Odisha Elections 2024

ଜଣେ ଖରାପ ଲେଖକର ଗପ

ଡ. ନରେନ୍ଦ୍ର ସେଠୀ

 

ସମାଜର ବଡ଼ବଡ଼ିଆଙ୍କ ଆଖିରେ ସେ ଥିଲେ ଜଣେ ଅଶ୍ଳୀଳ ଓ ଅଭଦ୍ର ଲେଖକ। ଯୋଉ ଶବ୍ଦକୁ ଆମେ ଉଚ୍ଚାରଣ କରିବାକୁ ସଂକୋଚ କରିଥାଉ, ସେ ତାକୁ ସହଜରେ ତାଙ୍କ ଗପରେ ଲେଖି ପାରୁଥିଲେ। ନିଜ ସମୟଠାରୁ ଅନେକ ଆଗରେ ଥିବା ସେଇ ମଣିଷ ହେଲେ ୧୯୧୨ ରେ ପଞ୍ଜାବର ଲୁଧିଆନାରେ ଜନ୍ମିତ ମହାନ୍‌ ଲେଖକ ସଆଦତ ହସନ ମଣ୍ଟୋ। ଉଭୟ ଭାରତ ଓ ପାକିସ୍ତାନର ବୋଧେ ସେ ସବୁଠାରୁ ଅଧିକ ପଢ଼ା ଯାଇଥିବା ଚର୍ଚ୍ଚିତ ସାହିତି୍ୟକ। ତାଙ୍କ ନିଜ ଭାଷାରେ ମଣ୍ଟୋ କହନ୍ତି, ‘ଯଦି ତୁମେ ମୋ କାହାଣୀକୁ ପଢ଼ି ପାରିବନି, ତା’ହାଲେ ଏ ସମାଜ ଅସହ୍ୟ। ସମାଜ ଦେହରୁ ଲୁଗା କାଢ଼ିବାକୁ ମୁଁ କିଏ? ଯୋଉ ସମାଜ ଆଗରୁ ଉଲଗ୍ନ ମୁଁ ତାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା ବି କରିବିନି, ତାହା ପୋଷାକ ପ୍ରସ୍ତୁତ କରୁଥିବା ଲୋକର କାମ।’ ମଣ୍ଟୋଙ୍କ କାହାଣୀଗୁଡ଼ିକ ପଢ଼ିଲା ପରେ ଲାଗେ ଯେ ଲେଖକ ଗତାନୁଗତିକ ଭାବରେ ଭଦ୍ର ମିଛ କହିବା ବଦଳରେ କଟୁ ସତ୍ୟ ପରଷି ନିର୍ଦ୍ଦୟ ସଚ୍ଚୋଟତାର ଖୋଲା ଦର୍ପଣ ମଧ୍ୟ ହୋଇପାରେ। ମଣ୍ଟୋଙ୍କ କଠୋର ସ୍ବର ସମାଜର ବିଷାକ୍ତ କପଟତାକୁ ଆଙ୍ଗୁଠି ଦେଖାଇବାକୁ ପଛେଇ ନ ଥିଲା। ସଆଦତ ହସନ ମଣ୍ଟୋ ଅଳ୍ପ କିଛି ଲେଖକଙ୍କ ମଧ୍ୟରୁ ଜଣେ; ଯିଏ ବିଭାଜନର ଅପମାନ, ଗ୍ଳାନି ଓ ପୀଡ଼ା ବିଷୟରେ ଶାଣିତ ସ୍ବର ଉତ୍ତୋଳନ କରିଥିଲେ ଓ ଉଭୟ ପାକିସ୍ତାନ ଏବଂ ଭାରତର ପାଠକମାନଙ୍କୁ ଆକର୍ଷିତ କରିଥିଲେ। ମଣ୍ଟୋ ବାରମ୍ବାର ଅନୁଭବ କରେଇ ପାରୁଥିଲେ ଯେ, ହୁଏତ ସମୟ ବଦଳିଛି ଏବଂ ଦୁଇଟି ଅଲଗା ଦେଶ ତିଆରି ହେଇଛି; ହେଲେ ଅନେକ ଜିନିଷ ସେହିପରି ପୂର୍ବବତ୍‌ ରହିଛି।
