ମାଲକାନଗିରି,୧୦।୧(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ରାଜ୍ୟ ସୁର଼୍ୟାପେଟ ଜିଲା ଇଲାପୁରମ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡରେ ଓଡ଼ିଶାର ଧର୍ମଗଡରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସ୍ ଗୁରୁବାର ମଧ୍ୟ ରାତ୍ରରେ ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଶ୍ରମିକ ଓ ଜଣେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଆହତ ହୋଇଛନ୍ତି।
ମୃତକଙ୍କ ମଧ୍ୟରେ କୋରାପୁଟ ଜିଲା କାମତା ଗ୍ରାମର ରୁପୁ ହରିଜନ (୫୧), ସୁଲୁ ହରିଜନ (୪୬), ସୁନାମଣି ହରିଜନ (୬୧), ନବରଙ୍ଗପୁର ଜିଲା ହାତୀଗୁଡା ଗ୍ରାମର ପ୍ରତ୍ୟୁଷ ପ୍ରଭାତ ହରିଜନ (୧୭) ଓ ନବରଙ୍ଗପୁର ଜିଲା ତୁମ୍ବାର୍ଲା ଅଞ୍ଚଳ ଲହରିକାନୀ ଗ୍ରାମର ସୁନିଲ ଗରଡା (୩୭) ବସ୍ ଡ୍ରାଇଭର ଅଛନ୍ତି। ପୋଲିସ ଓ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ତେଲଙ୍ଗାନା ପୋଲିସ ମୃତଦେହ ଜବତକରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ଧର୍ମଗଡ ସିନାପାଲୀରୁ ନବରଙ୍ଗପୁର, ଜୟପୁର ଓ ମାଲକାନଗିରି ଦେଇ ହାଇଦ୍ରାବାଦ ଅଭିମୁଖେ ଗୁପ୍ତା ନାମକ ଏକ ଘରୋଇ ବସ୍ ଯାଉଥିବା ସମୟରେ ଗୁରୁବାର ମଧ୍ୟରାତ୍ରରେ ତେଲଙ୍ଗାନା ସୁର଼୍ୟାପେଟ ଜିଲା ଇଲାପୁରମ୍ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଫଳରେ ବସ୍ରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଆହତଙ୍କୁ ସୁର଼୍ୟାପେଟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ୨୦ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ା