ପୁରୀ,୧୦ା୧୦(ଅଜିତ୍ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ତପନ ବିଭିନ୍ନ ସମୟରେ ବିଷାକ୍ତ ସାପ ଧରୁଥିଲେ। କୌଣସି ଘରେ ସାପ ପଶିଲେ ତାଙ୍କୁ ଡକାଯାଉଥିଲା। ସେ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରିବା ସହ ସୁରକ୍ଷିତ ଭାବେ କାବୁ କରିବାକୁ ଉଦ୍ୟମ କରୁଥିଲେ। ଏହି କାରଣରୁ ଅଞ୍ଚଳରେ ସେ ସାପ ଧରିବାରେ ଅଭ୍ୟସ୍ତ ଥିବା ଯୁବକ ଭାବେ ପରିଚିତ ଥିଲେ।
ତେବେ ଶୁକ୍ରବାର ଅପରାହ୍ନରେ ନିଜ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ତପନ ରିଲ୍ସ କରୁଥିଲେ। ଏହି ସମୟରେ ସାପଟି ତାଙ୍କ ହାତର ଆଙ୍ଗୁଠି, କହୁଣୀ ଓ ବାହୁରେ ଚୋଟ ମାରିଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ତପନ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ସାପ ଧରିଥିଲେ। ତାଙ୍କ ଇନ୍ଷ୍ଟାଗ୍ରାମ ଆଇଡିରେ ମଧ୍ୟ ସାପ ସହିତ ରିଲ୍ସ କରିଥିବା ଏକାଧିକ ଭିଡିଓ ରହିଛି। ଅନ୍ୟପକ୍ଷରେ, ଘଟଣାକୁ ନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପୁଣିଥରେ ବିଷାକ୍ତ ସାପ ସହିତ ବିପଜ୍ଜନକ ଭିଡିଓ ତିଆରି କରିବାର ଭୟାବହତାକୁ ସାମ୍ନାକୁ ଆଣିଛି। ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ଆଶାରେ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରହିବା ଜରୁରୀ।

