ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସ୍ବର୍ଗତ ସିଂହ ବିଜେଡିର ଜଣେ ଆଗଧାଡ଼ିର ନେତା ଥିଲେ। ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ସେ ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ। ବରଗଡ଼ ଜିଲା ସୋହେଲା ବ୍ଲକ ବାଉଶେନମୁରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ସିଂହଙ୍କ ପରଲୋକରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

