ନୂଆଦିଲ୍ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦୁଇ ନିର୍ୱାଚନ କମିଶନର ବିବେକ ଯୋଶୀ ଏବଂ ସୁଖବୀର ସିଂହ ସନ୍ଧୁ। ଅନ୍ୟପଟେ ବିବାଦ ଘନେଇବା ପରେ ବିରୋଧୀଙ୍କ ପକ୍ଷରୁ ମହାଭିଯୋଗ ପ୍ରସ୍ତୁତି ସହ ମୁଖ୍ୟ ନିର୍ୱାଚନ କମିଶନରଙ୍କ ଇସ୍ତଫା ଦାବି ଜୋର୍ ଧରିଛି। ଏପରି ସ୍ଥିତିରେ ମୁଖ୍ୟ ନିର୍ୱାଚନ କମିଶନର (CEC) ଉଭୟ ନିର୍ୱାଚନ କମିଶନରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ କି? ସେ ସେମାନଙ୍କୁ ପଦରୁ ହଟାଇ ପାରିବେ କି? ତାଙ୍କ ପାଖରେ କ’ଣ ଏହି ଅଧିକାର ଅଛି?
ନିର୍ୱାଚନ କମିଶନର ବିବେକ ଯୋଶୀ ଓ ସୁଖବୀର ସିଂହ ସନ୍ଧୁଙ୍କ ବିସ୍ଫୋରକ ଅଭିଯୋଗ ପରେ ଦେଶର ରାଜନୀତି ସରଗରମ। ଅଭିଯୋଗ ମୁତାବକ, ଗତ ୧୦ ମାସ ମଧ୍ୟରେ SIR ଏବଂ ଭୋଟର ତାଲିକା ଭଳି ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲିଖିତ ଆପତ୍ତି ସତ୍ତ୍ୱେ ମୁଖ୍ୟ ନିର୍ୱାଚନ କମିଶନର ସେମାନଙ୍କ ସହ କୌଣସି ଆଲୋଚନା କରିନାହାନ୍ତି। ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହ ମହାଭିଯୋଗ ଆଣିବାକୁ ଚେତାବନୀ ଦେଇଛନ୍ତି।
ଧାରା ୩୨୪ (୫): ସିଇସି ସିଧାସଳଖ ଭାବେ ର୍ନିବାଚନ କମିଶନରଙ୍କୁ ହଟାଇ ପାରିବେ ନାହିଁ।
ହଟାଇବା ପ୍ରକ୍ରିୟା: କେବଳ ରାଷ୍ଟ୍ରପତିଙ୍କ ନିକଟରେ ରହିଛି କ୍ଷମତା।
ସିଇସିଙ୍କ ଭୂମିକା: କେବଳ ଲିଖିତ ସୁପାରିଶ କରିପାରିବେ।
ଅନ୍ତିମ ନିଷ୍ପତ୍ତି:** କ୍ୟାବିନେଟ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଜରୁରୀ।
ସମ୍ୱିଧାନର ଧାରା ୩୨୪(୫) ଅନୁଯାୟୀ, ମୁଖ୍ୟ ର୍ନିବାଚନ କମିଶନରଙ୍କ ପାଖରେ ର୍ନିବାଚନ କମିଶନରମାନଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ୱା ପଦରୁ ହଟାଇବାର ଅଧିକାର ନାହିଁ। ସେ କେବଳ ରାଷ୍ଟ୍ରପତିଙ୍କୁ ଲିଖିତ ସୁପାରିଶ ପଠାଇ ପାରିବେ। ସେହିପରି ମୁଖ୍ୟ ର୍ନିବାଚନ କମିଶନରଙ୍କୁ ପଦରୁ ହଟାଇବାକୁ ହେଲେ ସଂସଦର ଉଭୟ ଗୃହରେ ଦୁଇ-ତୃତୀୟାଂଶ ବହୁମତରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ଆବଶ୍ୟକ।
ଆୟୋଗ ଭିତରେ ଥିବା ଏହି ମନୋମାଳିନ୍ୟ ଏବେ ସାମ୍ୱିଧାନିକ ସଂସ୍ଥାର ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିରୋଧୀଙ୍କ ମହାଭିଯୋଗ ଚେତାବନୀ ପରେ ଏହି ବିବାଦ କେଉଁ ମୋଡ଼ ନେଉଛି, ତାହା ଉପରେ ଏବେ ସମଗ୍ର ଦେଶର ନଜର ରହିଛି।

