ମୃତ୍ୟୁଶଯ୍ୟାରେ ସତ୍ୟ ଉପଲବ୍ଧି

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଯୌବନ, ଧନସମ୍ପଦ, ପ୍ରଭୁତ୍ୱ ଓ ଅବିବେକିତା ଏକକ ଭାବରେ ମଧ୍ୟ ଅନର୍ଥ ଘଟାନ୍ତି। ଯେତେବେଳେ ଏହି ଚାରୋଟି ଏକତ୍ର ମିଶିଯାନ୍ତି ପରିଣାମ ଆହୁରି ଭୟାବହ ହେବା ସ୍ବାଭାବିକ- ଯୌବନଂ ଧନସମ୍ପତ୍ତିଃ ପ୍ରଭୁତ୍ୱମବିବେକିତା। ଏକୈକମପ୍ୟନର୍ଥାୟ କିମୁ ଯତ୍ର ଚତୁଷ୍ଟୟମ୍‌।ା ଅତୀତରେ ରାଜାମାନେ ଏହିସବୁର ଅଧିକାରୀ ହୋଇ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ସେମାନେ ଯୌବନ, ଧନସମ୍ପଦ ଓ ପ୍ରଭୁତ୍ୱରେ ସୁଖ ଖୋଜୁଥିଲେ। ଅପର୍ଯ୍ୟାପ୍ତ ଧନ ଓ କ୍ଷମତାର ଅଧିକାରୀ ହୋଇ ସେମାନେ ନିଜକୁ ସୁଖୀ ମଣୁଥିଲେ। ମାତ୍ର ତାହା ଯେ ପ୍ରକୃତରେ ସୁଖ ନ ଥିଲା ତାହା ଉପଲବ୍ଧି କରୁଥିଲେ ମୃତ୍ୟୁର ଠିକ୍‌ ଅବ୍ୟବହିତ ପୂର୍ବରୁ। ଜୀବନର ଶେଷଭାଗରେ ନ ପହଞ୍ଚିଲେ ମଣିଷ ସତ୍ୟ ଉପଲବ୍ଧି କରିପାରେ ନାହିଁ। ଜୀବନକାଳ ମଧ୍ୟରେ ମଣିଷ ସୁଖ ଅନ୍ବେଷଣ କରି ମୃତ୍ୟୁକୁ ଭୁଲିଯାଏ। ମାତ୍ର ଯେତେବେଳେ ମୃତ୍ୟୁ ପାଖେଇଆସେ ସେତେବେଳେ ସେ ବୁଝେ ଜୀବନର ତାତ୍ପର୍ଯ୍ୟ। ପୃଥିବୀର ଅନେକ ପ୍ରତାପୀ ରାଜା ମୃତ୍ୟୁ ପୂର୍ବରୁ ଯୌବନ, ଧନସମ୍ପଦ, କ୍ଷମତା ଓ ପ୍ରଭୁତ୍ୱର ଅସାରତା ଉପଲବ୍ଧି କରିଥିଲେ ହେଁ ଆଜିର ଅହଂକାରୀ ଓ କ୍ଷମତାଧାରୀ ଶାସକମାନେ ସେହି ଉପଲବ୍ଧିରୁ କିଛି ଶିକ୍ଷାଲାଭ କରିଛନ୍ତି ବୋଲି ହୃଦ୍‌ବୋଧ ହୁଏନାହିଁ। କାରଣ ସମଗ୍ର ଜୀବନକାଳରେ ସେମାନେ ଏହିସବୁର ଅପବ୍ୟବହାର କରି ଚାଲିଛନ୍ତି। ଏହା ହିଁ ବିଡମ୍ବନା।
