ଦେଶ ନା ଅର୍ଣ୍ଣବ

ରିପବ୍ଲିକ୍‌ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ସ୍କାମ୍‌ର ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ଏକ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ତାହା ହେଲା ବାଲାକୋଟ୍‌ ଆକ୍ରମଣର ୩ ଦିନ ପୂର୍ବରୁ ଅର୍ଣ୍ଣବ ଏ ସମ୍ପର୍କରେ ଜାଣିଥିଲେ। ଏଭଳି ସମ୍ବେଦନଶୀଳ ଘଟଣାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପୂର୍ବରୁ ମୁମ୍ବାଇ ପୋଲିସ ହାତକୁ ନିଶ୍ଚିତ ଭାବେ ସେଭଳି ତଥ୍ୟ ଆସିଥିବ। ଅର୍ଣ୍ଣବଓ ତାଙ୍କ ବନ୍ଧୁ ତଥା ବ୍ରଡ୍‌କାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନ୍‌ସିଲ (ବିଏଆର୍‌ସି)ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ଏହି ବିଷୟ ଉପରେ ହୋଇଥିବା ହ୍ବାଟ୍‌ସଆପ୍‌ ବାର୍ତ୍ତା ଆଦାନପ୍ରଦାନ ଏବେ ଭାଇରାଲ ହୋଇଛି। ଟିଆର୍‌ପି ଉପରେ ଉଠିଥିବା ବିବାଦର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କ ହ୍ବାଟ୍‌ସଆପ୍‌ ଯାଞ୍ଚ କରିବା ପରେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା କଥୋପକଥନ ବିଷୟରେ ଜାଣିବାକୁ ପାଇଛି। ହ୍ବାଟ୍‌ସଆପ୍‌ ଚାଟିଂ ବେଳେ ବାଲାକୋଟ୍‌ ଆକ୍ରମଣକୁ ୩ ଦିନ ଥିବା ବେଳେ ଅର୍ଣ୍ଣବ ଲେଖିଥିଲେ ଯେ, ଖୁବ୍‌ ଶୀଘ୍ର ଏକ ବଡ଼ ଘଟଣା ଘଟିବାକୁ ଯାଉଛି। ସେପଟେ ପାର୍ଥ ପଚାରିଥିଲେ-‘ଦାଉଦ୍‌’। ଅର୍ଣ୍ଣବ ଲେଖିଥିଲେ-ନା, ସାର୍‌ ପାକିସ୍ତାନ। ଏତିକି ସଙ୍କେତରୁ ପାର୍ଥ ସବୁ ବୁଝିଯାଇ ପୁଣି ଲେଖିଥିଲେ-ଏହି ଋତୁ ସେହି ବଡ଼ ବ୍ୟକ୍ତିଙ୍କ ପାଇଁ ଏକ ଶୁଭବାର୍ତ୍ତା ଦେଉଛି ଓ ସେ ନିର୍ବାଚନ ନିଶ୍ଚିତ ଜିତିବେ। ଏତିକି କଥାବାର୍ତ୍ତାରୁ ସମସ୍ତେ ବୁଝିପାରିବେ ଯେ କେଉଁ ପ୍ରସଙ୍ଗକୁ ନେଇ ଦୁଇ ବନ୍ଧୁ ଆଲୋଚନା କରିଥିଲେ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୧୯ ସାଧାରଣ ନିର୍ବାଚନ ବାଲାକୋଟ୍‌ ଆକ୍ରମଣକୁ ମାତ୍ର କିଛି ମାସ ବାକି ଥିଲା ଏବଂ ଏହା ପରେ ନିର୍ବାଚନରେ ଭାଜପା ବିପୁଳ ସଂଖ୍ୟାରେ ଭୋଟ୍‌ ପାଇ ସରକାର ଗଠନ କରିଥିଲା।
