ସହରାଞ୍ଚଳରେ ଜଳବାୟୁ ସମସ୍ୟା

ଡ. ଜୟକୃଷ୍ଣ ପାଣିଗ୍ରାହୀ

 

ବିଶ୍ୱ ଜନସଂଖ୍ୟା ଅନିୟନ୍ତ୍ରିତ ଭାବେ ବୃଦ୍ଧିପାଇ ଏବେ ୮୦୦ କୋଟି ଅତିକ୍ରମ କରିଛି। ଏହି କ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସହରାଞ୍ଚଳମାନଙ୍କର ସଂଖ୍ୟା ଓ ଆୟତନ କ୍ରମେ ବୃଦ୍ଧିପ୍ରାପ୍ତ ହୋଇଚାଲିଛି। ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ସାର୍ବଜନୀନ ପରିବହନ, ଭିତ୍ତିଭୂମି, ଅର୍ଥନୈତିକ ପ୍ରଗତି, ଜୀବନଶୈଳୀ, ମନୋରଞ୍ଜନ, ସାଂସ୍କୃତିକ ବିବିଧତା, ଜୀବନଧାରଣର ମାନ ଇତ୍ୟାଦି ବିବିଧ କ୍ଷେତ୍ରରେ ଘଟୁଥିବା କ୍ରମୋନ୍ନତି ଲୋକଙ୍କୁ ଗ୍ରାମାଞ୍ଚଳରୁ ନଗରାଞ୍ଚଳକୁ ସ୍ଥାନାନ୍ତରଣ ନିମନ୍ତେ ଆକର୍ଷିତ କରୁଛି। ଏପରି ପୃଷ୍ଠଭୂମିରେ, ୨୦୨୧ରେ ସମଗ୍ର ବିଶ୍ୱଜନସଂଖ୍ୟାର ୫୬.୫% ସହରାଞ୍ଚଳରେ ଜୀବନଯାପନ କରୁଥିଲାବେଳେ ୨୦୫୦ରେ ଏହା ୬୮%ରେ ଉପନୀତ ହେବାର ସମ୍ଭାବନା ରହିଛି ବୋଲି ଜାତିସଂଘ ସୂତ୍ରରୁ ପ୍ରକାଶ। ଅଧିକାଂଶ ଉନ୍ନୟନମୂଳକ, ବ୍ୟବସାୟିକ ଏବଂ ଶିଳ୍ପାୟନ ପ୍ରକଳ୍ପ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବାରୁ ବିଶ୍ୱସ୍ତରରେ ସହରୀକରଣ ପ୍ରକ୍ରିୟା ଅଧିକ ବ୍ୟାପକ ହେବାରେ ଲାଗିଛି। କିନ୍ତୁ ଏସବୁ ତଥାକଥିତ ପ୍ରଗତି ମଧ୍ୟରେ ଅନେକ ଆହ୍ବାନ ସୃଷ୍ଟିକାରୀ ପରିବେଶଜନିତ ସମସ୍ୟାର ଅଭ୍ୟୁଦୟ ଘଟୁଛି, ଯାହା ଏବେ ସହରମାନଙ୍କର ବାସୋପଯୋଗିତାକୁ କ୍ଷୁଣ୍ଣ କରୁଛି ଏବଂ ଅଧିବାସୀମାନଙ୍କୁ ବିକର୍ଷିତ କରି ଉତ୍ତମ ଗୁଣାତ୍ମକ ମାନଯୁକ୍ତ ପରିବେଶର ଅନ୍ବେଷଣ କରିବାକୁ ବାଧ୍ୟ କରୁଛି। ବିବିଧପ୍ରସଙ୍ଗ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଜନସଂଖ୍ୟାର ବ୍ୟାପକ ବୃଦ୍ଧି, ବାସଗୃହର ଅଭାବ, ବିଭିନ୍ନ ପ୍ରଦୂଷଣରେ ବୃଦ୍ଧି, ଅତ୍ୟଧିକ ଟ୍ରାଫିକ ଭିଡ଼, ବିଦ୍ୟୁତଶକ୍ତି ଓ ପାନୀୟଜଳ ଯୋଗାଣ ସମସ୍ୟା, କଂକ୍ରିଟ ଭିତ୍ତିଭୂମିରେ ବୃଦ୍ଧି, ବର୍ଜ୍ୟବସ୍ତୁ ନିଷ୍କାସନ ସମସ୍ୟା, ପ୍ରାକୃତିକ ବୃକ୍ଷରାଜି ଓ ସବୁଜିମାରେ ହ୍ରାସ, ଜୈବବିବିଧତାର ଅବକ୍ଷୟ, ଅନିୟନ୍ତ୍ରିତ ବସ୍ତିମାନଙ୍କର ସୃଷ୍ଟି, ପରିମଳ ସମସ୍ୟା, ପରିବେଶ ଗୁଣବତ୍ତାର ଅବନତି ଏବଂ ସର୍ବୋପରି ତାପମାତ୍ରାର ବୃଦ୍ଧି ଓ ଜଳବାୟୁର ପରିବର୍ତ୍ତନ। କ୍ରମଶଃ ଗମ୍ଭୀର ରୂପ ଧାରଣ କରୁଥିବା ଏସବୁ ସମସ୍ୟା ସହରାଞ୍ଚଳ ଜନସାଧାରଣଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଛି।
ସହରାଞ୍ଚଳ ପରିବେଶ କ୍ରମେ ଅବକ୍ଷୟମୁଖୀ ହୋଇଚାଲିଥିଲାବେଳେ ବିଶେଷ ଧ୍ୟାନ ଆକର୍ଷଣକାରୀ ପ୍ରସଙ୍ଗ ପାଲଟିଛି ତାପମାତ୍ରାର ଅହେତୁକ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନଜନିତ ବିଭିନ୍ନ ବିପର୍ଯ୍ୟୟର ବିନାଶକାରୀ ପ୍ରଭାବ। ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ୱିକ ପ୍ରକ୍ରିୟା ହୋଇଥିଲେ ସୁଦ୍ଧା ସହରମାନଙ୍କରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ, ଜଳବାୟୁ ପରିବର୍ତ୍ତନର କାରକ ରୂପେ ବିଶ୍ୱର ସହରମାନେ ହିଁ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଏକ ଆକଳନ ଅନୁଯାୟୀ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରକୁ ସହରାଞ୍ଚଳର ଅବଦାନ ହେଉଛି ୭୫%, ଯେଉଁଥିରେ ମୁଖ୍ୟତଃ ପରିବହନ କ୍ଷେତ୍ର, ଶିଳ୍ପ-କଳକାରଖାନା ଏବଂ ବୃହତ୍‌ ଅଟ୍ଟାଳିକାଗୁଡିକ ସର୍ବାଧିକ ଯୋଗଦାନ ରଖନ୍ତି। ଅଧିକତର ବିକାଶ କାର୍ଯ୍ୟକ୍ରମରେ ବୃକ୍ଷଛେଦନର ବୃଦ୍ଧି ଏବଂ ସବୁଜିମା ହ୍ରାସ ପାଉଛି, କଳକାରଖାନା ଓ ବ୍ୟବସାୟିକ ସଂସ୍ଥା ଦ୍ୱାରା ଅଙ୍ଗାରକାମ୍ଳ ପରି ସବୁଜ ଗୃହ ବାଷ୍ପମାନଙ୍କର ନିର୍ଗମନରେ ବୃଦ୍ଧି ଘଟୁଛି, ଯାହା ବିଶ୍ୱତାପନର ତୀବ୍ରତାରେ ସହାୟକ ହେଉଛି ଏବଂ ବିପର୍ଯ୍ୟୟ ସୃଷ୍ଟିକାରୀ ଗ୍ରୀଷ୍ମପ୍ରବାହ ପରି ଚରମ ପାଣିପାଗ ଘଟଣାକୁ ତୀବ୍ରତର କରୁଛି। ସହରାଞ୍ଚଳ ତାପମାତ୍ରା ଚତୁଃପାର୍ଶ୍ୱସ୍ଥ ଗ୍ରାମାଞ୍ଚଳ ଅପେକ୍ଷା ୩-୪ ଡିଗ୍ରୀ ସେଲସିୟସ ଅଧିକ ଅନୁଭୂତ ହେଉଛି, ଯାହାକୁ ‘ଉତ୍ତାପଦ୍ବୀପ ପ୍ରଭାବ’ର ଆଖ୍ୟା ପ୍ରଦାନ କରାଯାଇଛି। ଜଳବାୟୁ ସଙ୍କଟର ପ୍ରଭାବ ସହରର ଜନସମାଜ, ଅଟ୍ଟାଳିକା, ଅନ୍ୟ ଭିତ୍ତିଭୂମି ଏବଂ ଜୀବଜନ୍ତୁ ସମସ୍ତଙ୍କ ଉପରେ ପ୍ରତିଫଳିତ ହେଉଛି। ଅଧିକାଂଶ ସହରରେ ଝଡ଼ବାତ୍ୟା, ବର୍ଷା ଆସିଲେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟିହେଉଛି। ବୃକ୍ଷ ଓ ସବୁଜ ଆସ୍ତରଣର ଅଭାବରୁ ଏଠାରେ ସ୍ବଳ୍ପ ପରିମାଣର ବର୍ଷାଜଳ ମୃତ୍ତିକା ମଧ୍ୟକୁ ଅବଶୋଷିତ ହେଉଛି ଏବଂ ଭୂତଳ ଜଳର ପୁନର୍ଭରଣା ହ୍ରାସପାଉଛି। ଅନ୍ୟପକ୍ଷରେ, ବୃକ୍ଷରାଜିର ଅଭାବରୁ ଅନେକ ବନ୍ୟ ଜୀବଜନ୍ତୁଙ୍କର ବାସସ୍ଥଳୀ ବିଲୋପ ଏବଂ ଜୈବବିବିଧତା ବିପଦାପନ୍ନ ହେଉଛି। ତାପମାତ୍ରା ବୃଦ୍ଧି ଏସବୁ ବିନାଶକାରୀ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି।
ବିଶ୍ୱତାପନ ପ୍ରତିକ୍ରିୟାରେ ସମୁଦ୍ର ପତ୍ତନରେ ବୃଦ୍ଧି ଘଟୁଛି, ବୃଷ୍ଟିପାତ ବିଭ୍ରାଟ, ବନ୍ୟା, ବାତ୍ୟା ଏବଂ ମରୁଡ଼ି ପରି ଅତ୍ୟଧିକ ପାଣିପାଗଜନିତ ଘଟଣାର ସଂଖ୍ୟା ଓ ତୀବ୍ରତା ବୃଦ୍ଧିପାଉଛି ଏବଂ ଗ୍ରୀଷ୍ମମଣ୍ଡଳୀୟ ରୋଗସବୁ ଅଧିକ ପ୍ରସାରିତ ହେଉଛି। ଜଳବାୟୁ ବିଭ୍ରାଟ ସହରର ମୌଳିକ ସେବା, ଭିତ୍ତିଭୂମି, ବାସଗୃହ ଏବଂ ମାନବ ସ୍ବାସ୍ଥ୍ୟ ଓ ଜୀବିକା ଉପରେ ଗମ୍ଭୀର ପ୍ରଭାବ ବିସ୍ତାର କରୁଛି। ଅତ୍ୟଧିକ ଭୂତଳ ଜଳର ଉତ୍ତୋଳନ, ତୈଳ ଓ ଗ୍ୟାସ ଖନନ ଅବା ସୁଉଚ୍ଚ ଅଟ୍ଟାଳିକା ଓ ଅନ୍ୟାନ୍ୟ ଦ୍ରୁତ ନିର୍ମାଣରୁ ସୃଷ୍ଟ ଚାପ ଦ୍ୱାରା ନ୍ୟୁୟର୍କ ପରି କେତେକ ସହର ନିମ୍ନଗାମୀ ହେଉଥିବାରୁ ତଥା ସମୁଦ୍ର ପତ୍ତନ ବୃଦ୍ଧିର ପ୍ରଭାବରୁ ଉପକୂଳସ୍ଥ ସହର ମଧ୍ୟକୁ କ୍ରମଶଃ ସମୁଦ୍ରଜଳ ପ୍ରବେଶ କରୁଛି, ଯାହା ବାତ୍ୟା ସମୟରେ ଅଧିକ ବିପଜ୍ଜନକ ହେଉଛି। ଏହି ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଅଧିକ ସମ୍ବେଦନଶୀଳ ସହର ଭାବେ ବିବେଚିତ ହେଉଛି ବ୍ୟାଙ୍କକ। ଦ୍ରୁତଗତିରେ ନିମ୍ନଗାମୀ ହେଉଥିବା ବିଶ୍ୱର ୧୦ଟି ଉପକୂଳ ସହର ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଚାଇନାର ତିଆନଜିନ ଓ ସାଂଘାଇ, ଇଣ୍ଡୋନେସିଆର ସେମାରଙ୍ଗ ଓ ଜାକର୍ତ୍ତା, ଭିଏଟ୍‌ନାମର ହୋଚିମିନ ଓ ହାନୋଇ, ବାଂଲାଦେଶର ଚିଟାଗଙ୍ଗ, ଜାପାନର କୋବେ, ଭାରତର କେରଳ ଉପକୂଳସ୍ଥ ମୁନ୍ରୋଥରୁଥୁ ଦ୍ବୀପ ଏବଂ ଆମେରିକାର ହ୍ୟୁଷ୍ଟନ। ଇଣ୍ଡୋନେସିଆ ଏହାର ରାଜଧାନୀ ଜାକର୍ତ୍ତାକୁ ପରିବର୍ତ୍ତିତ କରି ୨,୦୦୦ କିମି ଦୂରରେ ବୋର୍ନିଓ ଦ୍ବୀପରେ ନୂତନ ରାଜଧାନୀ ନିର୍ମାଣ କରୁଛି। ଭାରତର ମୁମ୍ବାଇ, ଚେନ୍ନାଇ, କୋଚି, ବିଶାଖାପାଟଣା ଏବଂ କୋଲକାତା ଆଦି ସହରଗୁଡ଼ିକ ଚଳିତ ଶତାବ୍ଦୀ ଶେଷସୁଦ୍ଧା ଜଳମଗ୍ନ ହୋଇଯିବେ ବୋଲି ଆଇପିସିସି ରିପୋର୍ଟ ଚେତାବନୀ ପ୍ରଦାନ କରିଛି। ଏସିଆ ମହାଦେଶର ମାନିଲା, ଜାକର୍ତ୍ତା, ତେହେରାନ, ତାସ୍‌କେଣ୍ଟ ଏବଂ ଜୟପୁର ପରି ଅନେକ ସହରର ତାପମାତ୍ରା ୨୦୫୦ ମସିହା ବେଳକୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ ଉତ୍ତପ୍ତ ଓ ଶୁଷ୍କ ଜଳବାୟୁ ବିଶିଷ୍ଟ ସହରରେ ପରିଣତ ହେବେ।
