ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ବସିଥିଲା। ଜିଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଗୌରବ ଶିୱାଜୀ ଇସଲୱାର, ଏଡିଏମ୍ ପବିତ୍ର ବେହେରା, ଏଡିଏମ୍ ଡ. ବିଜୟାନନ୍ଦ ସେଠୀଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ଅଧିକାରୀ, ଜିଲା ଲୋକ ଉତ୍ସବ ସମିତିର ବିଭିନ୍ନ କମିଟି ସଦସ୍ୟ, କଳାକାର ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଜିଲାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଏକ ହୋଟେଲ୍ରେ ବୈଠକ କରି ଜିଲା ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏଥିସହ ଲୋକ ଉତ୍ସବ ଭଳି ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିସନ୍ଧିମୂଳକ ବୋଲି କୁହାଯାଇଛି। ଜିଲାର କଳା, ସଂସ୍କୃତି, ଲୋକ ପରମ୍ପରାର ଉନ୍ନତି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲୋକ ଉତ୍ସବର ପ୍ରଚାର ପ୍ରସାର ଦିଗରେ ବଲାଙ୍ଗୀର ଜିଲାର ଗଣମାଧ୍ୟମ ପ୍ରତିନିଧିମାନେ ସକ୍ରିୟ ଭୂମିକା ନିର୍ବାହ କରିଆସିଛନ୍ତି। ଏପରିସ୍ଥଳେ ଚଳିତ ଲୋକ ଉତ୍ସବ ପାଇଁ ଗଠିତ ପ୍ରଚାର ପ୍ରସାର କମିଟିରେ ଗଣମାଧ୍ୟମର କୌଣସି ପ୍ରତିନିଧିଙ୍କୁ ସହଅଧ୍ୟକ୍ଷ ନ ରଖି ଗଣମାଧ୍ୟମ ସହ ସମ୍ପୃକ୍ତ ନ ଥିବା ଜଣେ ବ୍ୟକ୍ତିଙ୍କୁ ଉକ୍ତ ପଦବୀରେ ଅବସ୍ଥାପିତ କରାଯାଇଥିବାରୁ ଏହାକୁ ଗଣମାଧ୍ୟମ ପ୍ରତିନିଧିମାନେ ନାପସନ୍ଦ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଠିକ୍ ସୂଚନା ନ ଦେବା ବିଷୟକୁ ନେଇ ମଙ୍ଗଳବାର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଏମ୍ପି, ରାଜ୍ୟ ସଭା ସଦସ୍ୟ, ଜିଲାର ସମସ୍ତ ବିଧାୟକଙ୍କୁ ଦିଆଯାଇଛି।
Dharitri – Odisha’s No.1 Odia Daily