ସୂଚନା ଦିଆଯାଇପାରେ ଯେ, ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ବାମା ଜିଲା ଜାତୀୟ ରାଜପଥ ଦେଇ ଭାରତୀୟ ସୈନ୍ୟଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ୧୪ ଫେବୃୟାରୀ ୨୦୧୯ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେଥିରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଏହା ପରେ ଭାରତ ସରକାର ପ୍ରତିଆକ୍ରମଣ କରିବା ଲାଗି ଯୋଜନା କରିଥିଲା। ଫଳରେ ୨୬ ଫେବୃୟାରୀରେ ଭାରତୀୟ ସେନାର ଯୁଦ୍ଧ ବିମାନ ପାକିସ୍ତାନର ବାଲାକୋଟ୍‌ ଉପରେ ବୋମାମାଡ଼ କରିଥିଲା। ଏଥିରେ ଅସଂଖ୍ୟ ଆତଙ୍କବାଦୀ ପ୍ରାଣ ହରାଇଥିଲେ ଓ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଦିଆଯାଇଥିଲା ବୋଲି ଭାରତ ସରକାର ଘୋଷଣା କରିଥିଲେ। ଅବଶ୍ୟ ଉକ୍ତ ଦାବିର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠାଯାଇଥିଲା।
ମୁମ୍ବାଇ ପୋଲିସ ଦେଶର ସବୁଠାରୁ ସ୍ମାର୍ଟ ଓ ଶ୍ରେଷ୍ଠ ଆରକ୍ଷୀ ବଳ ଭାବେ ପରିଚିତ। ଅର୍ଣ୍ଣବ ଓ ପାର୍ଥଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରୁ ଯେତିକି ତଥ୍ୟ ପଦାକୁ ଆସିଛି ସେଥିରୁ ଜଣାପଡ଼ିଛି ଯେ, ଭାରତର ଅତି ସମ୍ବେଦନଶୀଳ ସାମରିକ ତଥ୍ୟ ଅର୍ଣ୍ଣବଙ୍କ ହାତକୁ ଯାଉଥିଲା। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ। ଗୋଟିଏ ଦେଶ କେବେ ଓ କେଉଁଠି ଅନ୍ୟ ଦେଶ ଉପରେ ଆକ୍ରମଣ କରିବାକୁ ଯାଉଛି, ତା’ଠାରୁ ଗୋପନୀୟ ସୂଚନା ଆଉ କିଛି ନ ହୋଇ ପାରେ। ସେଭଳି ତଥ୍ୟ ପଦାରେ ଆଲୋଚିତ ହେବା ଦେଶର ନିରାପତ୍ତା ପ୍ରତି ଘୋର ବିପଦ। ଧରିନିଆଯାଉ ବାଲାକୋଟ୍‌ ଆକ୍ରମଣ ପୂର୍ବରୁ ଏହି କଥୋପକଥନର କିୟଦଂଶ ଯଦି ପାକିସ୍ତାନ କାନରେ ବାଜିଥାଆନ୍ତା, ତା’ହେଲେ ଭାରତର ଆକ୍ରମଣ ପାଇଁ ସେହି ପଡ଼ୋଶୀ ଦେଶ ଅପେକ୍ଷା କରି ବସି ନ ଥାଆନ୍ତା। ପୂର୍ବରୁ ଜଣେ ମହିଳା ସାମ୍ବାଦିକାଙ୍କ କାର୍ଗିଲ ଯୁଦ୍ଧରୁ ସିଧାସଳଖ ରିପୋର୍ଟିଂ ସେତେବେଳେ ସମାଲୋଚନାର ଶିକାର ହୋଇଥିଲା। କାରଣ ଏଥିଯୋଗୁ ଭାରତୀୟ ସେନାର ଗତିବିଧି ଓ ସମ୍ପୃକ୍ତ ଭୌଗୋଳିକ ଅଞ୍ଚଳ ବିଷୟରେ ପାକିସ୍ତାନ ସେନାକୁ ସହଜରେ ରିପୋର୍ଟ ମାଧ୍ୟମରେ ଜଣାପଡ଼ିଯାଉଥିଲା। ତେବେ ଅର୍ଣ୍ଣବଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ସରକାରୀ ସୂତ୍ରରୁ ତାଙ୍କ ପାଖକୁ ଖବର ଆସିଥିବ, ଅର୍ଣ୍ଣବ ଏବଂ ତାଙ୍କୁ ଏହି ତଥ୍ୟ ଜଣାଇଥିବା ସୂତ୍ର ଉଭୟେ ଦେଶଘାତୀ କାର୍ଯ୍ୟ କରୁଛନ୍ତି ବୋଲି ଧରିବାକୁ ହେବ। ସମସ୍ତଙ୍କୁ ଜଣା ଅର୍ଣ୍ଣବଙ୍କ ରିପବ୍ଲିକ୍‌ ଟିଭିର ଆଭିମୁଖ୍ୟ। ବାଲାକୋଟ୍‌ ଆକ୍ରମଣ ବେଳେ ଓ ତା’ପରବର୍ତ୍ତୀ ସମୟରେ ରିପବ୍ଲିକ୍‌ ଯେଉଁଭଳି ଅତିରଞ୍ଜିତ ଓ ଅସମର୍ଥିତ ସୂତ୍ରରୁ ଖବର ପ୍ରକାଶ କରି ଲୋକଙ୍କ ମତକୁ ପ୍ରଭାବିତ କରୁଥିଲା, ତାହା ଲୁଚା କଥା ନୁହେଁ। ଆଜିର ଭାରତରେ ଅନେକ ଗଣମାଧ୍ୟମ ସଂସ୍ଥା କୌଣସି ଦଳ ବା ବ୍ୟକ୍ତି ପାଇଁ ପ୍ରୀତି ରଖି ଖବର ପ୍ରସାରଣ କରୁଛନ୍ତି। ସାମ୍ବାଦିକତା ଦୃଷ୍ଟିକୋଣରୁ ଏହା ଅତି ଲଜ୍ଜାଜନକ ଓ ଅନୈତିକ। ଅନ୍ୟପକ୍ଷରେ ଦେଶର ସୁରକ୍ଷା ସହ ସାଲିସ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ। ଏଥିରେ ତିଳେମାତ୍ର କ୍ଷମାର ସ୍ଥାନ ନାହିଁ। ଏଭଳି ଅପରାଧ ବିରୋଧରେ ହାଲୁକା କାର୍ଯ୍ୟାନୁଷ୍ଠାନ ହେଲେ ଭବିଷ୍ୟତରେ ଦେଶର ନିରାପତ୍ତା ଓ ସାର୍ବଭୌମତ୍ୱ ବିପଦରେ ପଡ଼ିବ। ଟିଆର୍‌ପି ଘଟଣାରେ ଅର୍ଣ୍ଣବଙ୍କୁ ଜାମିନ ଦେବା ପାଇଁ ସୁପ୍ରିମ୍‌କୋର୍ଟ ବାରମ୍ବାର ଅର୍ଜେଣ୍ଟ୍‌ ହିୟରିଂ ବା ଜରୁରୀ ଶୁଣାଣି କରିଥିବା ଦେଖାଯାଇଥିଲା। ଏବେ ଦେଶର ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତ କେଉଁଭଳି ତତ୍ପରତା ଦେଖାଉଛନ୍ତି, ତାହା ଜନସାଧାରଣଙ୍କ ଦେଖିବା ବାକି ରହିଲା। ଏଥିରେ ଦେଶର ସୁରକ୍ଷା ନା ଅର୍ଣ୍ଣବ ଗୋସ୍ବାମୀ ଓ ତାଙ୍କ ବନ୍ଧୁମାନଙ୍କର ସ୍ବାର୍ଥ ଅଧିକ ଗୁରୁତ୍ୱ ରଖିବ, ତାହା ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri