୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ ପଛରେ ରହିଛି ଏବଂ ଚତୁର୍ଥ ସ୍ଥାନରୁ ଷଷ୍ଠ ସ୍ଥାନକୁ ଖସି ଆସିଛି। ୨୦୨୬ ପାଇଁ ଆକଳନ ଅନୁଯାୟୀ ୩୦.୮ ଟ୍ରିଲିୟନ ଡଲାର ଜିଡିପି ସହ ଆମେରିକା ଶୀର୍ଷରେ ରହିଲା ବେଳେ ତା’ ପଛକୁ ରହିଛି ଚାଇନା ୧୯.୬ ଟ୍ରିଲିୟନ ଡଲାର, ଜର୍ମାନୀ ୪.୭ ଟ୍ରିଲିୟନ ଡଲାର, ଜାପାନ ୪.୪୩୫ ଟ୍ରିଲିୟନ ଡଲାର, ବ୍ରିଟେନ ୪.୦୦୩ ଟ୍ରିଲିୟନ ଡଲାର, ଭାରତ ୩.୯୧୬ ଟ୍ରିଲିୟନ ଡଲାର। ଅବଶ୍ୟ କ୍ରୟଶକ୍ତି ସମତା ବା ପର୍ଚେଜିଂ ପାୱାର ପାରିଟି ଦୃଷ୍ଟିରୁ ଭାରତର ଜିଡିପି ୧୮.୯୦ ଟ୍ରିଲିୟନ ଡଲାର ଏବଂ ୨୦୧୧ରୁ ଭାରତ ଚାଇନା ଓ ଆମେରିକା ପରେ ତୃତୀୟ ବୃହତମ ଅର୍ଥନୀତି ଭାବେ ଦଣ୍ଡାୟମାନ ହୋଇ ରହିଆସିଛି। କିନ୍ତୁ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଭାରତର ସ୍ଥାନ ୧୪୮ଟି ଦେଶ ତଳେ ହୋଇଥିଲାବେଳେ ମୁଣ୍ଡ ପିଛା ଆୟ (କ୍ରୟଶକ୍ତି ସମତା) ଦୃଷ୍ଟିରୁ ୧୧୮ଟି ଦେଶ ତଳେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତଥ୍ୟ ଅନୁଯାୟୀ, ୨୦୨୬ରେ ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୨୯୧୧ ଡଲାର ହୋଇଥିଲାବେଳେ ଭାରତର ୨୮୧୨ ଡଲାର ହେବ ବୋଲି ଆକଳନ କରାଯାଇଛି। ୨୦୧୪ରେ ବାଂଲାଦେଶର ଏହା ୧୨୦୦ ଡଲାର ଥିଲାବେଳେ ଭାରତର ୧୫୬୦ ଡଲାର ଥିଲା। ଭାରତ ଏବେ ବି ୨୦୦୭ଠାରୁ ନିମ୍ନ ମଧ୍ୟମ ଆୟକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଏଭଳି ସ୍ଥିତିରେ ୨୦୪୭ ବେଳକୁ ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି ଯାହା କୁହାଯାଉଛି ତାହା ସ୍ବପ୍ନ । ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ କହିଛନ୍ତି, ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଦେଶକୁ ଡଲାର ଦୃଷ୍ଟିରୁ ପ୍ରାୟ ୧୨%ର ନିରନ୍ତର ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ହାର ଆବଶ୍ୟକ, ଯାହା ଅସମ୍ଭବ।
ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସତ୍ତ୍ୱେ ଭାରତର ସ୍ଥାନ ବିଶ୍ବ ର଼୍ୟାଙ୍କିଙ୍ଗ୍‌ ବା ତାଲିକାରେ ୪ରୁ ୬ ସ୍ଥାନକୁ ଖସିବାର ମୁଖ୍ୟ କାରଣ ହେଉଛି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ। ୨୦୨୫-୨୬ ଆର୍ଥିକ ବର୍ଷରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୧୧% ହ୍ରାସ ପାଇଛି। ଅପରପକ୍ଷରେ ଜାପାନର ୟେନ୍‌ ୧୦% ଏବଂ ବ୍ରିଟିଶ ପାଉଣ୍ଡ ମୂଲ୍ୟ ଡଲାର ତୁଳନାରେ ୨% ବୃଦ୍ଧି ପାଇଛି। ୩୧ ମାର୍ଚ୍ଚ ୨୦୨୪ରେ ୧ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୮୩.୩୮ ଟଙ୍କା ଥିଲା। ମେ’ ୫ ତାରିଖ ସୁଦ୍ଧା ଏହା ୯୫.୦୧ଟଙ୍କାକୁ ହ୍ରାସ ପାଇଛି। ଆଉ ଏକ ପ୍ରମୁଖ କାରଣ ହେଉଛି ଜିଡିପି ଆକଳନ ପ୍ରକ୍ରିୟାରେ ବେସ୍‌ ଇଅର୍‌ ବା ମୂଳ ବର୍ଷର ସଂଶୋଧନ। ଯାହା କିଛି ବର୍ଷ ବ୍ୟବଧାନରେ କରାଯାଏ। ମୂଳ ବର୍ଷ ସଂଶୋଧନ ଭାରତୀୟ ଅର୍ଥନୀତି ଆକାରର ଏକ ଠିକ୍‌ ଚିତ୍ର ଉପସ୍ଥାପନ କରେ। ପୂର୍ବରୁ ଜାନୁଆରୀ ୨୦୧୫ରେ ଭାରତ ସରକାର ଜାତୀୟ ଆକାଉଣ୍ଟ ପାଇଁ ପୂର୍ବ ମୂଳ ବର୍ଷ ୨୦୦୪-୦୫ରୁ ୨୦୧୧-୧୨କୁ ପରିବର୍ତ୍ତନ କରିଥିଲେ। ଫେବୃଆରୀ ୨୦୨୬ରେ ୨୦୧୧-୧୨ ସିରିଜକୁ ବଦଳାଇ ୨୦୨୨-୨୩କୁ ମୂଳ ବର୍ଷ ଭାବରେ ଏକ ନୂତନ ଜିଡିପି ସିରିଜ ପ୍ରଚଳନ କରାଯାଇଛି। ୨୦୧୧-୧୨ ମୂଳ ବର୍ଷକୁ ଭିତ୍ତିକରି ବ୍ୟବହୃତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଏବଂ ପାଇକାରୀ ମୂଲ୍ୟ ସୂଚକାଙ୍କ ପୁରୁଣା ହୋଇଯାଇଥିଲା ଏବଂ ଏହା ନୂତନ ବ୍ୟବସାୟ କିମ୍ବା କୋଭିଡ୍‌ ପରବର୍ତ୍ତୀ ଅର୍ଥନୀତିକୁ ଠିକ୍‌ ଭାବରେ ପ୍ରତିଫଳନ କରିପାରି ନ ଥିଲା। ଏହି ଅପ୍‌ଡେଟ୍‌ ବା ପରିବର୍ତ୍ତନ କରୋନା ମହାମାରୀ ପରବର୍ତ୍ତୀ ସାଂରଚନିକ ପରିବର୍ତ୍ତନକୁ ପ୍ରତିଫଳିତ କରେ, ଉନ୍ନତ ଅଣାନୁଷ୍ଠାନିକ ବା ଅନୌପଚାରିକ ଅର୍ଥନୀତି କଭରେଜ ପାଇଁ ଜିଏସ୍‌ଟି ଡାଟାକୁ ଅନ୍ତର୍ଭୁକ୍ତକରେ, ଡିଜିଟାଲ ଏବଂ ଗିଗ୍‌ କ୍ଷେତ୍ରକୁ ବିଚାରକୁ ନିଏ ଏବଂ ଠିକ୍‌ ବାସ୍ତବ ଗ୍ରୋସ୍‌ ଭାଲ୍ୟୁ ଆଡେଡ୍‌ (ଜିଭିଏ) ମାପ ପାଇଁ ଏକ ‘ଡବଲ ଡିଫ୍ଲେଶନ’ ପଦ୍ଧତି ଗ୍ରହଣ କରେ। ଏହି ଆକଳନ ଅନୁସାରେ ନୂତନ ସିରିଜରେ ଜିଡିପି ପୂର୍ବ ଆକଳନ ଅନୁସାରେ ୩ରୁ ୪% କମ୍‌ ହୋଇଛି। ୨୦୧୧-୧୨ର ପୁରୁଣା ମୂଳ ବର୍ଷ ଅନୁଯାୟୀ, ୨୦୨୫-୨୬ରେ ଭାରତର ଜିଡିପି ୩୫୭,୧୩,୮୮୬ କୋଟି ଟଙ୍କା ହୋଇଥାନ୍ତା। କିନ୍ତୁ ନୂତନ ପଦ୍ଧତି ଅନୁଯାୟୀ ଏହା ୩୪୫,୪୭,୧୫୭ କୋଟି ଟଙ୍କା ହୋଇଛି।
