ଲକ୍ଷ୍ୟଠାରୁ ଦୂରରେ ରୁଷା

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷାରେ ବିକାଶ ଲାଗି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)ରୁ ପ୍ରଚୁର ଅର୍ଥ ଆସୁଛି। ପ୍ରତି ଆର୍ଥିକବର୍ଷରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରୁଷା ପାଣ୍ଠିରୁ ଅନୁଦାନ ମିଳୁଛି। ହେଲେ ଏସବୁକୁ ଶିକ୍ଷାନୁଷ୍ଠାନଗୁଡ଼ିକ ବିନିଯୋଗ କରିପାରୁନାହାନ୍ତି। ଏପରିିକି ଅଧିକାଂଶ ଶିକ୍ଷାନୁଷ୍ଠାନ ଅର୍ଥ ବିନିଯୋଗର ପ୍ରମାଣପତ୍ର ଠିକ୍‌ ସମୟରେ ଦାଖଲ କରୁନାହାନ୍ତି। ଫଳସ୍ବରୂପ ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହୁଛି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ହେଉନାହିଁ କି ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁନାହିଁ। ରାଜ୍ୟରେ ଗତ ୮ବର୍ଷ ଧରି ରୁଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା ମାଧ୍ୟମରେ ଉଚ୍ଚଶିକ୍ଷାର ଯେତିକି ଭିତ୍ତିଭୂମି ବିକାଶ ହେବାକଥା ତାହା ହୋଇପାରିନାହିଁ। ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟ ସହ ରମାଦେବୀ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ଭଳି ଆଗଧାଡ଼ିର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ରୁଷା ଯୋଜନାରେ ମିଳିଥିବା ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। କେନ୍ଦ୍ରୀୟ ସଂସ୍ଥା ସେଣ୍ଟ୍ରାଲ ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ (ସିପିଡବ୍ଲ୍ୟୁଡି)କୁ ଦିଆଯାଇଥିବା କାମ ସବୁ ଅଧପନ୍ତରିଆ ହୋଇ ପଡ଼ିରହିଥିବା ବେଳେ ସିପିଡବ୍ଲ୍ୟୁଡି ହାତରେ ବିଶ୍ବବିଦ୍ୟାଳୟ ଭବିଷ୍ୟତ ଟେକିଦେଇ କର୍ତୃପକ୍ଷ ଚୁପ୍‌ ହୋଇ ବସିପଡ଼ୁଛିନ୍ତି।
୨୦୧୩-୧୪ ଆର୍ଥିକବର୍ଷରୁ ରାଜ୍ୟରେ ରୁଷା ଯୋଜନା ଆରମ୍ଭ ହୋଇଥିବା ବେଳେ ରୁଷା-୧ ଅଧୀନରେ ୨୦୨୦-୨୧ ପର୍ଯ୍ୟନ୍ତ ରାଜ୍ୟକୁ ଆର୍ଥିକ ଅନୁଦାନ ମିଳିଛି। ସେହିଭଳି ରୁଷା-୨ କାର୍ଯ୍ୟକ୍ରମ ୨୦୧୮-୧୯ରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲିଥିବା ବେଳେ ଏହା ଅଧୀନରେ ୩ବର୍ଷରେ ମୋଟ ୯୭.୬୭ କୋଟି ଟଙ୍କା ମିଳିଛି। ହେଲେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ସେଥିରୁ ମାତ୍ର ୩୨.୯୫ କୋଟି ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେହିଭଳି ରୁଷା-୧ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମୋଟ ୫୪୨ କୋଟି ଟଙ୍କା ମିଳିଥିବା ବେଳେ ସେଥିରୁ ମାତ୍ର ୩୩୫ କୋଟି ଟଙ୍କା ବିନିଯୋଗ ହୋଇପାରିଛି। ବିଗତ ୮ବର୍ଷରେ ମୋଟ କେନ୍ଦ୍ରୀୟ ଅନୁଦାନ ୩୨୪ କୋଟି ଟଙ୍କାରୁ ୨୨୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାରଙ୍କର ୨୧୭.୮୧ କୋଟି ଟଙ୍କା ଅନୁଦାନରୁ ୧୦୯.୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୩-୧୪ରେ କେନ୍ଦ୍ରରୁ ୩୪.୧୪ କୋଟି ଟଙ୍କା ଆସିଥିବା ରାଜ୍ୟ ସରକାର ରୁଷା ପାଣ୍ଠିକୁ ୧୮.୨ କୋଟି ଟଙ୍କା ଦେଇଥିଲେ। ହେଲେ ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିଲା ନାହିଁ। ସେହିଭଳି ୨୦୧୪-୧୫ରେ କେନ୍ଦ୍ରରୁ ୧୨.୮୪ କୋଟି ଏବଂ ରାଜ୍ୟରୁ ୬.୯ କୋଟିକୁ ମିଶାଇ ମୋଟ ୧୯.୭୪ କୋଟି ଟଙ୍କା ଆସିଥିଲେ ହେଁ ସେଥିରୁ ମଧ୍ୟ କିଛି ଖର୍ଚ୍ଚ ହୋଇପାରିନଥିଲା। ୨୦୧୫-୧୬ରେ ୧୪୦.୮ କୋଟିରୁ ୧୦.୬ କୋଟି ବିନିଯୋଗ ହୋଇଥିବା ବେଳେ କେନ୍ଦ୍ରରୁ ଆସିଥିବା ୮୧.୪୮ କୋଟିରୁ ମାତ୍ର ୯.୧୬ କୋଟି ଖର୍ଚ୍ଚ ହୋଇପାରିଛି। ୨୦୧୬-୧୭ରେ ୧୦୧ କୋଟିରୁ ୮୯.୩ କୋଟି, ୨୦୧୭-୧୮ ଆର୍ଥିକବର୍ଷରେ ୧୧୧.୧୫ କୋଟିରୁ ୧୦୩.୩୬ କୋଟି ଏବଂ ୨୦୧୮-୧୯ରେ ରୁଷା ପାଣ୍ଠିରୁ ୯୬.୩୮ କୋଟି ଟଙ୍କା ବିନିଯୋଗ ହୋଇପାରିଛି। ସେହିଭଳି ୨୦୧୯-୨୦ରେ ୩୫.୯୬ କୋଟିରୁ ୩୫.୧୩ କୋଟି ଏବଂ ୨୦୨୦-୨୧ ଆର୍ଥିକବର୍ଷରେ ୯.୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରୁଷା-୨ ଯୋଜନାରେ ୨୦୧୮-୧୯ ବର୍ଷ କେନ୍ଦ୍ରରୁ ୫୭.୪୦ କୋଟି ଟଙ୍କା ଓ ରାଜ୍ୟ ଅନୁଦାନରୁ ୩୮.୨୭ କୋଟି ଟଙ୍କାକୁ ମିଶାଇ ମୋଟ ୯୫.୬୭ କୋଟି ଟଙ୍କା ଆସିଥିଲା। ମାତ୍ର ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିନଥିଲା। ୨୦୧୯-୨୦ରେ ୧୦.୦୧ କୋଟି ଏବଂ ୨୦୨୦-୨୧ରେ ୨୨.୯୩ କୋଟି ଟଙ୍କାକୁ ମିଶାଇ ୩ବର୍ଷରେ ୯୭.୬୭ କୋଟିରୁ ମାତ୍ର ୩୨.୯୪ କୋଟି ଟଙ୍କା ବିନିଯୋଗ ହୋଇପାରିଛି।
ସବୁଠାରୁ ବଡ଼କଥା ହେଲା ଯେଉଁ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ବିକାଶର ଆବଶ୍ୟକତା ସର୍ବାଧିକ ରହିଛି ଉକ୍ତ ଅଞ୍ଚଳରେ କିନ୍ତୁ ରୁଷା ଅର୍ଥ ବିନିଯୋଗ ହୋଇପାରୁନାହିଁ। ଫଳରେ ପଛୁଆ ଅଞ୍ଚଳ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ଆଗେଇପାରୁନି। ମାଲାକାନାଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର ଜିଲାଗୁଡ଼ିରେ ରୁଷା ଅର୍ଥ ବିନିଯୋଗ ହୋଇପାରୁନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ଜିଲାଗୁଡ଼ିକରେ ଥିବା ରୁଷା ମଞ୍ଜୁରୀପ୍ରାପ୍ତ ଆଦର୍ଶ ସ୍ନାତ ମହାବିଦ୍ୟାଳୟଗୁଡ଼ିକରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅର୍ଥ ବିନିଯୋଗ ହୋଇପାରି ନଥିବା କୁହାଯାଇଛି। ରୁଷା ନିୟମାବଳୀ ଅନୁଯାୟୀ, ରୁଷା ମଞ୍ଜୁରୀପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ମଞ୍ଜୁରୀପ୍ରାପ୍ତ ଅର୍ଥର ୭୦% କାର୍ଯ୍ୟ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ ପ୍ରଦାନ କରିଥାନ୍ତି। ନୂତନ ଗୃହ ନିର୍ମାଣ ୩୫%, ମରାମତି ଓ ନବୀକରଣ ନିମନ୍ତେ ୩୫% କାର୍ଯ୍ୟ ବିଭିନ୍ନ ସଂସ୍ଥା ଦ୍ୱାରା କରିଥାନ୍ତି। ମାତ୍ର ଉକ୍ତ ସଂସ୍ଥାଗୁଡ଼ିକ ସମୟ ଅବଧି ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିପାରି ନଥାନ୍ତି। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅର୍ଥ ବିନିଯୋଗ ହୋଇପାରୁ ନଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବିନିଯୋଗ ପତ୍ର ଦାଖଲ କରିନଥିବା ଶିକ୍ଷାନୁଷ୍ଠାନଗୁଡ଼ିର ସମୀକ୍ଷା କରାଯାଇ ବିନିଯୋଗ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସାହୁ କହିଛନ୍ତି। କାର୍ଯ୍ୟନିର୍ବାହୀ ସଂସ୍ଥାର ଯନ୍ତ୍ରୀମାନଙ୍କୁ ସମୟ ଅବଧି ମଧ୍ୟରେ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ରୁଷା-୨ ଯୋଜନାରେ ଉତ୍କଳ ବିଶ୍ୱବିଦ୍ୟାଳୟର ‘କ୍ୱାଲିଟି ଆଣ୍ଡ୍‌ ଏକ୍ସଲେନ୍ସ’ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥର ବିନିଯୋଗକୁ ତ୍ୱରାନ୍ବିତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି କାର୍ଯ୍ୟର ସମୀକ୍ଷା କରି ତୁରନ୍ତ କାର୍ଯ୍ୟଗୁଡ଼ିକୁ ସାରିବା ଲାଗି ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି। ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ରୁଷା ମଞ୍ଜୁରୀପ୍ରାପ୍ତ ଅନୁଷ୍ଠାନଗୁଡ଼ିକର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅର୍ଥ ବିନିଯୋଗ ହୋଇପାରି ନଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri