ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ ଆସୁଥିବା ଛାତ୍ରୀଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବରଗଡ଼ ସଂସ୍କୃତି ଭବନ ପରିସରରେ ଜିଲା ପାଠାଗାର ରହିଛି। ଉକ୍ତ ପାଠାଗାରକୁ ନିୟମିତ ପ୍ରାୟ ୫୦ ଛାତ୍ରୀଛାତ୍ର ଆସୁଛନ୍ତି। ସେମାନେ ଏଠାରେ ବିଭିନ୍ନ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ପାଠାଗାରରେ ମୌଳିକ ସୁବିଧା, ସୁଯୋଗ ଠିକ୍ଭାବେ ଉପଲବ୍ଧ ହେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ପାଠାଗାର ନିୟମିତ ଠିକ୍ ସମୟରେ ଖୋଲୁ ନଥିବାବେଳେ ବିଭିନ୍ନ ଖବରକାଗଜ, ମାଗାଜିନ ମଧ୍ୟ ଉପଲବ୍ଧ ହେଉ ନଥିବା ଅଭିଯୋଗ ହୋଇଛି। ସେହିପରି ପାଠାଗାରରେ ପାନୀୟଜଳ, ଶୌଚାଳୟ ଆଦି ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେଠାରେ ଲାଗିଥିବା ଟ୍ୟାବ୍ରୁ ଠିକ୍ଭାବେ ପାନୀୟଜଳ ମିଳୁ ନଥିବାବେଳେ ପାଇଖାନା, ପରିସ୍ରାଗାରକୁ ନିୟମିତ ପରିଷ୍କାର କରାଯାଉ ନଥିବା ଅଭିଯୋଗ ହୋଇଛି। ଫଳରେ ପାଇଖାନା, ପରିସ୍ରାଗାରରୁ ନାକଫଟା ଗନ୍ଧ ବାହାରୁ ଥିବାବେଳେ ସେଠାରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ସେହିପରି ପାଠାଗାର ମଧ୍ୟ ୨ଟି କୁଲର ରହିଛି। ତେବେ ସେଥିମଧ୍ୟରୁ ଗୋଟିଏ ଅଚଳ ହୋଇପଡ଼ି ଥିବାବେଳେ ଅନ୍ୟଟି କାମଚଳା ଅବସ୍ଥାରେ ରହିଛି। କେବଳ ସେତିକି ନୁହେଁ, ପାଠାଗାରରେ ପଙ୍ଖା ଲାଗିଛି ସତ, ମାତ୍ର ସେହି ପଙ୍ଖା ଗୁଡ଼ିକ ଠିକ୍ଭାବେ ଚାଲୁ ନାହିଁ। ଫଳରେ ଖରାଦିନେ ପାଠାଗାର ଭିତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି। ପାଠାଗାରରେ ରହିଥିବା ଏହି ସବୁ ସମସ୍ୟାର ସମାଧାନ ଦିଗରେ ତ୍ୱରିତ୍ ପଦକ୍ଷେପ ନେବାକୁ ସେମାନେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।
Dharitri – Odisha’s No.1 Odia Daily