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର କଥା। ସେତେବେଳେ ଲିଡିଆର ଶାସକ ଥାଆନ୍ତି କ୍ରୋସାସ୍‌। ସେ ଥିଲେ ଜଣେ ଧନପିପାସୁ ରାଜା। ସେ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଯାଇ ପାରସ୍ୟ ଆକ୍ରମଣ କରିବା ପାଇଁ ମନସ୍ଥ କଲେ। ସେତେବେଳେ ପାରସ୍ୟ ନରପତି ଥାଆନ୍ତି ସାଇରସ୍‌। ସେ ତାଙ୍କ ଅଭିଯାନର ଭବିଷ୍ୟତ ପରିଣତି ସମ୍ପର୍କରେ ଜାଣିବାକୁ ଚାହାନ୍ତେ ଭବିଷ୍ୟତ୍‌ ବକ୍ତା (ଅରେକଲ୍‌) କହିଲେ, ସେ ଯଦି ଯୁଦ୍ଧ କରିବେ ଗୋଟିଏ ଦେଶ ଧ୍ୱଂସ ହୋଇଯିବ। କ୍ରୋସାସ୍‌ଙ୍କ ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ ଏତେ ଆସ୍ଥା ଥିଲା ଯେ ସେ ଭାବିନେଲେ ତାଙ୍କ ଅକ୍ରମଣରେ ପାରସ୍ୟ ନାରଖାର ହୋଇଯିବ। ଆରମ୍ଭ କଲେ ଆକ୍ରମଣ। ମାତ୍ର ସାଇରସ ମଧ୍ୟ କମ୍‌ ଯୋଦ୍ଧା ନ ଥିଲେ। ସେ ଯୁଦ୍ଧରେ କ୍ରୋସାସ୍‌ଙ୍କୁ ପରାଜିତ କଲେ ଓ ଲିଡିଆକୁ କବ୍‌ଜା କରି କ୍ରୋସାସ୍‌ଙ୍କୁ ବନ୍ଦୀ କଲେ। ସାଇରସ ଥିଲେ ଜଣେ କ୍ରୂର ଦୁର୍ଦ୍ଦାନ୍ତ ରାଜା। ସେ ବନ୍ଦୀ ରାଜା କ୍ରୋସାସ୍‌ଙ୍କୁ ଜୀବନ୍ତ ପୋଡ଼ି ମାରିବା ପାଇଁ ଆୟୋଜନ କଲେ। ରାଜା କ୍ରୋସାସ୍‌ଙ୍କୁ ଆକଣ୍ଠ କାଠଗଦାରେ ପୋତି ଦିଆଗଲା। ଯେତେବେଳେ ସେହି କାଠଗଦାରେ ଅଗ୍ନି ସଂଯୋଗ କରିବାର ମୁହୂର୍ତ୍ତ ଆସିଲା, ସେତେବେଳେ କ୍ରୋସାସ୍‌ଙ୍କ କଣ୍ଠରୁ ବାହାରି ଆସିଲା ଗୋଟିଏ ଶବ୍ଦର ପୁନରାବୃତ୍ତି। ଶବ୍ଦଟି ଥିଲା ‘ସଲୋନ୍‌’। ସେ ଥିଲେ ଜଣେ ଗ୍ରୀକ୍‌ ଦାର୍ଶନିକ ଓ ସନ୍ଥ। ଜଣେ ସନ୍ଥଙ୍କର ନାମ ଉଚ୍ଚାରିତ ହୋଇଥିବାରୁ ସାଇରସ୍‌ ଅଟକିଗଲେ। ଚିତା ଭିତରୁ କ୍ରୋସାସ୍‌ଙ୍କୁ ବାହାର କରି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଲେ। ସେଠୁ ବାହାର କରାଯିବା ପରେ ସାଇରସ୍‌ କ୍ରୋସାସ୍‌ଙ୍କ ପାଖରୁ ଜାଣିବାକୁ ଚାହିଁଲେ ‘ସଲୋନ୍‌’ଙ୍କୁ ସ୍ମରଣ କରିବାର କାରଣ। ମୃତ୍ୟୁର ସମ୍ମୁଖୀନ ହେବା ସମୟରେ ହିଁ ସେ ଉପଲବ୍ଧି କରିଥିଲେ ଜୀବନର ସତ୍ୟ। ସେ କହିଲେ, ସେ ଦିନେ କ୍ଷମତା, ପ୍ରତିପତ୍ତି, ଧନସମ୍ପଦରେ ଅନ୍ଧ ହୋଇ ରାଜସଭାରେ ଘୋଷଣା କରିଥିଲେ ତାଙ୍କ ଜୀବନ ଅତ୍ୟନ୍ତ ସୁଖମୟ। ତାଙ୍କଠାରୁ ବଳି ସୁଖୀ ରାଜା ଆଉ କେହିନାହାନ୍ତି। ସମସ୍ତ ସଭାସଦ୍‌ବର୍ଗ ସମସ୍ବରରେ ତାଙ୍କୁ ସମର୍ଥନ କରିଥିଲେ ହେଁ ଦାର୍ଶନିକ ସଲୋନ୍‌ ନୀରବ ରହିଥିଲେ। ରାଜା ତାଙ୍କୁ ନୀରବତାର କାରଣ ପଚାରନ୍ତେ ସଲୋନ୍‌ ଉତ୍ତର ଦେଇଥିଲେ, ଜଣେ ନ ମରିବା ପର୍ଯ୍ୟନ୍ତ ମୁଁ ତା’ର ଜୀବନ ସୁଖମୟ ବୋଲି କହିପାରିବି ନାହିଁ। ଆଜି କ୍ରୋସାସ୍‌ ପରାଜିତ ଓ ଦୁର୍ଦ୍ଦଶାଗ୍ରସ୍ତ ହୋଇ ମୃତ୍ୟୁର ସାମ୍‌ନା କଲାବେଳେ ସେ ବୁଝିପାରିଛନ୍ତି ଜୀବନର ସେହି ନିଷ୍ଠୁର ସତ୍ୟ। ଧନ, ଯୌବନ, କ୍ଷମତା, ପ୍ରଭୁତ୍ୱ ଏ ସବୁ ଅସାର। ମୃତ୍ୟୁ ହିଁ ସର୍ବଶେଷ ସତ୍ୟ। ଅବଶ୍ୟ ଏହା ଶୁଣି ସାଇରସ୍‌ କ୍ରୋସାସ୍‌ଙ୍କୁ ମୁକ୍ତ କରିଥିଲେ।
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ କଥା। ବିଶ୍ୱବିଜୟୀ ହେବା ଥିଲା ତାଙ୍କର ସ୍ବପ୍ନ। ଯୁବକ ଅବସ୍ଥାରେ ସେ ମାସିଡନ୍‌ର ସିଂହାସନ ଆରୋହଣ କଲେ। ଆରମ୍ଭ କଲେ ପ୍ରାଚ୍ୟ ଅଭିଯାନ। ଦେଶ ପରେ ଦେଶର ସୀମା ଅତିକ୍ରମ କରି ତାଙ୍କର ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଆଗେଇ ଚାଲିଲେ। ଦୁର୍ବାର ବିଜୟ ଲାଳସାରେ ସେ ହେଲେ ଉନ୍ମତ୍ତ। ଏସିଆ ମାଇନର ସିରିଆ, ଗାଜା, ମିଶର, ମେସୋପଟାମିଆ, ପାରସ୍ୟ ଆଦି ଦେଶ ତାଙ୍କ ଅଧୀନକୁ ଆସିଲା। ଆଲେକଜାଣ୍ଡାରଙ୍କର ବଢ଼ି ଚାଲିଥାଏ ଔଦ୍ଧତ୍ୟ, ଅହଂକାର ଓ ଖ୍ୟାତିଲିପ୍ସା। ଶେଷରେ ସେ ଆକ୍ରମଣ କଲେ ସ୍ବର୍ଣ୍ଣପ୍ରସୂ ଭାରତବର୍ଷ। ଝେଲମ୍‌ ନଦୀକୂଳରେ ରାଜା ପୁରୁଙ୍କୁ ସେ ପରାସ୍ତ କଲେ। ମାତ୍ର ପୁରୁଙ୍କ ଅଦମ୍ୟ ସାହସ ଓ ପରାକ୍ରମରେ ମୁଗ୍ଧହୋଇ ସେ ତାକୁ ତାଙ୍କ ରାଜ୍ୟ ଫେରାଇଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମନସ୍ଥ କଲେ। ପହଞ୍ଚିଲେ ବେବିଲୋନ୍‌ ନଗରୀରେ। ସେତେବେଳକୁ ସେ ଥାନ୍ତି କ୍ଳାନ୍ତ ଶ୍ରାନ୍ତ। ତଥାପି ତାଙ୍କର ପାଶ୍ଚାତ୍ୟ ଜୟ କରିବାର ଇଚ୍ଛା ଥାଏ। ମାତ୍ର ସେ ହଠାତ୍‌ ଭୀଷଣ ଅସୁସ୍ଥ ହୋଇପଡ଼ିଲେ। ଆରମ୍ଭ କଲେ ପ୍ରଳାପ। କହି ଚାଲିଲେ ରାଜ୍ୟ ପରେ ରାଜ୍ୟ ଜୟ କରି ବିଶ୍ୱର ବୃହତ୍ତମ ସାମ୍ରାଜ୍ୟର ଅଧୀଶ୍ୱର ହୋଇ ସେ ପିତାଙ୍କ ଇଚ୍ଛା ପୂରଣ କଲେ। ମାତ୍ର ମୃତ୍ୟୁ ପାଖରେ ପହଞ୍ଚି ସେ ଉପଲବ୍ଧି କରୁଥିଲେ ଯେ ତାଙ୍କର ସେହି ବୀରତ୍ୱ, ଧନସମ୍ପଦ, ଅହଂକାର ସବୁ କିଛି ମୂଲ୍ୟହୀନ ଓ ଅସାର। କ୍ରମେ ତାଙ୍କ ବାକ୍‌ଶକ୍ତି ଲୋପ ପାଇବାକୁ ବସିଲା। ସେତେବେଳେ କ୍ରୋସାସ୍‌ଙ୍କ କଣ୍ଠରୁ ‘ସଲୋନ୍‌’ ଶବ୍ଦ ନିଃସୃତ ହେବା ଭଳି ଆଲେକଜାଣ୍ଡାରଙ୍କ କଣ୍ଠରୁ ନିଃସୃତ ହେଲା ଦୁଇଟି ଶବ୍ଦ, ଡାୟୋଜିନିସ ଓ କାଲାନୋସ୍‌।
ଡାୟୋଜିନିସ୍‌ ଥିଲେ ଜଣେ ମହାମନୀଷୀ। ତାଙ୍କର ଘରସଂସାର, ଧନସମ୍ପଦ କିଛି ନ ଥିଲା। ରାସ୍ତାକଡ଼ରେ ପରିତ୍ୟକ୍ତ ଏକ ଟବ୍‌ ଥିଲା ତାଙ୍କ ରହିବା ସ୍ଥାନ। ଖଣ୍ଡିଏ ସାଧାରଣ ଲୁଗା ଥିଲା ତାଙ୍କର ପରିଧେୟ ବସ୍ତ୍ର। ତଥାପି ସେ ଥିଲେ ସୁଖୀ। ସେ କହୁଥିଲେ, ମୁଁ ହେଉଛି ବିଶ୍ୱର ଜଣେ ନାଗରିକ। ମୋର ନିଜର କିଛି ନାହିଁ, ତେଣୁ ବିଶ୍ୱ ମୋର ପ୍ରିୟ। ଜୀବନର ଅନ୍ତିମକାଳରେ ଡାୟୋଜିନିସ୍‌ଙ୍କୁ ସ୍ମରଣ କରି ଆଲେକଜାଣ୍ଡାର ଅନୁଭବ କରୁଥିଲେ ସୁଖ ବହିର୍ଜଗତରେ ନ ଥାଏ, ଏହା ଥାଏ ମନରେ। ପ୍ରାଚ୍ୟ ଜୟ କରି ନିଜ ଦେଶକୁ ଫେରିବା ବେଳେ ଭାରତୀୟ ଦର୍ଶନ ଶିକ୍ଷା ଦେବା ପାଇଁ ଆଲେକଜାଣ୍ଡାରଙ୍କ ସାଙ୍ଗରେ ଯାଇଥିଲେ ସାଧକ କଲ୍ୟାଣ। ପାରସ୍ୟ ଅତିକ୍ରମ କଲାପରେ କୌଣସି ଏକ ସ୍ଥାନରେ ଭାରତୀୟ ଦର୍ଶନ ତତ୍ତ୍ୱ ଜାଣିବା ପାଇଁ ଆଲେକଜାଣ୍ଡାରଙ୍କ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଲା। କଲ୍ୟାଣ ଚାହିଁଲେ ସେ କଥାରେ ନୁହେଁ, କାର୍ଯ୍ୟରେ ଭାରତୀୟ ଦର୍ଶନ ଶିକ୍ଷା ଦେବେ। ସେ କେତେଖଣ୍ଡ ଶୁଷ୍କ କାଠ ଓ କିଛି ଘୃତ ଆଣିବାକୁ ଅନୁରୋଧ କଲେ। ତିଆରି କଲେ ଏକ ଚିତା। ସେଥିରେ ସେ ଅଗ୍ନି ସଂଯୋଗ କଲେ। ଚିତାଟି ହୁ ହୁ ଜଳିଉଠିଲା। ସାଧକ କଲ୍ୟାଣ ହସି ହସି ସେହି ଚିତା ମଧ୍ୟରେ ପ୍ରବେଶ କଲେ। କ୍ଷଣକ ମଧ୍ୟରେ ତାଙ୍କ ନଶ୍ୱର ଶରୀର ଭସ୍ମୀଭୂତ ହେଲା। ଆଲେକଜାଣ୍ଡାର ବୁଝିଲେ ଯେଉଁ ଶରୀରର ସୁଖ ପାଇଁ ମଣିଷ ଧନ, କ୍ଷମତା ଓ ସମ୍ଭୋଗ ପଛରେ ଅନୁଧାବନ କରେ, ସେହି ଶରୀର ନଶ୍ୱର। ଅବ୍ୟବହିତ ପୂର୍ବରୁ ଆଲେକଜାଣ୍ଡାର ସ୍ମରଣ କରିଥିଲେ କଲ୍ୟାଣଙ୍କୁ। କାରଣ ଚିତାରେ ଶରୀର ବିସର୍ଜନ ଦେଇ କଲ୍ୟାଣ ଜୀବନର ନିଷ୍ଠୁର ସତ୍ୟକୁ ଶିକ୍ଷା ଦେଇଥିଲେ। ଏଣୁ ସେ ଅସ୍ପଷ୍ଟ ଭାବରେ କଲ୍ୟାଣ ନାମଟିକୁ ଉଚ୍ଚାରଣ କରିଥିଲେ ‘କାଲାନୋସ୍‌’। ଏଣୁ ସେ ଇଚ୍ଛା ପ୍ରକାଶ କରିଥିଲେ- ମୋର ମୃତ୍ୟୁ ପରେ ଶବାଧାର ତଳକୁ ମୋ ହାତ ଦୁଇଟି ଝୁଲାଇ ରଖିବ। ସମସ୍ତେ ଦେଖିବେ ଆଲେକ୍‌ଜାଣ୍ଡାର ଫେରୁଛି ଶୂନ୍ୟ ହାତରେ।
ଅତୀତର ପ୍ରତାପୀ ରାଜାମାନଙ୍କର ଏହିଭଳି ଉପଲବ୍ଧି ସତ୍ତ୍ୱେ ଆଜିର ଶାସକମାନଙ୍କର ଚେତା ପଶିନାହିଁ। ପ୍ରଭୁତ୍ୱ ଓ ଧନସମ୍ପଦକୁ ନେଇ ଅହଂକାର କବଳିତ ହେଉଛନ୍ତି ଓ ତାରି ଭିତରେ ସେମାନେ ଖୋଜୁଛନ୍ତି ସୁଖ। ବୋଧହୁଏ ଅପେକ୍ଷା କରିବାକୁ ହେବ ସେମାନଙ୍କ ଜୀବନର ଅନ୍ତିମ ମୁହୂର୍ତ୍ତକୁ ଯେତେବେଳେ ସେମାନେ ମଧ୍ୟ ମୃତ୍ୟୁଶଯ୍ୟାରେ ରାଜା କ୍ରୋସାସ୍‌ ଓ ଆଲେକଜାଣ୍ଡରଙ୍କ ଭଳି ଜୀବନର ସତ୍ୟକୁ ଉପଲବ୍ଧି କରିବେ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼,
ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri