ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର ରାତି ଅଧିଆ ଚଢାଉ କରି ସାଇବର ଠକେଇ ଅଭିଯୋଗରେ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ଲକ୍ଷାଧିକ ଟଙ୍କା ସୁନା, ରୂପା ଜବତ କରିଛି ।
ମିଳିଥିବା ସୂଚନା ଅନୁସାରେ, ପୋବଳ ଗାଁର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଅନ ଲାଇନରେ ଲକ୍ଷାଧିକ ଟଙ୍କା ଠକେଇ କରି ଆସୁଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ ପରେ କଟକ ସାଇବର ପୋଲିସ ପକ୍ଷରୁ ସୋମବାର ଦିନ ଏହି ଗାଁରେ ଛାନଭିନ କରିବା ସହ ଧର୍ମଶାଳା ପୋଲିସ ସହଯୋଗରେ ରାତି ଅଧରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ । ତେବେ ଘଟଣାସ୍ଥଳରୁ ମୁଖ୍ୟ ବ୍ୟକ୍ତି ଜଣଙ୍କ ଖସି ଯାଇଥିବା ବେଳେ ତିନି ଜଣକୁ ପୋଲିସ ଉଠାଇ ନେଇ ଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ତେବେ ଘରୁ ୧୩ଲକ୍ଷରୁ ଅଧିକ ଟଙ୍କା ସହ ସୁନା ରୂପା କଏନ୍ ଜବତ କରିଥିବା ଜଣା ପଡିଛି । ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଆଗକୁ ଏ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦିଆଯିବ ବୋଲି ପୋଲିସ କହିଛି ।