‘ଖୋଲଦୋ’ ଗପରେ ଝିଅକୁ ମୃତ ମନେ କରି ଜଣେ ହତଭାଗ୍ୟ ପିତା ତାକୁ ଶରଣାର୍ଥୀ ଶିବିରରେ ପାଇଲା ପରେ ଜାଣି ନଥିଲା ଭାଗ୍ୟ ତା’ ପାଇଁ କ’ଣ ସାଇତି ରଖିଛି! ଏହି ଗପର ଭୟଙ୍କର ସତ୍ୟକୁ କିଏ ଭୁଲିପାରିବ, ଯୋଉଠି ବିଭାଜନ ପରବର୍ତ୍ତୀ ଦଙ୍ଗାର ଶିକାର ହୋଇ ଅନେକ ଥର ବଳାତ୍କାରର ଶିକାର ହୋଇଥିବା ଧର୍ଷିତା ଝିଅଟି ସବୁ ଭୁଲିଯାଇ କେବଳ ଗୋଟିଏ ଶବ୍ଦ ମନେରଖିଥାଏ ‘ଖୋଲ’, ଯାହା ଶୁଣିଲେ ସେ ନିଜ ଦେହରୁ ବସ୍ତ୍ର କାଢ଼ିଦିଏ।
‘ଥଣ୍ଡା ଗୋସ୍ତ’ ଗପର ମୁଖ୍ୟ ଚରିତ୍ର କୁଳବନ୍ତ ଅଗଣିତ ଲୋକଙ୍କୁ ମାରିବା ପରେ ଘରକୁ ଫେରି ସ୍ତ୍ରୀ ଆଗରେ ଜଣେ ସୁନ୍ଦରୀ ମହିଳାର ଶବ ସହିତ ସମ୍ଭୋଗ କରିଥିବା ପ୍ରକାଶ କରିବା ପରେ, ସନ୍ଦେହରେ ସ୍ତ୍ରୀ ତାକୁ କିପରି ହତ୍ୟା କରେ ତାହା ପାଠକକୁ ସ୍ତବ୍ଦ କରେ। ‘ଟୋବାଟକ ସିଂହ’ ଗପରେ ବିଭାଜନର ଯନ୍ତ୍ରଣା ସହି ନପାରି ମାନସିକ ଭାରସ୍ୟାମ ହରେଇଥିବା ବିସେନ ସିଂହ ଜୀବନ ତମାମ ତା’ର ହଜିଲା ସହରକୁ ଖୋଜି ଚାଲିଛି। ସେହିପରି ମଣ୍ଟୋଙ୍କୁ ମାତ୍ର ସାତ ବର୍ଷ ହୋଇଥିଲା ବେଳେ ଜାଲିୱାନା ବାଗ ହତ୍ୟାକାଣ୍ଡକୁ ସେ ଦେଖିଥିଲେ ଓ ସେଠି ଏକ ନିଜ ବୟସର ଆଉ ଜଣେ ପିଲାକୁ ଗୁଳି ଯନ୍ତ୍ରଣାରେ ଛଟପଟ ହୋଇଥିବାର ଘଟଣାକୁ ସେ ‘ତମାସା’ ଗପରେ ଲେଖିଥିଲେ। ମୁଁ କାହିଁକି ଗପ ଲେଖେ କ୍ରମରେ ନିଜେ ମଣ୍ଟୋ କହନ୍ତି, ‘ଚରିତ୍ର ଯେତେ ଖରାପ ହେଲେ ମଧ୍ୟ ଜଣେ ପୁରୁଷ ସର୍ବଦା ଭଦ୍ର ପୁରୁଷ ହେଇଥାଏ, କିନ୍ତୁ ଜଣେ ନାରୀ ତାକୁ ପୁରୁଷ ଦ୍ୱାରା ଦିଆଯାଇଥିବା ଅଭିନୟରେ ଯଦି ଥରୁଟିଏ ଜୀବନରେ ଭୁଲ କରିବସେ, ତା’ହାଲେ ସେ ବେଶ୍ୟା ଓ ନଷ୍ଟ ଚରିତ୍ରା ହେଇଯାଏ।’ କାମ ଇଚ୍ଛା, ମଦ୍ୟପ, ବେଶ୍ୟା ଭଳି ଥିମ୍‌ ଉପରେ ମଣ୍ଟୋଙ୍କ ଖୁଲମ୍‌ଖୋଲା ଅଭିବ୍ୟକ୍ତି ତାଙ୍କୁ ଜଣେ ଅଶ୍ଳୀଳ ଲେଖକର ଆଖ୍ୟା ଦେଇଥିଲା ଓ ସେଥିପାଇଁ ତାଙ୍କ ଉପରେ ଛ’ ଥର କେସ୍‌ ମଧ୍ୟ ହେଇଥିଲା।
ମଣ୍ଟୋ ଏପରି ଜଣେ ବ୍ୟକ୍ତିତ୍ୱ, ଯିଏ ଅନ୍ତରରେ ଭାରତୀୟ ଏବଂ ଆତ୍ମାରେ ଜଣେ ସତ୍ୟବାଦୀ ଲେଖକ ଥିଲେ। ପଞ୍ଜାବର ଏକ ମୁସ୍‌ଲିମ ପରିବାରରେ ଜନ୍ମିତ ମଣ୍ଟୋ ବମ୍ବେରେ ଏକ ଚଳଚ୍ଚିତ୍ର ପତ୍ରିକାରେ କାମ କରୁଥିଲେ। ସେ ପରାଧୀନ ଭାରତରେ ବେଶ୍ୟାମାନଙ୍କର ବିବଶତା, ଭଦ୍ରମୁଖା ପିନ୍ଧିଥିବା ପୁରୁଷମାନଙ୍କର କାମାନ୍ଧତା, ବିଭାଜନ ସମୟରେ ଘଟିତ ହୋଇଥିବା ନାରୀମାନଙ୍କ ଉପରେ ଅତ୍ୟାଚାର, ହତ୍ୟା ଓ ଲୁଣ୍ଠନକୁ ଖୋଲାଖୋଲି ପ୍ରତିପାଦନ କରୁଥିଲେ। ମଣ୍ଟୋଙ୍କ ଲେଖନୀ ମିଛ କହି ଜାଣି ନଥିଲା ଓ ସତ କହିବାକୁ ସଙ୍କୋଚ କରୁ ନଥିଲା। ବମ୍ବେ ସହରରେ ରହିବା ବେଳେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ହୋଇ ସେ ଅନେକ ଲେଖା ଲେଖିଥିଲେ, ଯାହା ତାଙ୍କ ଯିବାର ପଞ୍ଚଷଠି ବର୍ଷ ପରେ ମଧ୍ୟ ସେହି କୃତିସବୁ ଦସ୍ତାବିଜ୍‌ ସଦୃଶ ସାହିତ୍ୟକୁ ଋଦ୍ଧିମନ୍ତ କରିଛି। ସେ ସମୟର ଜଣେ ଚର୍ଚ୍ଚିତ ଓ ସର୍ବଶ୍ରେଷ୍ଠ ଗାଳ୍ପିକ ମଣ୍ଟୋଙ୍କ ଜୀବନ ୧୯୪୭ ରେ ଭାରତ ଦୁର୍ଭାଗ୍ୟଜନକ ବିଭାଜନ ପରେ ଏକ ଭିନ୍ନ ମୋଡ଼ ନେଇଥିଲା। ମଣ୍ଟୋଙ୍କ ପ୍ରିୟ ବନ୍ଧୁ ଶ୍ୟାମର ପରିବାର ଲୋକଙ୍କୁ ଦଙ୍ଗାରେ ମୁସଲମାନ ଲୋକମାନେ ମାରିଦେବା ଫଳରେ ସେ ଲେଖିଥିଲେ, ”ମାଂସ କାଟି ନେଲା ପରେ ହାଡ଼ସବୁ କୁଆଡ଼େ ଗଲା? ତୁମେ କିପରି ଚିହ୍ନିବ ତାହା ହିନ୍ଦୁର ହାଡ଼ ଥିଲା କି ମୁସଲମାନର, ତୁମେ ତାକୁ ଦାହ କଲ ନା ସମାଧି ଦେଲ?