ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଥିବା ବେଳେ ଉପାନ୍ତ ତଥା ଆଦିବାସୀ ଅଞ୍ଚଳ ଭାବେ ପରିଚିତ ପଟ୍ଟାଙ୍ଗି ବ୍ଲକରେ ଆଦିବାସୀ ମହାସଂଘର ଆହ୍ବାନ କ୍ରମେ ବିଭିନ୍ନ ଯଥା କନ୍ଧ, ପରଜା , ଗଦବା, ଦୁରୁଆ ଏବଂ ମୁକା, ନୁକା ଦୋରା ପ୍ରମୁଖ ସମ୍ପ୍ରଦାୟ ଲୋକମାନେ କାଟ୍ରାଗୁଡ଼ା ଗ୍ରାମରେ ଏକାଠି ହୋଇ ପାରମ୍ପରିକ ସାଜସଜ୍ଜା ହୋଇ ଏକ ରାଲିରେ ବାହାରି ମିନି ଷ୍ଟାଡିୟମରେ ପହଞ୍ଚି ବୈଠକ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ଆଦିବାସୀ ସମ୍ପ୍ରଦାୟରୁ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇ ଆସିଥିବା ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯଥା ଏମ୍ପି ପ୍ରତିନିଧି ଶୁକ୍ରା ଖରା, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ଜିଲାପରିଷଦ ସଭ୍ୟା ଟିକାଇ ଗେମେଲ, ଲଇଚନ ଖରା, ସରପଞ୍ଚ ଆଲମେ ଫୁଲ, ସମିତିସଭ୍ୟା ବିମଳା ପାଙ୍ଗି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ଗୋବିନ୍ଦ ଖରା, ଚୈତନ୍ୟ ନନ୍ଦିବାଲି ପରି ଗଠିତ ହୋଇଥିବା ଆଦିବାସୀ ସଙ୍ଗଠନର ସଭାପତି ପରି ଅନେକ ସଙ୍ଗଠକ ଯୋଗ ଦେଇ ନିଜର ଲୋକମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ଏକତ୍ରିତ ଆଦିବାସୀ ସରକାର ଆଦିବାସୀଙ୍କ ନାଁରେ ମାରଣ ନୀତି କରୁଛନ୍ତି। ଏଥିସହ ଆମ ଅଧିକାର ଆମଠାରୁ ଛଡାଇ ନେବା ପାଇଁ ଉଦ୍ୟମ ନ କରି ପେସା ଆଇନ ଲାଗୁ କରିବା ପାଇଁ ରାଲି ମାଧ୍ୟମରେ ସ୍ଲୋଗାନ ଦେଇ ଦାବି ଉଠାଇଥିଲେ। ଏପରିକି ମିନି ଷ୍ଟାଡିୟମରେ ଆୟୋଜିତ ବୈଠକରେ ଆଦିବାସୀ ସମାଜ ବା ମହାସଂଘର ସଭାପତି ରାମଚନ୍ଦ୍ର ଖରାଙ୍କ ବିୟୋଗ ଯୋଗୁ ସମାଜ ସମ୍ପାଦକ ତ୍ରିଲୋଚନ ଖରାଙ୍କ ଦ୍ୱାରା ସଂଘର ପତାକା ଉତ୍ତୋଳନ କରି ୨୦ଟି ଦାବି ଉଠାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ।
ଉକ୍ତ ୨୦ଟି ଦାବି ମଧ୍ୟରୁ ସ୍ଥାନୀୟ ନିଯୁକ୍ତିର ସୁଯୋଗ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀ ଜନସଂଖ୍ୟାର ଅନୁପାତ ଓ ସ୍ଥାନୀୟ ଆବଶ୍ୟକତାକୁ ବିଚାରକୁ ନେଇ ଜିଲ୍ଲା ଭିଭିକ ଭାବରେ ଗ୍ରୁପ-‘C’ ଓ ଗ୍ରୁପ-‘D’ ପଦବୀରେ ନିଯୁକ୍ତିରେ ସ୍ଥାନୀୟ ଆଦିବାସୀ ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଓ ପ୍ରାଥମିକତା ପ୍ରଦାନ କରାଯାଉ, ପେସା Actର କାର୍ଯ୍ୟକାରିତା ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଅନିୟମ ୧୯୯୬ ଉକ୍ତ Actକୁ ଅନୁସୂଚିତ ଅଞ୍ଚଳରେ ଏହାର ମୂଳ ଆତ୍ମା ଓ ବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ ଏବଂ ଗ୍ରାମସଭାର ସାମ୍ବିଧାନିକ ଭୂମିକା ଓ ଅଧିକାର ସୁନିଶ୍ଚିତ କରାଯିବା ପରି ପ୍ରମୁଖ ଦାବିଗୁଡ଼ିକୁ ସରକାର ଗୁରୁତର ସହ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ଉପସ୍ଥିତ ଆଦିବାସୀ ନେତା ଏବଂ ସଙ୍ଗଠକମାନେ ନିଜ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ସମ୍ପର୍କୀୟ ଯୁବଗୋଷ୍ଠୀ ପରିଚାଳନା କରିବାରେ ସହଯୋଗ କରିଥିଲେ।