ଜଳବାୟୁ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସ୍ଥାନୀୟ, ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ହେଉଥିବା ଯୋଜନାରେ ସହରମାନଙ୍କୁ ସମାଧାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ବିଚାର କରାଯିବା ପ୍ରୟୋଜନ। ଏହାକୁ ଦୃଷ୍ଟିରେ ରଖି ଆଇପିସିସି ଏହାର ରିପୋର୍ଟରେ ଦର୍ଶାଇଛି ଯେ ଯାନବାହନର ଇନ୍ଧନ ଦକ୍ଷତା ଓ କୋଠାମାନଙ୍କର ଶକ୍ତି ଦକ୍ଷତାରେ ବୃଦ୍ଧି ଘଟାଇବା, ଟ୍ରାଫିକ୍‌ ଭିଡ ଏଡ଼ାଇବା ନିମନ୍ତେ ରାସ୍ତାର ରୂପରେଖ ବଦଳାଇବା, ସବୁଜ ଛାତ ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ସଂଖ୍ୟାର ପାର୍କ ଓ ବୃକ୍ଷକୁ ଅନ୍ତର୍ଭୁକ୍ତ କରିବା ଅପରିହାର୍ଯ୍ୟ, ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ସହରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ସମ୍ପ୍ରତି ବିକଶିତ ରାଷ୍ଟ୍ରମାନଙ୍କର କେତେକ ସହର ସଂଶୋଧନ ପଥରେ ଅଗ୍ରସର ହୋଇ ଅକ୍ଷୟଶକ୍ତି ଉତ୍ସର ବ୍ୟବହାର, ସ୍ବଚ୍ଛ ଉତ୍ପାଦନ କୌଶଳର ଅବଲମ୍ବନ ଏବଂ ଶିଳ୍ପ ନିର୍ଗମନକୁ ସୀମିତ କରିବା ପାଇଁ ନିୟମାବଳୀ କାର୍ଯ୍ୟକାରୀ କରୁଛନ୍ତି।
ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି)ଏ ଦିଗରେ ଅଧିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଷ୍ଟ୍ରୀୟ ଏବଂ ସ୍ଥାନୀୟ ସରକାରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ପ୍ରଦାନ କରୁଛି। ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ବଚ୍ଛ, ସବୁଜ, ବିକଳ୍ପ ଶକ୍ତିର ଉତ୍ସକୁ ପ୍ରାଧାନ୍ୟ, କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବ୍ୟବହାରରେ ସଙ୍କୁଚନ, ପ୍ରଦୂଷଣର ନିୟନ୍ତ୍ରଣ, ସମ୍ବଳର ମିତବ୍ୟୟତା ଓ ବର୍ଜ୍ୟ ପଦାର୍ଥର ହ୍ରାସ, ସହରାଞ୍ଚଳ ସବୁଜିମାର ପ୍ରସାରଣ ଏବଂ ଜଳ ଉତ୍ସମାନଙ୍କର ପୁନରୁଦ୍ଧାର ଉପରେ ପ୍ରାଥମିକତା ପ୍ରଦାନ ହିଁ ସହରାଞ୍ଚଳ ବିକାଶ କାର୍ଯ୍ୟସୂଚୀର ଶୀର୍ଷରେ ରହିବା ବିଧେୟ। ଏସବୁ କାର୍ଯ୍ୟରେ ରୂପାନ୍ତରିତ ହେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରିତ କରିବା ସହ ସହରମାନଙ୍କର ଗୁଣାତ୍ମକମାନ ତଥା ବାସୋପଯୋଗିତା ବୃଦ୍ଧିପ୍ରାପ୍ତ ହେବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର, ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?