ପାନୀୟ ଜଳର ସମାଧାନ ନୁହେଁ ପାଣି ବୋତଲ

ଜନସାଧାରଣଙ୍କ ପାଖରେ ସ୍ଵଚ୍ଛ ନିରାପଦ ପାନୀୟଜଳ ଉପଲବ୍ଧ ହେବା ଜାତିସଂଘର ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ ଗୋଲ୍‌ ବା ଚିରନ୍ତନ ବିକାଶ ଲକ୍ଷ୍ୟର ଏକ ପ୍ରମୁଖ ଉଦ୍ଦେଶ୍ୟ। ତେଣୁ ଲୋକମାନଙ୍କ ପାଖରେ ସ୍ଵଚ୍ଛ ପାନୀୟଜଳ ପହଞ୍ଚେଇବା ବିଶ୍ୱର ପ୍ରତ୍ୟେକ ଦେଶର ସରକାରଙ୍କ ଦାୟିତ୍ୱ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ବୁଝାପଡ଼ୁଛି, ଏବେ ବି ବିଶ୍ୱର ଅନେକ ଦେଶ ଏହି ଲକ୍ଷ୍ୟ ହାସଲ ଦିଗରେ ପଛରେ ଅଛନ୍ତି। ଜାତିସଂଘ ତଥ୍ୟ ଅନୁସାରେ ୨୦୨୦ ସୁଦ୍ଧା ବିଶ୍ୱର ୭୪% ଲୋକ ସ୍ବଚ୍ଛ ପାନୀୟଜଳ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ବିଗତ ଦୁଇ ଦଶନ୍ଧିରେ ୬୪% ଲୋକଙ୍କ ପାଖରେ ସ୍ବଚ୍ଛ ପାନୀୟଜଳ ପହଞ୍ଚିପାରିଥିବା ବେଳେ ଚଳିତ ଦଶନ୍ଧିରେ ଏଥିରେ ମାତ୍ର ଦଶ ପ୍ରତିଶତ ବୃଦ୍ଧିହୋଇଛି। ଏହି ଅଭିବୃଦ୍ଧି ଅତ୍ୟନ୍ତ ନିରୁତ୍ସାହଜନକ। ଗୋଟିଏ ପଟେ ଦେଶଗୁଡ଼ିକ ବିଜ୍ଞାନ ଓ ଜ୍ଞାନକୌଶଳ କ୍ଷେତ୍ରରେ ଦ୍ରୁତଗତିରେ ବିକାଶ କରୁଥିବାବେଳେ ପାନୀୟଜଳ ପରି ଏକ ମୌଳିକ ଆବଶ୍ୟକତାକୁ ନାଗରିକମାନଙ୍କ ପାଖରେ ପହଞ୍ଚେଇ ନ ପାରିବା ମାନବିକତାର ସାମୂହିକ ବିଫଳତାକୁ ପ୍ରକାଶ କରୁଛି। ଏକବିଂଶ ଶତାବ୍ଦୀରେ ଏବେ ବି ବିଶ୍ୱର ୨୦୦ କୋଟି ଲୋକଙ୍କ ପାଖରେ ପିଇବା ପାଇଁ ସ୍ଵଚ୍ଛ ପାନୀୟଜଳ ନାହଁି। ଜାତିସଂଘର ଏହି ତଥ୍ୟ ଭିନ୍ନ ଭିନ୍ନ ଦେଶର ସରକାରମାନେ ପ୍ରଦାନ କରିଥିବା ତଥ୍ୟ ଉପରେ ପର୍ଯ୍ୟବସିତ। ବାସ୍ତବରେ ଆହୁରି ଅଧିକ ଲୋକ ସ୍ବଚ୍ଛ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଗୋଟିଏ ପଟେ ସାଧାରଣ ଲୋକମାନଙ୍କ ପାଖରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚି ପାରି ନ ଥିବା ବେଳେ ଅନ୍ୟପଟେ ସାରା ବିଶ୍ୱରେ ପାଣି ବୋତଲ କମ୍ପାନୀମାନଙ୍କ ବ୍ୟବସାୟ ବହୁଗୁଣ ବଢ଼ିଚାଲିଛି। ଏଠାରେ ସୂଚନାଯୋଗ୍ୟ, ସ୍ବଚ୍ଛ ପାନୀୟଜଳ ଯୋଗାଣର ବିକଳ୍ପ କେବେ ବି ବୋତଲ ବନ୍ଦ ପାଣି ନୁହେଁ। ବୋତଲ ପାଣି କେବଳ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଓ ଏହା ଗରିବ ଲୋକଙ୍କ ହାତପାହାନ୍ତାର ବାହାରେ। ପରିସଂଖ୍ୟାନ ଅନୁସାରେ ପାଣି ବୋତଲ କମ୍ପାନୀମାନେ ଭୂପୃଷ୍ଠ ଓ ଭୂତଳ ଜଳକୁ ଅତି କମ୍‌ ଖର୍ଚ୍ଚରେ ଶୋଷି ୧୫୦ରୁ ୧୦୦୦ ଗୁଣ ପର୍ଯ୍ୟନ୍ତ ଲାଭ ଲୁଟୁଛନ୍ତି। ଗୋଟିଏ ବୋତଲ ମ୍ୟୁନିସିପାଲିଟି ଟ୍ୟାପ୍‌ ପାଣିର ମୂଲ୍ୟ ତୁଳନାରେ ଏହି କମ୍ପାନୀମାନେ ଶହ ଶହ ଗୁଣ ଅଧିକ ଦାମ୍‌ରେ ପାଣି ବୋତଲ ବିକ୍ରି କରୁଛନ୍ତି। ପାଣି ବୋତଲ କମ୍ପାନୀମାନେ ବୋତଲ ପ୍ରତି ଚଢ଼ା ଦାମ୍‌କୁ ନ୍ୟାୟପୂର୍ଣ୍ଣ ଦେଖାଇବାକୁ ଯାଇ ପାଣିର ନିରାପତ୍ତା ଓ ସ୍ବଚ୍ଛତାର ଯୁକ୍ତିବାଢ଼ନ୍ତି। କିନ୍ତୁ ବୋତଲ ବନ୍ଦ ପାଣିରେ ସବୁପ୍ରକାର ପ୍ରଦୂଷଣର ପ୍ରତିରୋଧକ ଶକ୍ତି ନାହଁି। ସର୍ବସାଧାରଣରେ ଯୋଗାଇ ଦିଆଯାଉଥିବା ଟ୍ୟାପ୍‌ ପାଣିକୁ ଯେପରି ଭାବେ ଜନସ୍ବାସ୍ଥ୍ୟ ଓ ପରିବେଶ ନିୟମ ଆଦିକୁ ସମ୍ମୁଖୀନ ହେବାକୁ ପଡ଼େ ପାଣି ବୋତଲ କମ୍ପାନୀମାନେ ବିଭିନ୍ନ ପ୍ରକାର ଫନ୍ଦିଫିକର କରି ସେପରି ପରୀକ୍ଷାକୁ ଏଡାଇ ଯାଆନ୍ତି। ନିକଟ ଅତୀତରେ ୧୦୯ଟି ଦେଶରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ପ୍ରଚୁର ଲାଭଯୁକ୍ତ ଓ ଦ୍ରୁତ ଅଭିବୃଦ୍ଧିମୁଖୀ ପାଣି ବୋତଲ କମ୍ପାନୀମାନେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାରୀ ବ୍ୟବସ୍ଥାର ବିଫଳତାକୁ ଅନେକାଂଶରେ ଢାଙ୍କି ଦେଉଛନ୍ତି। ମୁଖ୍ୟତଃ ନିମ୍ନ ଓ ମଧ୍ୟମ ରୋଜଗାର ବର୍ଗର ଦେଶମାନଙ୍କରେ ପାଣି ବୋତଲ କମ୍ପାନୀମାନେ ନିରାପଦ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ସଫଳ କରେଇ ନ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଏହି କମ୍ପାନୀମାନେ ଲାଭ ପାଇଁ ଛୋଟଛୋଟ ଦେଶର ସରକାରଙ୍କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଛାଉ ନାହାନ୍ତି। କାରଣ ସରକାରଙ୍କ ତରଫରୁ ନିରାପଦ ପାନୀୟଜଳ ଯୋଗାଇ ଦିଆଗଲେ ସେମାନଙ୍କ ଲାଭ ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ସେମାନେ ମନେ କରୁଛନ୍ତି। ଅନ୍ୟ ଅର୍ଥରେ କହିଲେ, ଏହି ପାଣି ବୋତଲ କମ୍ପାନୀମାନେ ଜାତିସଂଘର ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ ଗୋଲ୍‌କୁ ମଧ୍ୟ ପ୍ରତିହତ କରୁଛନ୍ତି। ୟୁଏନ୍‌ ବିଶ୍ୱବିଦ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁସାରେ ଚଳିତ ଦଶନ୍ଧିରେ ବିଶ୍ୱର ପାଣି ବୋତଲ ବଜାର ଦୁଇଗୁଣ ହୋଇ ୫୦୦ ବିଲିୟନ ଡଲାରରେ ପହଞ୍ଚିବ। ଏହାଦ୍ୱାରା ଜଳସଙ୍କଟ ଅଞ୍ଚଳରେ ଜଳ ଅଭାବ ଦେଖାଦେବା ସହିତ ପୃଥିବୀ ଉପରେ ଓ ମହାସାଗରରେ ପ୍ଲାଷ୍ଟିକ୍‌ ଆବର୍ଜନା ବୃଦ୍ଧି ପାଇବ।
ପାଣି ବୋତଲ ବିକ୍ରି କ୍ଷେତ୍ର ସମ୍ପ୍ରତି ଦ୍ରୁତଗତିରେ ଅଭିବୃଦ୍ଧି ହେଉଛି। ଏସିଆ, ଆଫ୍ରିକା, କାରିବିୟାନ୍‌ ଦେଶମାନଙ୍କରେ ପାଣି ବୋତଲ ବିକ୍ରି ବହୁ ପରିମାଣରେ ବଢ଼ିଛି। ଏଥିରୁ ପ୍ରମାଣିତ ହେଉଛି ଏହିସବୁ ଅଞ୍ଚଳରେ ଲୋକମାନଙ୍କ ପାଖରେ ସ୍ବଚ୍ଛ ନିରାପଦ ପାନୀୟଜଳ ପହଞ୍ଚେଇବାର ସରକାରୀ ବ୍ୟବସ୍ଥା ଦୁର୍ବଳ ଅଛି। ତାହାହେଲେ ଜାତିସଂଘ ଧାର୍ଯ୍ୟ କରିଥିବା ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳର ଉଦ୍ଦେଶ୍ୟ ନିଶ୍ଚିତ ଭାବେ ସଫଳ ହେବ ନାହଁି। ସଷ୍ଟେନେବୁଲ୍‌ ଡେଭଲପମେଣ୍ଟ ଗୋଲ୍‌ରେ ଯେତେବେଳେ ସମସ୍ତଙ୍କ ପାଇଁ ସମତାଭିତ୍ତିରେ ସ୍ବଚ୍ଛ ପାନୀୟ ଜଳର ପ୍ରାପ୍ତି କଥା କୁହାଯାଉଛି, ନିଶ୍ଚିତ ଭାବେ ବୋତଲ ବନ୍ଦ ପାଣି ତାହାର ସମାଧାନ ନୁହେଁ। ସରକାରଙ୍କ ଦ୍ୱାରା ଟ୍ୟାପ୍‌ ମାଧ୍ୟମରେ ସ୍ବଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦିଆ ନ ଗଲେ ଏହି ଲକ୍ଷ୍ୟ କେବେହେଲେ ହାସଲ ହୋଇପାରିବ ନାହଁି। ଚଢ଼ା ମୂଲ୍ୟ ଯୋଗୁ ବୋତଲ ବନ୍ଦ ପାଣି ଆଦୌ ଗରିବ ଲୋକଙ୍କ ପାଇଁ ନୁହେଁ। ତେଣୁ ବୋତଲ ବନ୍ଦ ପାଣି ଏକ ଜରୁରୀ ସାମଗ୍ରୀ ଅପେକ୍ଷା ଏକ ବିଳାସ ସାମଗ୍ରୀ ଭାବେ ଅଧିକ ପରିଗଣିତ ହୋଇଥାଏ। କିନ୍ତୁ ଭିନ୍ନ ଭିନ୍ନ ଦେଶର ଅନେକ ଅଞ୍ଚଳରେ ସରକାରଙ୍କ ଦ୍ୱାରା ସ୍ବଚ୍ଛ ନିରାପଦ ପାନୀୟ ଜଳର ଯୋଗାଣ ନ ଥିବାରୁ ବାଧ୍ୟ ହୋଇ ଲୋକମାନେ ଅଧିକ ଖର୍ଚ୍ଚ କରି ବୋତଲ ବନ୍ଦ ପାଣି ପାଖକୁ ଯାଉଛନ୍ତି। ଏହା ହଁି ପାଣି ବୋତଲ କମ୍ପାନୀମାନଙ୍କର ବ୍ୟବସାୟ ବୃଦ୍ଧିର ଏକ ପ୍ରମୁଖ କାରଣ। ଅନ୍ୟପକ୍ଷରେ ଏସିଆ, ଆଫ୍ରିକା ଆଦି ମହାଦେଶରେ ପାଣି ବୋତଲ ବିକ୍ରିର ବୃଦ୍ଧିକୁ ଦେଖିଲେ ସେଠାରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସରକାରଙ୍କ ବିଫଳତା ପ୍ରମାଣ ହେଉଛି। ଗୋଟିଏ ପଟେ ଲୋକମାନେ ପିଇବା ପାଇଁ ସ୍ବଚ୍ଛ ପାଣି ପାଉ ନ ଥିବାବେଳେ ଆଉ କିଛିଲୋକ ପାଣିକୁ ବିଳାସ ସାମଗ୍ରୀ ଭାବେ ବ୍ୟବହାର କରୁଛନ୍ତି । ଜାତିସଂଘର ୨୦୧୬ର ଏକ ଆକଳନ ଅନୁସାରେ ସାରା ବିଶ୍ୱର ଜନସମୁଦାୟକୁ ସ୍ବଚ୍ଛ ପାନୀୟଜଳ ଯୋଗେଇ ଦେବା ପାଇଁ ପ୍ରାୟ ୧୧୪ ବିଲିୟନ ଡଲାର ଆବଶ୍ୟକ ପଡ଼ିବ, ଯାହାକି ବାର୍ଷିିକ ପାଣି ବୋତଲ ବିକ୍ରି ମୂଲ୍ୟ ୨୭୦ ବିଲିୟନ୍‌ ଡଲାରଠାରୁ କମ୍‌।
ଗତ ବର୍ଷ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରିଥିବା ଏକ ଆକଳନ ଅନୁସାରେ ଜନସାଧାରଣଙ୍କୁ ସ୍ବଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଦେଶମାନଙ୍କର ପ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ ଓ ସେଥିପାଇଁ ଦେଶମାନଙ୍କୁ ବର୍ତ୍ତମାନଠାରୁ ଚାରିଗୁଣ ଅଧିକ ପ୍ରୟାସ କରିବାର ଆବଶ୍ୟକତା ରହିଛି। ନଚେତ୍‌ ଜାତିସଂଘ ଧାର୍ଯ୍ୟ କରିଥିବା ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କେବଳ ଏକ ଦିବା ସ୍ବପ୍ନ ହୋଇ ରହିଯିବ। ଏବେ ମଧ୍ୟ ଅନେକ ଦେଶର ସରକାରଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଏକ ପ୍ରମୁଖ ବିଷୟ ନୁହେଁ। ସରକାରମାନେ ଖଣି, ଶିଳ୍ପ ଆଦି ପାଇଁ ଯେତିକି ତପତ୍ରତା ପ୍ରକାଶ କରୁଛନ୍ତି ସେତିକି ତପତ୍ରତା ସାଧାରଣ ଲୋକମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଦେଖାଉନାହାନ୍ତି।
ପାଣି ବୋତଲ କମ୍ପାନୀ ଦ୍ରୁତଗତିରେ ବଢ଼ୁଥିବା ବେଳେ ପାଣିର ଗୁଣବତ୍ତାକୁ ନିଶ୍ଚିତ କରିବା ପାଇଁ ସରକାରଙ୍କ ତରଫରୁ ଏହି ବିଷୟକ ନୀତି ନିୟମକୁ କଡ଼ାକଡ଼ି କରିବାର ସମୟ ଆସିଛି। ବୋତଲ ବନ୍ଦ ପାଣିର ଗୁଣବତ୍ତା, ଭୂତଳ ଜଳ ଶୋଷଣ, ପ୍ଲାଷ୍ଟିକ୍‌ ଆବର୍ଜନା ପରିଚାଳନା, କାର୍ବନ୍‌ ନିର୍ଗମନ ଆଦି ଅନେକ ବିଷୟରେ ପାଣି ବୋତଲ କମ୍ପାନୀମାନେ ଆଇନକୁ ପାଳନ କରୁନାହାନ୍ତି। ଆଇନଗୁଡ଼ିକ କିପରି ଠିକ୍‌ଭାବେ ପାଳନ ହେବ, ସରକାର ସେଥିପ୍ରତି ନଜର ଦେବାର ସମୟ ଆସିଛି। ସ୍ବଚ୍ଛ ଓ ନିରାପଦ ପିଇବା ପାଣି ବଞ୍ଚିରହିବା ପାଇଁ ଏକ ମୌଳିକ ଆବଶ୍ୟକତା। ଏହାର ବିକ୍ରିକୁ ପ୍ରୋତ୍ସାହନ କରିବା ପରିବର୍ତ୍ତେ ସରକାର ଲୋକମାନଙ୍କ ପାଖରେ ମାଗଣାରେ ଉପଲବ୍ଧ କରେଇବା ଆବଶ୍ୟକ।

  • ବିଚିତ୍ର ବିଶ୍ୱାଳ
    ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
    ମୋ-୯୪୩୮୪୬୮୪୭୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?