ଭାରତର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମ ଓ ଅଭିଷେକ ଆନନ୍ଦ (ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ) ଏବଂ ଜୋଶ୍‌ ଫେଲ୍‌ମ୍ୟାନଙ୍କ ଦ୍ୱାରା ୨୦୨୬ର ଏକ ଅଧ୍ୟୟନ ସୂଚାଇଛି ଯେ ଜିଡିପି ଆକଳନରେ ପଦ୍ଧତିଗତ ସମସ୍ୟା ଯୋଗୁ ଗତ ୨୦ ବର୍ଷ ଧରି ଏହି ଆକଳନ ତ୍ରୁଟିପୂର୍ଣ୍ଣ ହୋଇଛି। ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ହାରାହାରି ଜିଡିପି ବୃଦ୍ଧି ହାର ୧ରୁ ୧.୨୫% କମ୍‌ ଆକଳନ କରାଯାଇଥିଲାବେଳେ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ବାର୍ଷିକ ୧.୫ରୁ ୨% ଅଧିକ ଆକଳନ କରାଯାଇଥାଇପାରେ। ଏଣୁ ୨୦୧୧-୨୦୨୩ ମଧ୍ୟରେ ସରକାରୀ ସଂଖ୍ୟା ଅନୁଯାୟୀ ଅଭିବୃଦ୍ଧି ୬% ପରିବର୍ତ୍ତେ ହାରାହାରି ପ୍ରାୟ ୪-୪.୫% ବୃଦ୍ଧି ପାଇଛି। ଉଭୟ ସଂଗଠିତ ଓ ଅଣସଙ୍ଗଠିତ /ଅଣଆନୁଷ୍ଠାନିକ କ୍ଷେତ୍ରରେ ଅନେକ ପ୍ରଭେଦ ରହିଛି। ଅଭିବୃଦ୍ଧି ଅଧିକ ଆକଳନ ହେବାର କାରଣ ହେଉଛି ଅଣାନୁଷ୍ଠାନିକ କ୍ଷେତ୍ରର ଜିଡିପି ଆକଳନ ପାଇଁ କୌଣସି ସ୍ବତନ୍ତ୍ର ପଦ୍ଧତି ନାହିଁ। ଅଣାନୁଷ୍ଠାନିକ କ୍ଷେତ୍ର ଯାହା ଗ୍ରୋସ୍‌ ଭାଲ୍ୟୁ ଆଡେଡ୍‌ର ୪୪% – ତାହାକୁ ସଂଗଠିତ କ୍ଷେତ୍ରର ତଥ୍ୟକୁ ପ୍ରକ୍ସି ଭାବେ ଧରି ଆକଳନ କରାଯାଉଛି। ୨୦୧୬ରେ ଉଚ୍ଚମୂଲ୍ୟର ମୁଦ୍ରା ନୋଟ୍‌ର ବିମୁଦ୍ରୀକରଣ, ୨୦୧୭ରେ ସାମଗ୍ରୀ ଏବଂ ସେବାକର ପ୍ରଚଳନ ଏବଂ ୨୦୨୦ରେ କୋଭିଡ୍‌ -୧୯ ମହାମାରୀ ଅଣାନୁଷ୍ଠାନିକ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଥିଲା। ଅଧ୍ୟୟନରେ ଉଦ୍ଧୃତ ପ୍ରମାଣ ସୂଚାଇଛି ଯେ ୨୦୧୫ରୁ ୨୦୨୩ ମଧ୍ୟରେ ଆନୁଷ୍ଠାନିକ କ୍ଷେତ୍ରରେ ରାଜସ୍ବ ପ୍ରତିବର୍ଷ ପ୍ରାୟ ୧୦% ବୃଦ୍ଧି ପାଇଥିଲେ ମଧ୍ୟ ଅଣାନୁଷ୍ଠାନିକ କ୍ଷେତ୍ରରେ ବାର୍ଷିକ ମାତ୍ର ୬.୮% ବୃଦ୍ଧି ପାଇଛି। ଉଭୟ କ୍ଷେତ୍ର ସମାନ ହାରରେ ବୃଦ୍ଧି ପାଇଥିବ ବୋଲି ଧରି ଜିଡିପି ଆକଳନ କରାଯାଇଥିବାରୁ ହୁଏତ ଅଣାନୁଷ୍ଠାନିକ କ୍ଷେତ୍ରର ଜିଡିପିି ଅଧିକ ଦର୍ଶାଯାଇଥିବ।
ଅନ୍ୟ ଏକ କାରଣ ହେଲା ପ୍ରକ୍ରିୟାଗତ ସମସ୍ୟା। ଅନେକ କ୍ଷେତ୍ରର ଡିଫ୍ଲେଟରଗୁଡ଼ିକ ପଣ୍ୟମୂଲ୍ୟ ଉପରେ ଆଧାରିତ ରହିଛି, ଯାହା ଅନ୍ୟାନ୍ୟ କ୍ଷେତ୍ର ସହ ତୁଳନାରେ ଦ୍ରୁତ ଭାବେ ପରିବର୍ତ୍ତିତ ହୋଇଛି। ନାମାଙ୍କନ ଜିଡିପି ଡିଫ୍ଲେଟର ଦ୍ୱାରା ଆକଳିତ ମୁଦ୍ରାସ୍ଫୀତିକୁ ବାଦ୍‌ ଦେଲେ ବାସ୍ତବ ଅଭିବୃଦ୍ଧି ମିଳିଥାଏ। ଅନେକ କ୍ଷେତ୍ରରେ ଡିଫ୍ଲେଟରଗୁଡ଼ିକ ମୂଲ୍ୟ ହ୍ରାସକାରୀ ହୋଲ୍‌ସେଲ ବା ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଉପରେ ଆଧାରିତ ଥିଲା, ଯାହା ସାମଗ୍ରୀ (ମୌଳିକ ଭାବରେ ତୈଳ) ମୂଲ୍ୟ ଦ୍ୱାରା ପ୍ରଭାବିତ। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ଇନ୍‌ପୁଟ୍‌ ବା ଉପାଦାନ ମୂଲ୍ୟ ଗ୍ରାହକ ମୂଲ୍ୟଠାରୁ ଭିନ୍ନ ଭାବରେ ଗତି କରିଥିଲା। ୨୦୧୧ ଏବଂ ସେପ୍ଟେମ୍ବର ୨୦୨୫ ମଧ୍ୟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ହାରାହାରି ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି (ସିପିଆଇ)ତୁଳନାରେ ୨.୨% କମ୍‌ ଥିଲା। ଯେତେବେଳେ ଡିଫ୍ଲେଟରଗୁଡ଼ିକ ଅତ୍ୟଧିକ କମ୍‌ ଥାଏ, ବାସ୍ତବ ଜିଡିପି କୃତ୍ରିମ ଭାବରେ ଅଧିକ ଦେଖାଯାଏ। ସରକାର ନୂତନ ପଦ୍ଧତି ବ୍ୟବହାର କରି ୨୦୦୫-୧୧ ଅବଧି ପାଇଁ ଅଭିବୃଦ୍ଧିକୁ ପୁନଃ ଆକଳନକରିବା ଲାଗି ଏକ ବ୍ୟାକ୍‌କାଷ୍ଟିଂ କରିଥିଲେ। ସଂଶୋଧିତ ସଂଖ୍ୟାଗୁଡ଼ିକ ନଭେମ୍ବରରେ ପ୍ରକାଶିତ ହୋଇଥିଲା। ସେହି ଅବଧିର ଅଭିବୃଦ୍ଧିକୁ କମ୍‌ କରି ଦେଖାଯାଇଥିଲା, ଯାହା ଠିକ୍‌ ନ ଥିଲା। ପୁନଶ୍ଚ ଭାରତର ୨୦୧୮ରେ ଜାତୀୟ ଆକାଉଣ୍ଟଗୁଡ଼ିକୁ ପୁରୁଣା ଡିଫ୍ଲେଟର ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ପର୍ଯ୍ୟବସିତ ହୋଇଥିବାରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମ୍ପ୍ରତି ଅପେକ୍ଷାକୃତ ନିମ୍ନ ‘ସି’ ଗ୍ରେଡ୍‌ ବୋଲି ମନ୍ତବ୍ୟ ଦେଇଥିଲା। ଏଣୁ ସର୍ବଦା ଜିଡିପିି ଆକଳନ ତ୍ରୁଟିବିହୀନ ହେବା ଆବଶ୍ୟକ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri