ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର ଧରିଥିଲା। ଏନେଇ ହୁମ୍ମାର ଏକ ପ୍ରତନିଧି ଦଳ ସେତେ ବେଳେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଏହି ଦାବିକୁ ସମ୍ମାନ ଜଣାଇ ସେତବେଳେ ସ୍ବାସ୍ଥ୍ୟନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ବର୍ତ୍ତମାନ ସେହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରକ୍ରିୟା ବିଳମ୍ବ ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡିଛି।
ପ୍ରକାଶ ଥାଉକି, ହୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରଟି ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହେତୁ ଦୈନିକ ଶହଶହ ରୋଗୀ ପ୍ରାଥମିକ ଚିକିତ୍ସା ନିମନ୍ତେ ଆସିଥାନ୍ତି। ବିଭିନ୍ନ ପଞ୍ଚାୟତ ତଥା ହୁମ୍ମା, ସୁବଳୟା, ରାମଗଡ଼, ପାଳିବନ୍ଦ, ମଲାଡ଼ ପଞ୍ଚାୟତର କିଛି ଅଞ୍ଚଳ ଲୋକମାନେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ଏଣୁ ଏହି ପ୍ରାଥମିକ ନୂତନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ହୁମ୍ମା ସମିତି ସଭ୍ୟ ତଥା ହୁମ୍ମା ଭାଜପା ମଣ୍ଡଳ ସଭାପତି ଧ୍ରୁବଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୨୫ କିମି, ଛତ୍ରପୁର ମେଡିକାଲ ୨୦ କିମି ଏବଂ ଖଣ୍ଡଦେଉଳି ମେଡିକାଲ ୧୫ କିଲୋମିଟରରେ ଦୂରରେ ଅବସ୍ଥିତ। ତେଣୁ ଏଠାରେ ଗୋଟିଏ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଥିଲା। ମନ୍ତ୍ରୀଙ୍କୁ ଭେଟିବା ଇତିମଧ୍ୟରେ ଏକ ବର୍ଷ ପୂରିଗଲାଣି କିନ୍ତୁ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସମିତି ସଭ୍ୟ ଧ୍ରୁବଚରଣ ପଲାଇ ଦାବି କରିଛନ୍ତି।

