ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା, ୪ ଦଶନ୍ଧି ପୂର୍ବର ସେହି ଘଟଣା ବିଷୟରେ ମନେ ପକାଇଦେଉଛି ଯେଉଁଠାରେ ଅପହୃତ ହୋଇଯାଇଥିବା ଏକ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ନିଜ ଜୀବନକୁ ବାଜିରେ ଲଗାଇଦେଇଥିଲେ ନୀରଜା। ୧୯୮୬ ସେପ୍ଟେମ୍ବର ୫ ତାରିଖରେ ମୁମ୍ବାଇରୁ ଫ୍ରାଙ୍କଫର୍ଟ ଦେଇ ନ୍ୟୁୟର୍କ ଯାଉଥିବା ପାନ ଆମ୍ ଫ୍ଲାଇଟ ୭୩ କରାଚୀରେ ଅବତରଣ କରିଥିଲା। ଆବୁ ନିଦାଲ ସଂଗଠନର ୪ଜଣ ସଶସ୍ତ୍ର ସଦସ୍ୟ ବିମାନ ମଧ୍ୟକୁ ପଶି ଏହାର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲେ। ନୀରଜା ଘଟଣା ସମ୍ପର୍କରେ ଜାଣିପାରି କକ୍ପିଟ କର୍ମଚାରୀମାନଙ୍କୁ ସତର୍କ କରିଦେଇଥିଲେ, ଫଳରେ ପାଇଲଟ୍ମାନେ ପଳାଇବାରେ ସକ୍ଷମ ହୋଇଥିଲେ ଏବଂ ଆତଙ୍କବାଦୀମାନଙ୍କୁ ବିମାନଟିକୁ ଉଡ଼ାଇ ନେବାରୁ ରୋକିପାରିଥିଲେ। ଯେତେବେଳେ ଆତଙ୍କବାଦୀ କର୍ମଚାରୀଙ୍କୁ ଯାତ୍ରୀମାନଙ୍କର ପାସ୍ପୋର୍ଟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ନୀରଜା ଏବଂ ଅନ୍ୟ କର୍ମଚାରୀମାନେ ଆମେରିକୀୟ ଯାତ୍ରୀମାନଙ୍କର ପାସ୍ପୋର୍ଟଗୁଡ଼ିକୁ ଲୁଚାଇ ଦେଇଥିଲେ। ଆତଙ୍କବାଦୀମାନେ ଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ୧୭ ଘଣ୍ଟା ଧରି ଚାଲିଥିବା ଏହି ଅବରୋଧ ମଧ୍ୟରେ ନୀରଜା ଜରୁରିକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଯାତ୍ରୀମାନଙ୍କୁ ଖସିଯିବାରେ ସାହାଯ୍ୟ କରିଥିଲେ। ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ମଧ୍ୟରେ ଶେଷରେ ଆତଙ୍କବାଦୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ୩୫୦ରୁ ଅଧିକ ଯାତ୍ରୀ ବଞ୍ଚିଯାଇଥିବାବେଳେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା।

