ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ ହୋଇଛି। ବିଶେଷକରି ସହରର ବସଷ୍ଟାଣ୍ଡ,୨ ନଂ ୱାର୍ଡ ର ସାହାଣୀ ସାହି, ବିଷ୍ଣୁ ପ୍ରିୟା ନଗର,କାଳିଆ ନଗର, ଲକ୍ଷ୍ମୀନୃସିଂହ ନଗର ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର, କୋରାପୁଟ, କଳାହାଣ୍ଡି, ମାଲିକାନାଗିରି ଜିଲା ସମେତ ପଡୋଶୀ ଆନ୍ଧ୍ର,ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ କୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜପଥର ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ଶୁକ୍ରବାର ସକାଳୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ଫଳରେ ରାସ୍ତାକଡରେ ଥିବା ୨ଟି ରାଷ୍ଟ୍ରାୟତ ବ୍ୟାଙ୍କ, ଏଟିଏମ୍, ବିଭିନ୍ନ ବ୍ୟକ୍ତିମାନଙ୍କ ଦୋକାନ ଓ ଅନେକ ଲୋକଙ୍କ ଘରେ ନର୍ଦ୍ଦମା ବର୍ଷା ପାଣି ପଶିଯାଇଥିଲା ।
ସେହିପରି ଦିଗପହଣ୍ଡି-ଚିକିଟି ରାସ୍ତାର ଦଳିତ ସାହି ନିକଟ ମୁଖ୍ୟରାସ୍ତାରେ ୨ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ କାରଣରୁ ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇ ପଡି଼ିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା । ବର୍ଷାଜଳର ପ୍ରଖର ସ୍ରୋତ ଏପରି ରହିଥିଲା ଯେ ଯାତାୟାତ କରୁଥିବା ଯାନବାହନ ଚାଳକ ଏବଂ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମନେ କରୁନଥିଲେ ।ଶନିବାର ମଧ୍ୟ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର, ତହସିଲଦାର ସନ୍ତୋଷ କୁମାର ସାହୁ, ଏନ୍ଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ପ୍ରମୁଖ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜଳ ନିଷ୍କାସନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଅପରପକ୍ଷରେ ଗତ ‘ ବାତ୍ୟା ଜନିତ ବର୍ଷା କାରଣରୁ ବସଷ୍ଟାଣ୍ଡ ଠାରେ ବାତ୍ୟା ଜନିତ ବର୍ଷା କାରଣରୁ ବସଷ୍ଟାଣ୍ଡ ଠାରେ ସମାନ ସ୍ଥିତି ଉପୁଜିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ଯବସ୍ଥା ମଧ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ନିମନ୍ତେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର କରାଯିବ ବୋଲିି ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ବୃନ୍ଦ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏନେଇ ସ୍ଥାନୀୟ ବାସିନ୍ଦା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବର୍ଷାପାଣି ନିଷ୍କାସନ ପାଇଁ ବ୍ରିଜ ନିର୍ମାଣ କାର୍ଯ୍ୟ କେବେ ହେବ ଏବଂ ଏଠାକାର ଲୋକଙ୍କ ସମସ୍ୟା କେବେ ଦୂର ହେବ ବୋଲି ପ୍ରଶ୍ନ କରୁଛନ୍ତି। ଏନେଇ ତହସିଲଦାରଙ୍କୁ ପଚାରିବାରୁ ସୁଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସହର ଉପକଣ୍ଠ ଚାଙ୍ଗୁଡ଼ିଦେଇ ପର୍ବତରୁ ବର୍ଷା ପାଣି ସମେତ ପ୍ରାୟ ୫ ଶହ ଏକର ଜମିରୁ ବର୍ଷାଜଳ ଓ ନାଳନର୍ଦ୍ଦମା ପାଣି ଏଠାରେ ଜମା ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ସେ କହିଛନ୍ତି । ଏନେଇ ବୈଷୟିକ ଟିମ୍ ସହାୟତାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ସେ ଜଣାଇଛନ୍ତି । ସହର ସଂଲଗ୍ନ ପ୍ରାକୃତିକ ଜଳଉତ୍ସ, ସରକାରୀ ପାଣି ନାଳ, ଗୋଚର, ଦଣ୍ଡା ରାସ୍ତା, ଶାଖା କେନାଲ ଗୁଡ଼ିକୁ କିଛି ଜମି ମାଫିଆ,ପ୍ଲଟ ବ୍ୟବସାୟୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ବାସଗୃହ, ବାଣିଜ୍ୟକ ପ୍ରତିଷ୍ଠାନ କରିଛନ୍ତି । ଫଳରେ ବସଷ୍ଟାଣ୍ଡ ଇଲାକାରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଜଳବନ୍ଦୀ ଭଳି ସ୍ଥିତି ସୃଷ୍ଟି ହେଉଥିବା ବସଷ୍ଟାଣ୍ଡ ବାସିନ୍ଦା ପରେଶ ଚନ୍ଦ୍ର ମୁଖାର୍ଜୀ, ସଂଗ୍ରାମ କେଶରୀ ରଥ, ଇ. ସିମାଦ୍ରୀ, ପ୍ରଭାକର ସାହୁ,ୟୁ.ଗୌରାଙ୍ଗ,ଏମ.ପଞ୍ଚାନନ,ଏ. ବଦ୍ରି ପାତ୍ର,ଦୀପ୍ତିକାନ୍ତ ମହାଙ୍କୁଡ ପ୍ରମୁଖ କହିଛନ୍ତି ।

