ସିଡ୍ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ ମଧ୍ୟ ଅଧିକ ଆଖି ମିଟିକାଉଛନ୍ତି। ‘ରୟାଲ ସୋସାଇଟି ଓପନ୍ ସାଇନ୍ସ’ ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଗବେଷକଙ୍କ ଅନୁଯାୟୀ, କୁକୁର ଏବଂ ମଣିଷଙ୍କ ମଧ୍ୟରେ କଥାବାର୍ତ୍ତା ବା ଭାବ ବିନିମୟ ସମୟରେ ଆଖି ମିଟିକାଇବା ଏକ ସାମାଜିକ ଗୁରୁତ୍ୱ ହାସଲ କରିଥାଇପାରେ।
ଇଟାଲୀର ପାର୍ମା ବିଶ୍ୱବିଦ୍ୟାଳୟର ପ୍ରମୁଖ ଗବେଷିକା ଡ. ଚିଆରା କାନୋରୀ ଏବଂ ସେମାନଙ୍କ ଟିମ୍ ୩୫ଟି ଭିନ୍ନ ଭିନ୍ନ ପ୍ରଜାତିର କୁକୁରଙ୍କ ଉପରେ ଏହି ପରୀକ୍ଷଣ କରିଥିଲେ। କୁକୁରମାନଙ୍କୁ ଦୁଇଟି ୪୦ ସେକେଣ୍ଡ ବିଶିଷ୍ଟ ଭିଡିଓ ଦେଖାଯାଇଥିଲା, ଯେଉଁଥିରେ ସେମାନଙ୍କ ମାଲିକ ଏବଂ ଅପରିଚିତ ବ୍ୟକ୍ତିମାନେ ଥିଲେ। ଗୋଟିଏ ଭିଡିଓରେ ମଣିଷମାନେ ପ୍ରତି ୩ ସେକେଣ୍ଡରେ ଆଖି ମିଟିକାଇଥିବାବେଳେ ଅନ୍ୟ ଭିଡିଓରେ ସିଧା ଚାହିଁ ରହିଥିଲେ। ପରୀକ୍ଷଣରୁ ସ୍ପଷ୍ଟ ହୋଇଥିଲା ଯେ ଅପରିଚିତ ବ୍ୟକ୍ତିଙ୍କ ତୁଳନାରେ କୁକୁରମାନେ ସେମାନଙ୍କ ମାଲିକଙ୍କୁ ଆଖି ମିଟିକାଇବା ଦେଖିଲେ ନିଜେ ଅଧିକ ଆଖି ମିଟିକାଉଛନ୍ତି। ତେବେ କୁକୁରମାନେ କୌଣସି ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବା ପାଇଁ ଇଚ୍ଛାକୃତ ଭାବେ ଏପରି କରୁଛନ୍ତି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଗବେଷକଙ୍କ ଅନୁଯାୟୀ, ଏହା କେବଳ ଏକ ସ୍ବାଭାବିକ କ୍ରିୟା ହୋଇପାରେ, ଯାହା ସେମାନଙ୍କର ଧ୍ୟାନ ଓ ସମ୍ପର୍କର ଗଭୀରତାକୁ ଦର୍ଶାଉଛି। ଭିଏନା ବିଶ୍ୱବିଦ୍ୟାଳୟର ଡକ୍ଟର ଲୌରା କୁଆୟା ଏହି ଗବେଷଣାକୁ ପ୍ରଶଂସା କରିବା ସହ କୁକୁରମାନେ ମଣିଷର ଆଖିର ସୂକ୍ଷ୍ମ ଇଙ୍ଗିତ ପ୍ରତି କେତେ ସମ୍ବେଦନଶୀଳ, ତାହା ଏହି ଅଧ୍ୟୟନରୁ ପ୍ରମାଣିତ ହୋଇଛି ବୋଲି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

