଲାଙ୍କର ଆଉ ମନେ ପଡୁନି ଗାଁର ଭିଟା ମାଟିକୁ ଜାବୁଡ଼ି ଧରି ପଡ଼ିଥିବା ବାପାଙ୍କ କଥା, ଯେଉଁ ବାପା ଦିନେ ନିଜେ ଭୋକର ଉହ୍ମେଇରେ ଜଳି ଜଳି ଦେଖୁଥିଲେ ତାକୁ ହାକିମ କରି ଗଢ଼ି ତୋଳିବାର ସ୍ବପ୍ନ। ପୁଅକୁ ବେଶି ପାଠ ପଢ଼ାଇବା ଜିଦ୍‌ରେ କେବେ ତା’ ମା’ର କାନଫୁଲ ବନ୍ଧା ପକାଇ ଦେଇଥିଲେ ତ କେବେ ବିକ୍ରି କରି ଦେଇଥିଲେ ଜମିବାଡ଼ି। ଅଥଚ ସେହି ବାପା ଆଜି ଏକୁଟିଆ ବସି ଗୁମୁରି ଗୁମୁରି କାନ୍ଦୁଛି । କିଏ ଅଛି ବୁଝିବାକୁ ତାଙ୍କ ଅନ୍ତରର କୋହ? ପୁଅ ତା’ ପିଲା ଛୁଆଙ୍କୁ ନେଇ ରହୁଛି ସହରରେ। ନିୟମିତ ଗାଁକୁ ଆସି ବାପାଙ୍କ ଭଲ ମନ୍ଦ ବୁଝିବା ତ ଦୂରର କଥା ଟେଲିଫୋନରେ କଥାପଦେ ହେବାକୁ ବି ତା’ ପାଖରେ ସମୟ ନାହିଁ। ଏହି ନିଃସଙ୍ଗତାକୁ ଡରି କେତେକ ବାପା ବି ଗାଁର ସମ୍ପତ୍ତି ବାଡ଼ି ବିକି ଦେଇ ସହରରେ ଯାଇ ରହୁଛନ୍ତି ପୁଅ ପାଖରେ। ହେଲେ ସେମାନେ ଯେ ସମସ୍ତେ ଭଲରେ ଅଛନ୍ତି, ତାହା ଭାବିବା ଭୁଲ୍‌।
ଗାଁ ହେଉ କି ସହର, ସବୁଠି ଆଜି ଦୁର୍ବିଷହ ହୋଇ ପଡ଼ିଛି ପରିଣତ ବୟସରେ ପହଞ୍ଚିଥିବା ବାପାଙ୍କ ଜୀବନ। ସମ୍ପତ୍ତି ବାରି ଭାଗ ହେଲା ପରି ବାପା ବି ଏଠି ଭାଗ ହେଉଛନ୍ତି ଭାଇ ଭାଇ ଭିତରେ। ବାପାଙ୍କୁ ବି ଏ ଘର ସେ ଘର ହେବାକୁ ପଡୁଛି ଦୁଇ ଓଳି ଦି’ ମୁଠା ଖାଇବା ପାଇଁ। ପନ୍ଦର ଦିନ ବଡ଼ ବୋହୂ ହାତ ଟେକାକୁ ଚାହୁଁଛନ୍ତି ତ ବାକି ପନ୍ଦର ଦିନ କଟୁଛି ସାନ ବୋହୂ ଦୟାରେ। ବାପାଙ୍କର ପେନ୍‌ସନ କିମ୍ବା ଅନ୍ୟ କିଛି ସ୍ଥାୟୀ ରୋଜଗାର ଥିଲେ ରକ୍ଷା। ସେତକ ହାତେଇବା ପାଇଁ ଅନ୍ତତଃ ଅଜାଡି ହୋଇ ପଡ଼େ କିଛି କୃତ୍ରିମ ଭକ୍ତି ଓ ଭଲ ପାଇବା।
ଯିଏ ଯାହା ହତାଦର କଲେ ବି କାହାରି ପ୍ରତି କମିଯାଏନି ବାପାଙ୍କ ସ୍ନେହ। ହଜାର ହତାଦର ସତ୍ତ୍ୱେ ବି ପିଲାଙ୍କୁ ନିଜ ସ୍ନେହ ଡୋରିରେ ବାନ୍ଧି ରଖିବାକୁ ଚାହାନ୍ତି ବାପା। କେବଳ ସନ୍ତାନ ବତ୍ସଳତା ନୁହେଁ, ଅନାବିଳ ପିତୃଭକ୍ତି ବି ଥିଲା ଆମ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଅଥଚ ପିତୃଭକ୍ତିର ଅବକ୍ଷୟ ଧାରାକୁ ନେଇ ଏବେ ବଢୁଛି ସାଂସ୍କୃତିକ ସଙ୍କଟ। ବାପା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କଥା ଜାଣିବା ପରେ ବି ତତ୍କାଳ ଆସି ବାପାଙ୍କ ରୋଗଶଯ୍ୟା ପାଖରେ ପହଞ୍ଚିବା ପରିିବର୍ତ୍ତେ ପୁଅ ଖୋଜୁଛି ନ ଆସିବାର ବାହାନା। କିଏ ବି ଆସୁଛି ସବୁ ସରିଗଲା ପରେ, ବାପା ଅର୍ଜିଥିବା ଜମିବାଡ଼ି ଓ ଗଛବୃଚ୍ଛ ବିକିଭାଙ୍ଗି ନେଇଯିବା ପାଇଁ । ଏମାନଙ୍କ ଭିତରୁ ଅନେକେ ଅଛନ୍ତି, ଯିଏ ବାପାଙ୍କ ଏକାଦଶ କର୍ମରେ ଆଡ଼ମ୍ବରପୂର୍ଣ୍ଣ ଭୋଜି ଭାତର ଆୟୋଜନ କରନ୍ତି କେବଳ ମିିଛ ପିତୃଭକ୍ତି ପ୍ରଦର୍ଶନ ପାଇଁ। ବାସ୍ତବରେ ଏହା କିଛି ସିନେମାର କାହାଣୀ ନୁହେଁ, ଆମ ସମୟର ନଗ୍ନ ବାସ୍ତବତା। ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ଅବକ୍ଷୟକୁ କଥାସମ୍ରାଟ ଫକୀର ମୋହନ ହିଁ ପ୍ରଥମେ ଠାବ କରିପାରିଥିଲେ ନିଜ ସୂକ୍ଷ୍ମ ଦୃଷ୍ଟି ବଳରେ। ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ସମ୍ପର୍କରେ ସଚେତନ କରାଇ ଦେବା ପାଇଁ ସେ ଡାକ ମୁନ୍‌ସୀ ଗଳ୍ପ ଲେଖି ଇଂଲିଶ ପଢୁଆ ବାବୁମାନଙ୍କୁ ମାରିଥିଲେ ତେରଛା ବାଣ। ହେଲେ ଏବେ ଦିନକୁ ଦିନ ସେହି ଗୋପାଳମାନଙ୍କ ସଂଖ୍ୟା ବଢୁଛି ଓ ସେମାନେ ହରି ସିଂମାନଙ୍କୁ ଦେଖାଇ ଚାଲିଛନ୍ତି ଜରା ନିବାସ ଆଡ଼କୁ ରାସ୍ତା।
କୁହାଯାଏ ଯିଏ ଆନନ୍ଦ ଦିଏ ସେ ନନ୍ଦନ। କିନ୍ତୁ ନନ୍ଦନମାନେ ଯଦି ମାତାପିତା ସେବାକୁ ପରମ କର୍ତ୍ତବ୍ୟ ବୋଲି ନ ଭାବିବେ, ତେବେ କିଏ ଦେବ ତାଙ୍କୁ ଆନନ୍ଦ? କହିଲେ ଦେଖି ପୁଅ ଯଦି ବାପାର ଶେଷ ବେଳରେ ପାଖରେ ରହିବନି, ଶୁଦ୍ଧିକ୍ରିୟାକୁ ଆସିବନି, ତେବେ କେଡେ ଦୁର୍ବିଷହ ହୋଇପଡ଼ିବ ଏ ସୁନ୍ଦର ପୃଥିବୀ! ଏହି ପରିପ୍ରେକ୍ଷୀରେ ଆମେ ମନେରଖିବା ଉଚିତ ପ୍ରତ୍ୟେକ ବାପା ଅନେକ ସାଉଣ୍ଟା ଅଭିଜ୍ଞତାରେ ପରିପୂର୍ଣ୍ଣ ଜଣେ ଜଣେ ଚଳନ୍ତି ଈଶ୍ବର। ଈଶ୍ବର ଆଉ କିଏ କି ? ତେଣୁ ମନ୍ଦିରରେ ପାଷାଣ ଅବା ଧାତୁ ନିର୍ମିତ ପ୍ରତିମା ପାଖରେ ଭୋଗ ଲଗାଇବା ଅପେକ୍ଷା ଏହି ଚଳନ୍ତି ଈଶ୍ବରଙ୍କ ଯତ୍ନ ନେଲେ ଅଜାଡ଼ି ହୋଇପଡ଼ିବ ଆଶୀର୍ବାଦର ଫୁଲ, ଯାହା କେବେ ଦେଇପାରନ୍ତି ନାହିଁ କୌଣସି ମନ୍ଦିରର ଦେବଦେବୀ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri