
ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ଅଦିନିଆ ବର୍ଷା ପଶ୍ଚିମ ଓଡ଼ିଶାରେ ରହିଥିବା ବିଭିନ୍ନ ଜିଲାର ଚାଷୀଙ୍କ ଧାନକୁ ଉଜାଡ଼ି ଦେଇଛି। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା କାରଣରୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। କ୍ଷେତ, ଖଳା ତଥା ଶୁଖା ଯାଇଥିବା ସ୍ଥାନ ଭିଜି ନଷ୍ଟ ହୋଇ ଯାଇଛି। ଧାନରୁ ଗଜା ବାହାରି ଯାଇଥିବାବେଳେ କ୍ଷେତରେ ଧାନପେଟା ଗୁଡ଼ିକ ପଚି ଯାଇଛି। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାବେଳେ ଚାଷୀଙ୍କ ମାନସିକ, ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା(ୟୁଆରଏସ୍)ରେ ସମସ୍ତ ଚାଷୀଙ୍କ ସବୁଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିବା ପାଇଁ ଘୋଷଣା କରନ୍ତୁ ବୋଲି ମଙ୍ଗଳବାର ବରଗଡ଼ ସମତା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ ସମିତିର ଆବାହକ ଅଶୋକ ପ୍ରଧାନ କହିଥିଲେ, ସାଧାରଣତଃ ଖରିଫ୍ ଅପେକ୍ଷା ରବିଋତୁରେ ଅମଳ ଧାନ ଚାଷୀମାନଙ୍କୁ ଅଧିକ ଶକ୍ତି ଯୋଗାଇଥାଏ। ଅର୍ଥାତ୍ ଖରିଫ ତୁଳନାରେ ରବିଧାନରେ ଅଧିକ ଆୟ ହୋଇଥାଏ। ଏଥର ରବିଧାନ ବହୁତ ଭଲ ତଥା ବମ୍ପର୍ କ୍ରପ୍ ହୋଇଥିଲା। ଚାଷୀଙ୍କ ମନରେ ଆୟ ବଢ଼ିବା ଆଶା ମଧ୍ୟ ରହିଥିଲା। କିନ୍ତୁ ଅଦିନିଆଁ ବର୍ଷା ସେହି ଆଶାକୁ ଧୂଳିସାତ୍ କରିଦେଲା। ବର୍ତ୍ତମାନ ଧାନର ମାନକୁ ନେଇ ପ୍ରଶ୍ନ ଉଠିଛି। ଏବେ କଟନୀଛଟନୀର କୌଣସି ସୀମା ନାହିଁ। ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି। ଏଭଳି ସ୍ଥିତିରେ ବିଗତ ଦିନରେ ଆମ ରଜ୍ୟ ସମେତ ପଞ୍ଜାବ ଆଦି ରାଜ୍ୟରେ ୟୁଆରଏସ୍ରେ ସରକାର ଧାନ କିଣିବାର ନଜିର୍ ରହିଛି। ଫଳରେ ଏଥର ମଧ୍ୟ ରାଜ୍ୟ ସରକାର ସେହି ଯୋଜନାରେ ଧାନ କିଣନ୍ତୁ ବୋଲି ସେ ଦାବି କରିଥିଲେ।
ସେହିପରି ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ କହିଥିଲେ, ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସରକାର, ପ୍ରଶାସନ ନିଷ୍କ୍ରିୟ ହୋଇ ପଡ଼ିବା ବିଡ଼ମ୍ବନାର ବିଷୟ। ଧାନଚାଷ ବାବଦକୁ ଉପତ୍ାଦନ ଖର୍ଚ୍ଚ ଇତିମଧ୍ୟରେ ବହୁଗୁଣ ବୃଦ୍ଧି ହୋଇଥିବା ସମୟରେ ଚାଷୀମାନଙ୍କୁ ଏକ ମାନଧାତା ଅମଳର ପୁରୁଣା ରିଲିଫ୍ କୋଡ୍ ଆଧାରରେ କେବଳ ୨ହେକ୍ଟର ଜମି ବାବଦକୁ ମାତ୍ର ୨୭ହଜାର ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯାଉଛି। ଏହା ଏକ ଉପହାସ ବୋଲି ଅଭିଯୋଗ କରି ରାଜ୍ୟ ସରକାର ରିଲିଫ୍ କୋଡ୍ ସଂଶୋଧନ ପୂର୍ବକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପ୍ରତି ୧ଲକ୍ଷ ଟଙ୍କା କ୍ଷତିପୂରଣ ସମସ୍ତ ଜମି ପାଇଁ ପ୍ରଦାନ କରିବା ସହିତ ୟୁଆରଏସ୍ରେ ଚାଷୀଙ୍କ ସବୁଧାନକୁ କିଣିବାକୁ ସେ ଦାବି କରିଥିଲେ। ଏହା ସହିତ ଚାଷୀମାନଙ୍କଠାରୁ ଯୁଦ୍ଧକାଳୀନ ଭିତ୍ତିରେ ସପ୍ତାହକ ମଧ୍ୟରେ ସବୁଧାନ କିଣିନେବା ପାଇଁ ଲିଙ୍ଗରାଜ ଦାବି କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ପ୍ରବକ୍ତା ସରୋଜ, ଜୟ କିସାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆଁ, ପୂର୍ବତନ ସମ୍ପାଦକ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।