“ ତାଙ୍କ ବନ୍ଧୁ ଶ୍ୟାମ ଏହା ପଢ଼ି ରାଗିଯାଇ କହିଲେ, ଏହା ତୁମ ଗପର ଚରିତ୍ର ନୁହେଁ… ଏହା ମୋ ପରିବାର କଥା… ମୁସଲମାନମାନଙ୍କ ଉତ୍ତରରେ ମଣ୍ଟୋ କହିଲେ, ଯଦି ମୁସଲମାନମାନଙ୍କୁ ଏତେ ଘୃଣାକର, ତାହାଲେ ତୁମେ ମୋତେ ମଧ୍ୟ ସେତେବେଳେ ମାରିଦେଇଥାନ୍ତ? ପ୍ରିୟ ବନ୍ଧୁ ଶ୍ୟାମ କହିଲେ, ‘ନିଶ୍ଚୟ’। ଏହା ମଣ୍ଟୋଙ୍କୁ ଏତେ ବିଚଳିତ କଲା ଯେ, ବିଭାଜନ ବେଳେ ମଣ୍ଟୋ ପାକିସ୍ତାନ ଚାଲିଗଲେ। ପାକିସ୍ତାନ ଗଲା ପରେ ମଣ୍ଟୋଙ୍କ ସାହିତ୍ୟ ଜୀବନ ଅନ୍ଧକାର ହୋଇଗଲା। ରକ୍ଷଣଶୀଳ ପାକିସ୍ତାନରେ ତାଙ୍କୁ ଜଣେ ଅଭଦ୍ର ଓ ଅଶ୍ଳୀଳ ଲେଖକ ଭାବରେ ଅନେକଥର କୋର୍ଟ କଚେରିର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଶେଷରେ ଭାଙ୍ଗିପଡ଼ି ମଣ୍ଟୋ ନିଶାଗ୍ରସ୍ତ ହେଲେ। ଖୁବ୍‌ କମ୍‌ ମାତ୍ର ୪୩ ବର୍ଷ ବୟସରେ ପ୍ରାଣା ତ୍ୟାଗ କଲେ। ଏକ ସଚ୍ଚୋଟ ନିର୍ଭୀକ ଓ ସତ୍ୟବାଦୀ ଲେଖକର କଲମ ବିଶ୍ରାମ ନେଲା ସତ, କିନ୍ତୁ ତାଙ୍କର ବାଇଶ ଖଣ୍ଡ ଗଳ୍ପ ସଂକଳନ, ଅନେକ ନାଟକ ଓ ଅନୁବାଦ୍ୟ ସାହିତ୍ୟ ସମଗ୍ର ବିଶ୍ୱ ସାହିତ୍ୟକୁ ଖୋରାକ ଦେଇଛି, ଯାହା ଫଳରେ ସର୍ବାଧିକ ପଠିତ ସାହିତି୍ୟକଙ୍କ ମଧ୍ୟରେ ଏହି ହତଭାଗା ମଣ୍ଟୋ ଅଛନ୍ତି। ସମାଜର କଟୁ ସତ୍ୟକୁ ପ୍ରକାଶ କରିବା ଯୋଗୁ ମଣ୍ଟୋଙ୍କୁ ଯୋଉମାନେ ଅଶ୍ଳୀଳ ଆଖ୍ୟା ଦେଲେ, ସେମାନେ ପରଦା ପଛରେ ଭଦ୍ରମୁଖା ଆଢ଼ୁଆଳରେ ସେହି କାର୍ଯ୍ୟରେ ଲିପ୍ତ ଥିଲେ। ମଣ୍ଟୋଙ୍କୁ ହରେଇ ଚାଳିଶ ଦଶକର ସାହିତ୍ୟ ମ୍ଳାନ ହେଲା, କିନ୍ତୁ ସେ ଅମ୍ଳାନ ହୋଇଗଲେ ଅଗଣିତ ପାଠକମାନଙ୍କ ହୃଦୟରେ। ମଣ୍ଟୋଙ୍କୁ ଅଶ୍ଳୀଳ ବଦଳରେ ଜଣେ ନିର୍ଭୀକ, ସତ୍ୟବାଦୀ ଓ ମହାନ୍‌ ଲେଖକ ଭାବରେ ଆସନ୍ତା ପିଢ଼ି ମନେରଖିଥିବ ଏଥିର ସନ୍ଦେହ ନାହିଁ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri