ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ହେଲେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେବା ତ ଦୂରର କଥା, ଗତ ଧନୁଯାତ୍ରା ମହୋତ୍ସବର ଆୟବ୍ୟୟ ନେଇ ବୈଠକ ମଧ୍ୟ ଏପର୍ଯ୍ୟନ୍ତ ବସିପାରିନାହିଁ। ଅନ୍ୟପଟେ ଆଗାମୀ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ପରିବର୍ତ୍ତନ ପାଇଁ ଦାବି ଜୋର୍ ଧରିଲାଣି। ଏହି କ୍ରମରେ ଗୁରୁବାର ବରଗଡ଼ ସହରର ଯୁବକମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, କଂସ ମହାରାଜଙ୍କ ଅଭିନୟ ବରଗଡ଼ ଧନୁଯାତ୍ରା ମହୋତ୍ସବର ଗାରିମାକୁ ବୃଦ୍ଧି କରିଥାଏ। ଏଠାକାର କଂସ ଅଭିନୟ ଧନୁଯାତ୍ରା ମହୋତ୍ସବକୁ ଏକ ଅନନ୍ୟ ପରିଚୟ ଦିଏ। ଫଳରେ ବରଗଡ଼ ଧନୁଯାତ୍ରାର କଂସ ଅଭିନୟ ଦେଖିବା ପାଇଁ ମହୋତ୍ସବ ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ତେବେ ଗତବର୍ଷ ଧନୁଯାତ୍ରାରେ କଂସ ଅଭିନୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ କଂସ ପରିବର୍ତ୍ତନ ନେଇ ସ୍ମାରକପତ୍ରରେ ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଧନୁଯାତ୍ରା ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ଥିବାରୁ ଦକ୍ଷ ଓ ଯୋଗ୍ୟ କଳାକାରଙ୍କୁ ସୁଯୋଗ ଦେବା ସହ କଂସ ଚରିତ୍ରର ପୁନଃ ଚୟନ କରାଯାଉ ବୋଲି ଦାବି ହୋଇଛି। ଆଗାମୀ ପ୍ରସ୍ତୁତି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରି ସ୍ପଷ୍ଟ ନିଷ୍ପତ୍ତି ନେବାକୁ ଧନୁଯାତ୍ରା ମହୋତ୍ସବ କମିଟି ନିକଟରେ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଗୌରବ ପତି ଆଜାଦ୍, ସାକ୍ଷାତ ସାହୁ, ନିତିଶ ସୁନା, ଅମନ ଭେସ୍ରା ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

