କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଉପରେ ନିଶା ମହାରଣା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜାନୁଆରୀ ୧୨ରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ପଡିଥିବା ଏକ ଯାତ୍ରା ପାର୍ଟିରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ବଲାଙ୍ଗୀର ସଦର ଥାନାରେ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ଜଣ ଯାତ୍ରା ଆୟୋଜକଙ୍କୁ ଗିରଫ କରିଥିଲା। ଏହାପରେ ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ସଦର ଥାନା ପୋଲିସ ଭୁବନେଶ୍ବରରେ ପହଞ୍ଚି ନିଶାଙ୍କୁ ଖୋଜିବା ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ନିଶାଙ୍କ ତରଫରୁ ବଲାଙ୍ଗୀର ସଦର ଥାନା ମାମଲାରେ ଆଗୁଆ ଜାମିନ ପ୍ରଦାନ ପାଇଁ ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି।

